ରୋମ୍‌: ଆରମ୍ଭ ହେଲା ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ । ବିଜୟରୁ ଯାତ୍ରା ଆରମ୍ଭ କଲା ଇଟାଲୀ । ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚରେ ତୁର୍କୀକୁ ୩-୦ ଗୋଲରେ ପରାସ୍ତା କରିଛି ଇଟାଲୀ । ପ୍ରଥମଥର ପାଇଁ ୟୁରୋ କପ୍‌ରେ ୩ଟି ଗୋଲ ମାରି କୌଣସି ଦଳକୁ ପରାସ୍ତ କରିଛି ଇଟାଲୀ । ପୂର୍ବରୁ ଇଟାଲୀ ଓ ତୁର୍କୀ ମଧ୍ୟରେ ଖେଳାଯାଇଥିବା ଶେଷ ୧୧ଟି ମ୍ୟାଚ୍‌ ମଧ୍ୟରୁ ଏହା ଇଟାଲୀର ଅଷ୍ଟମ ବିଜୟ । ବାକି ତିନୋଟି ମ୍ୟାଚ୍‌ ଡ୍ର ରହିଥିଲା । ଦେଖିବାକୁ ଗଲେ ଇଟାଲୀ ସବୁବେଳେ ତୁର୍କୀ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆସିଛି ।  ଅନ୍ୟପଟେ ଏହି ମଇଦାନରେ ଇଟାଲୀ ଖେଳିଥିବା ଗତ ୮ଟି ମ୍ୟାଚ୍‌ରେ  ବିପକ୍ଷ ଦଳକୁ ଗୋଟିଏ ବି ଗୋଲ କରିବାର ସୁଯୋଗ ଦେଇନାହିଁ । ଟୁର୍ଣ୍ଣାମେଣ୍ଟରେ ଇଟାଲୀ ନାଁରେ ଆଉ ଏକ ରେକର୍ଡ ରହିଛି ଯେ, ଏହି ଦଳରେ ସବୁଠାରୁ ଅଧିକ ମ୍ୟାଚ୍‌ ଡ୍ର ରଖିଛି ।

ତେବେ ଗତକାଲି ମ୍ୟାଚ୍‌ର ଫାଷ୍ଟ ହାଫ୍‌ରେ ତୁର୍କୀର ଡେମିରାଲ ନିଜ ଗୋଲପୋଷ୍ଟରେ ଗୋଲ ମାରି ଇଟାଲୀକୁ ୧-୦ରେ ଆଗୁଆ କରିଥିଲେ ।  ଏହାପରେ ଇଟାଲୀର ଇନସାଇନ୍ ଏବଂ ଇମୋବାଇଲ ଦୁଇଟି ଗୋଲ ମାରି ଦଳକୁ ୩-୦ରେ ବିଜୟୀ କରାଇଥିଲେ ।

କରୋନା ମହାମାରୀ ପାଇଁ ୟୁରୋ କପ୍‌ ଇତିହାସରେ ପ୍ରଥମ ଥର ପାଇଁ ଖେଳ ସ୍ଥଗିତ ରଖାଯାଇଥିଲା । ୨୦୨୦ରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୨୧ରେ କରାଯାଉଛି । ପ୍ରଥମ ଥର ପାଇଁ ଚଳିତ ଥରର ୟୁରୋ କପ୍ ବିଭିନ୍ନ ଦେଶର ଷ୍ଟାଡିୟମରେ ଖେଳାଯାଉଛି । ଇଟାଲୀ ଓ ତୁର୍କି ମଧ୍ୟରେ ମ୍ୟାଚ୍ ଗତକାଲି ରୋମ୍‌ରେ ଖେଳାଯାଇଥିଲା । ବିଭିନ୍ନ ଦେଶର ୧୧ ସହରରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଲଣ୍ଡନ, ଗ୍ଲାସଗୋ, କୋପେନହେଗେନ, ସେବିଲ, ବୁଦାପେଷ୍ଟ, ଆମଷ୍ଟର୍ଡମ୍, ରୋମ୍‌, ମ୍ୟୁନିକ୍, ବାକୁ, ବୁଖାରେଷ୍ଟ ଏବଂ ସେଣ୍ଟ ପିଟର୍ସବର୍ଗରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ।

୧୨ ଜୁଲାଇରେ ୟୁରୋ କପ୍‌ ୨୦୨୦ର ଫାଇନାଲ ମ୍ୟାଚ ଖେଳାଯିବ । ଲଣ୍ଡନର ୱେମ୍ବଲି ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୨୪ଟି ଟିମ୍‌ ରହିଛନ୍ତି । ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଥିବା ବେଳେ ମୋଟ୍ ୬ଟି ଗ୍ରୁପ କରାଯାଇଛି । ଆଜି ଯାଏ ୧୫ ଥର ୟୁରୋକପ୍‌ର ଆୟୋଜନ ହୋଇଥିବା ବୋଳେ ୧୦ଟି ଟିମ୍‌ ବିଜୟୀ ହୋଇଛନ୍ତି । ଜର୍ମାନୀ ଏବଂ ସ୍ପେନ୍ ସବୁଠାରୁ ଅଧିକ ତିନି-ତିନି ଥର କପ୍ ହାତେଇଛନ୍ତି । ଫ୍ରାନ୍ସ ଦୁଇ ଥର କପ୍ ହାସଲ କରିଛି ।

Other Stories