ବିରେନ୍ଦ୍ର ସେହୱାଗଙ୍କୁ ଅମିତ ମିଶ୍ରା କହିଥିଲେ, ‘ପ୍ଲିଜ୍ ବିରୁ ଭାଇ ମୋର ଦରମା ବଢ଼େଇ ଦିଅ’..

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ୧୩ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ବୋଲର ଅମିତ ମିଶ୍ରା, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ବୋଲିଂ କରିଛନ୍ତି। ସେ ୪ ଓଭରରେ ମାତ୍ର ୨୪ ରନ୍ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଛନ୍ତି। ଦିଲ୍ଲୀର ଏହି ଦୁର୍ଦଶ ସ୍ପିନର, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କିରନ୍ ପୋଲାର୍ଡ ଏବଂ ଇଶାନ୍ କିଶନଙ୍କୁ ଶିକାର କରିଥିଲେ।

ଏହି ପ୍ରଦର୍ଶନ ପରେ ଅମିତ ମିଶ୍ରାଙ୍କୁ ଅନେକ ମହଲରୁ ପ୍ରଶଂସା ମିଳିଛି। ଅନେକ ଅଭିଜ୍ଞ ଖେଳାଳିମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ହେଲେ ଏହାରି ଭିତରେ ଅମିତ ମିଶ୍ରାଙ୍କୁ ପ୍ରଶଂସା କରି ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହୱାଗ ଏକ ପୁରୁଣା ଅନୁଭୂତି ସେୟାର କରିଛନ୍ତି। ସେହୱାଗ କହିଛନ୍ତି ଯେ, ଅମିତ ମିଶ୍ରା ସବୁବେଳେ ଜଣେ ଖୁସି ରହୁଥିବା ମଣିଷଟିଏ। ଅମିତଙ୍କୁ ସାଥୀ ଖେଳାଳିମାନେ ମଧ୍ୟ ବେଶ ପସନ୍ଦ କରନ୍ତି।

Amit Mishra

ସେହୱାଗ ଏକ ପୁରୁଣା କଥାକୁ ମନେ ପକାଇ କହିଛନ୍ତି ଯେ, ଦିନେ ଅମିତ ମିଶ୍ରା ଆଇପିଏଲରେ ହ୍ୟଟ୍ରିକ୍ ୱିକେଟ୍ ନେଇଥିଲେ ଏବଂ ଏଥିପାଇଁ ସେ ତାଙ୍କର ଦରମା ବଢ଼ାଇବାକୁ କହିଥିଲେ। ଅମିତ ଜଣେ ଶାନ୍ତ ସରଳ ପିଲା, ତେଣୁ ସେ ସମସ୍ତଙ୍କ ସହ ଅତି ସହଜରେ କଥାବାର୍ତ୍ତା ହୋଇପାରନ୍ତି ଏବଂ ସମସ୍ତଙ୍କ ସହ ଅତି ସହଜରେ ମିଶି ପାରନ୍ତି। ତାଙ୍କର ଏଭଳି ଗୁଣ ପାଇଁ ତାଙ୍କ ସାଥି ଖେଳାଳିମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି। ଯେତେବେଳେ ସେ ୱିକେଟ ହାସଲ କରିଥାନ୍ତି, ସେତେବେଳେ ତାଙ୍କ ସାଥି ଖେଳାଳିମାନେ ବହୁତ ଖୁସି ହୋଇଥାନ୍ତି।

ସେହୱାଗ କ୍ରିକବଜ୍ ସହିତ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋର ମନେ ଅଛି ଯେତେବେଳେ ସେ ଆଇପିଏଲରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ। ମୁଁ ତାଙ୍କୁ ପଚାରିଲି କୁହ ତୁମକୁ କ’ଣ ଦରକାର ? ତା’ପରେ ସେ କହିଥିଲେ ଯେ, ବିରୁ ଭାଇ ଦୟାକରି ମୋର ଦରମା ବଢ଼ାଇ ଦିଅନ୍ତୁ।’

ସୂଚନାଯୋଗ୍ୟ, ଅମିତ ମିଶ୍ରା ଆଇପିଏଲ ୨୦୦୮ରେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିବା ବେଳେ ନିଜର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ। ଏହାପରେ ୨୦୧୧ ଓ ପରେ ୨୦୧୩ରେ ହ୍ୟାଟ୍ରିକ୍ ୱିକେଟ ନେବାରେ ସଫଳ ହୋଇଥିଲେ।

ଅମିତ ମିଶ୍ରା ଆଇପିଏଲରେ ୩ଟି ହ୍ୟାଟ୍ରିକ୍ ନେଇଛନ୍ତି –

୧. ୨୦୦୮ – ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଡେକାନ୍ ଚାର୍ଜର୍ସ ବିପକ୍ଷରେ

୨. ୨୦୧୧- ଡେକାନ୍ ଚାର୍ଜର୍ସ ପାଇଁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ

୩. ୨୦୧୩ – ସନରାଇଜର୍ସ ହାଇଦ୍ରାବାଦ ପାଇଁ ପୁଣେ ୱାରିଅର୍ସ ବିପକ୍ଷରେ

ସେହୱାଗ ଆହୁରି କହିଛନ୍ତି, ‘ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ବୋଲିଂ କରିଛନ୍ତି। ଏହି କାରଣରୁ ସେ ଚଳିତ ଟୁର୍ନାମେଣ୍ଟର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ। ସେ ସ୍ପିନର ଭାବେ ସର୍ବାଧିକ ୱିକେଟ୍ ନେଇଛନ୍ତି। ଯଦି ରୋହିତ ଶର୍ମା ତାଙ୍କ ବିପକ୍ଷରେ ନିଜର ସାଧାରଣ ଖେଳ ଖେଳିଥାନ୍ତେ, ତେବେ ସେ ଅତି ସହଜରେ ୬୦-୭୦ ରନ୍ କରିପାରିଥାନ୍ତେ।’

ଆଇପିଏଲ ଇତିହାସରେ ଅମିତ ମିଶ୍ରା ଦ୍ୱିତୀୟ ସଫଳ ବୋଲର। ସେ ଏପର୍ଯ୍ୟନ୍ତ ୧୫୨ଟି ମ୍ୟାଚ୍ ଖେଳିଥିବା ବେଳେ ୧୬୪ ୱିକେଟ୍ ନେଇଛନ୍ତି। ସର୍ବାଧିକ ୱିକେଟ୍ ନେଇଥିବା ଲାସିଥ୍ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ମାତ୍ର ୭ ୱିକେଟ୍ ଆବଶ୍ୟକ। ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ (୨୦୦୯ ରୁ ୨୦୧୯) ପାଇଁ ଖେଳୁଥିବା ବେଳେ, ୧୨୨ ଆଇପିଏଲ ମ୍ୟାଚରୁ ୧୭୦ଟି ୱିକେଟ୍ ନେଇଛନ୍ତି।

You might also like