୮ ବର୍ଷ ହେଲା ପରାଜୟ ସ୍ୱୀକାର କରୁଛି ମୁମ୍ବାଇ ! ଏଥର ପ୍ରଥମ ମ୍ୟାଚରେ ଭାଙ୍ଗିବ କି ପରମ୍ପରା ?

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ବହୁ ପ୍ରତିକ୍ଷାର ଅନ୍ତଃ ଘଟିଛି। ଏବେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ ଆଇପିଏଲ-୨୦୨୧। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗତ ବର୍ଷ ନଭେମ୍ବରରେ ୟୁଏଇ ଗ୍ରାଉଣ୍ଡରେ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ ହୋଇଥିଲା। ଏଥିରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହୋଇଥିଲା। ଆଇପିଏଲରେ ସବୁଠାରୁ ଅଧିକ ଥର ଚାମ୍ପିଅନ ହୋଇଥିବା ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଚାମ୍ପିଅନ ଟିମ୍ ଗତ ୮ ର୍ବଷ ହେବ ନିଜର ପ୍ରଥମ ମ୍ୟାଚରେ ପରାଜିତ ହେଉଛି। ଏହାର କାରଣ କ’ଣ? କ’ଣ ଏଥର ମଧ୍ୟ ପ୍ରଥମ ମ୍ୟାଚରେ ମୁମ୍ବାଇ ପରାଜିତ ହେବ? ନା ଏହି ପରମ୍ପରା ଭାଙ୍ଗିବ ?

୨୦୧୩ ମସିହାରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଭାବେ ନିଜର ପ୍ରଥମ ମ୍ୟାଚରେ ପରାଜିତ ହେଇ ଆସୁଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଖରାପ ପ୍ରଦର୍ଶନ କରୁଥିଲେ ମଧ୍ୟ ପରେ ଦଳ ନିଜ ଖେଳରେ ସୁଧାର ଆଣିଛି ଏବଂ ଭଲ ପ୍ରଦର୍ଶନ କରିଛି। ଖାଲି ଭଲ ପ୍ରଦର୍ଶନ ନୁହେଁ ବରଂ ଦଳ ଚାମ୍ପିଅନ ଟାଇଟଲ ହାସଲ କରିଛି। ତେବେ ଏଥର ପ୍ରଥମ ମ୍ୟାଚ ରୟାଲ ଚାଲଞ୍ଜର୍ସ ବାଙ୍ଗଲୋର ସହ ଖଳୁଛି ମୁମ୍ବାଇ। ତେଣୁ ଏହି ମ୍ୟାଚ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। କାରଣ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ରୋହିତ ଶର୍ମା ନେଉଥିବା ବେଳେ ବାଙ୍ଗଲୋର ଦଳର ନେତୃତ୍ୱ ବିରାଟ କୋହଲି ନେଉଛନ୍ତି। କ୍ରିକେଟ ଜଗତର ଦୁଇ ତାରକା ତଥା ଭାରତୀୟ ଦଳର ଦୁଇ ଦୁର୍ଦଶ ବ୍ୟାଟ୍ସମ୍ୟାନ ଶୁକ୍ରବାର ସାମ୍ନା ସାମ୍ନି ହୋଇଛନ୍ତି।

ଏହି ଦୁଇ ଖେଳାଳି ଭାରତୀୟ ଦଳର ଅଧିନାୟକ ଏବଂ ଉପ-ଅଧିନାୟକ ଦାୟିତ୍ୱ ତୁଳାଉଛନ୍ତି। ମୁମ୍ବାଇର ପ୍ରଥମ ମ୍ୟାଚ ହାରିବାର ରେକର୍ଡ ଏଥର ଭାଙ୍ଗୁଛି, ନା ଭିରାଟଙ୍କ ବାଙ୍ଗଲୋରଠାରୁ ପରାଜୟ ସ୍ୱୀକାର କରିବା ରୋହିତ ? ତେବେ ଭାରତୀୟ କ୍ରିକେଟ ଦଳକୁ ବିରାଟ ଅନେକ ସଫଳତା ଦେଇଥିଲେ ମଧ୍ୟ ଆଇପିଏଲରେ ରୋହିତ ଶର୍ମା ସବୁଠୁ ସଫଳ କ୍ୟାପ୍ଟେନ ଭାବେ ବିବେଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଦଳ ସବୁଠୁ ଅଧିକ ଥର ଚାମ୍ପିଅନ ହୋଇଛି। ତେଣୁ ଏହାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସୁକତା ଦେଖାଯାଇଛି। ରୋହିତ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ଗତ ବର୍ଷ ୨୦୨୦ ରେ ଦଳକୁ ଚାମ୍ପିୟନ କରିଥିଲେ। ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ‘ହିଟମ୍ୟାନ୍’ ରୋହିତ ଗତ କିଛି ବର୍ଷ ଧରି କ୍ରିକେଟର ଏହି ଛୋଟ ଫର୍ମାଟରେ ଜଣେ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ବେଶ ପରିଚିତ।

ମୁମ୍ବାଇ ଓ ବାଙ୍ଗଲୋର ମଧ୍ୟରେ ଏବେ ସୁଦ୍ଧା ‍ମୋଟ ୨୭ଟି ମ୍ୟାଚ ଖେଳାଯାଇଛି। ସେଥିରୁ ୧୭ ଟି ମ୍ୟାଚ ମୁମ୍ବାଇ ଜିତିଥିବା ବେଳେ ୧୦ଟି ମ୍ୟାଚ ବାଙ୍ଗଲୋର ଜିତିଛି। ତେବେ ଆଜିର ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି।

You might also like