ଈଶାନ୍ତ ଶର୍ମାଙ୍କ ସମେତ ୨୯ ଖେଳାଳିଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାଁ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟର ପୁରସ୍କାର ଚୟନ କମିଟି ଏହି ଖେଳାଳିମାନଙ୍କ ନାଁ ସୁପାରିସ୍ କରିଛି।

ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର୍ ଦୀପକ ହୁଡ୍ଡା ଏବଂ ଟେନିସ୍ ଷ୍ଟାର୍ ଦିବିଜ ଶରନଙ୍କ ନାଁ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଚୟନକମିଟିର ବୈଠକ ପରେ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୧ ବର୍ଷୀୟ ଈଶାନ୍ତ ଶର୍ମା ଭାରତ ପକ୍ଷରୁ ୯୭ ଟେଷ୍ଟ ଓ ୮୦ ଦିନିକିଆ ମ୍ୟାଚ୍ ଖେଳି ୪୦୦ରୁ ଅଧିକ ଅନ୍ତର୍ଜାତୀୟ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସେହିପରି ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ରେସଲର୍ ସାକ୍ଷୀ ମଲିକ୍ ଓ ପୂର୍ବତନ ୱାର୍ଲ୍ଡ ଚାମ୍ପିୟନ୍ ରେସଲର୍ ମୀରାବାଈ ଚାନୁଙ୍କ ନାଁ ମଧ୍ୟ କମିଟି ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଛି, କିନ୍ତୁ ଏହା ଉପରେ ଅନ୍ତିମ ନିଷ୍ପତ୍ତି କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁଙ୍କ ଉପରେ ଛଡ଼ା ଯାଇଛି, କାରଣ ଏହି ଦୁଇ ମହିଳା ଖେଳାଳିଙ୍କୁ ପୂର୍ବରୁ ହିଁ ‘ଖେଳ ରତ୍ନ’ ମିଳିସାରିଛି।

ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସାକ୍ଷୀଙ୍କୁ ୨୦୧୬ରେ ଏହି ପୁରସ୍କାର ମିଳିଥିବା ବେଳେ ୨୦୧୮ରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମୀରାବାଈ ଚାନୁ ଖେଳ ରତ୍ନ ମିଳିଥିଲା। ଏହା ପୂର୍ବରୁ ଈଶାନ୍ତଙ୍କ ସାଥୀ ଖେଳାଳି ରୋହିତ୍ ଶର୍ମା ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରାଯାଇଛି। ରୋହିତଙ୍କ ବ୍ୟତୀତ ଆଉ ତିନିଜଣ କ୍ରୀଡ଼ାବିତ୍ ଯଥା ରେସଲର୍ ଭିନେଶ ଫୋଗାଟ୍, ଟେବୁଲ୍ ଟେନିସ୍ ତାରକା ମନିକା ବାତ୍ରା ଏବଂ ପାରାଅଲିମ୍ପିୟାନ୍ ମରିୟାପ୍ପନ ଥାଙ୍ଗାଭେଲୁଙ୍କ ନାଁ ମଧ୍ୟ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ୍ କରାଯାଇଛି।

You might also like