କୋଲକତା ଉପରେ ସେହୱାଗ୍ ଖପ୍ପା, କହିଲେ ବୋରିଂ କରୁଛନ୍ତି…

ନୂଆଦିଲ୍ଲୀ: କୋଲକତା ନାଇଟ ରାଇଡର୍ସ ଉପରେ ଖପ୍ପା ବିରେନ୍ଦ୍ର ସେହୱାଗ। କହିଲେ ଦୁଇ ଦୁଇ ଥର ଟାଇଟଲ ହାସଲ କରିଥିବା ଏହି ଦଳ ଏଭଳି କେମିତି ଖେଳୁଛି। ଆଇପିଏଲ୍ ୨୦୨୧ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଆସିଛି । କେକେଆର୍ ଏହି ସିଜନରେ ୭ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଦୁଇଟି ମ୍ୟାଚରେ ଜିତିଛି । ଦୁଇ ଦିନ ପୂର୍ବେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଲିଗ ମ୍ୟାଚରେ ସେ ପଞ୍ଚମ ପରାଜୟର ସମ୍ମୁଖୀନ ହୋଇଛି । ଏହି କାରଣରୁ ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦ୍ର ସେହୱାଗ ଦଳ ଉପର ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଦଳର ବ୍ୟାଟିଂ ଲାଇନରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ଦଳ ଦୁଇ ଥର ଆଇପିଏଲ ଟାଇଟଲ ଜିତିସାରିଛି। କିନ୍ତୁ ଏବେ ତାର ବ୍ୟାଟିଂ ଦେଖିଲେ ଲାଗୁଛି ଗୋଟିଏ ଫିଲ୍ମର ବୋରିଂ ସିନ୍ ଚାଲିଛି।

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ସେହୱାଗ କହିଛନ୍ତି ଯେ, କୋଲକତାର ବ୍ୟାଟିଂ ଲାଇନ କାହିଁକି ପରିବର୍ତ୍ତନ କରାଯାଉନାହିଁ, ଏହା ମୋର ହଜମ ହେଉ ନାହିଁ। ଯେତେବେଳେ ବି ମୁଁ ଲାପଟପ୍, ମୋବାଇଲ୍ କିମ୍ବା OTT ପ୍ଲାଟଫର୍ମରେ ଏକ ଫିଲ୍ମ ଦେଖେ, ସେତେବେଳେ ମୁଁ ବୋରିଂ ସିନକୁ କାଟି ଆଗକୁ ନେଇଯାଇଥାଏ। ସେହିଭଳି ଚଳିତ ସିଜିନରେ ଅଗାମୀ ଦିନରେ କୋଲକତାର ମ୍ୟାଚ ଯେତେବେଳେ ବି ମୁଁ ଦେଖିବି ସେତେବେଳେ ଫାଷ୍ଟ ଫରୱାର୍ଡ କରି ଦେଖିବି। କାରଣ ସେମାନେ ପ୍ରତ୍ୟେକ ମ୍ୟାଚରେ ସମାନ ଭୁଲର ପୁନରାବୃତ୍ତି କରୁଛନ୍ତି।

ବ୍ୟାଟିଂ କ୍ରମ ପରିବର୍ତ୍ତନ ଆବଶ୍ରକ: ସେହୱାଗ
ସେହୱାଗ କ୍ରିକବଜ ସହ ଏକ ବାର୍ତ୍ତାଳାପରେ କହିଛନ୍ତି, କୋଲକତାର ଭାଗ୍ୟ ଭଲ ଯେ, ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଅଧିନାୟକ ଅୟନ୍ ମୋର୍ଗାନ୍ ଦଳକୁ ଭଲ ସ୍କୋର ଦେଇଥିଲେ। ଯେଉଁଥିପାଇଁ ଦଳ ଜିତିପାରିଥିଲା। କିନ୍ତୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେହି ସମାନ ଭୁଲକୁ ରିପିଟ୍ କଲା ଦଳ। ତେଣୁ ମୁଁ ଭାବୁଛି କୋଲକତା ନାଇଟ ରାଇଡର୍ସର ମ୍ୟାନେଜମେଣ୍ଟ ଯେଉଁ ନିଷ୍ପତି ନେଉଛି ସଠିକ୍ ନୁହେଁ। ଆପଣ ଯାହା ବି କୁହନ୍ତୁ,  ଆମେ ଖେଳାଳିଙ୍କୁ ସମର୍ଥନ କରୁଛୁ। କିନ୍ତୁ ସାଧାରଣତଃ ଏଭଳି ପରିସ୍ଥିତି ବାରମ୍ବାର ଉପୁଜୁଛି ତେଣୁ ବ୍ୟାଟିଂ କ୍ରମରେ ତ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ । ବ୍ୟାଟିଂ କ୍ରମରେ ପରିବର୍ତ୍ତନ କଲେ ଫଳାଫଳ ମଧ୍ୟ ଭିନ୍ନ ଆସିବାର ସମ୍ଭାବନା ରହିଛି।

ସେହୱାଗଙ୍କ ଅନୁଯାୟୀ, ଆୟନ୍ ମୋର୍ଗାନ୍ ଏବଂ ସୁନୀଲ ନାରିନଙ୍କ ପୂର୍ବରୁ ଆଣ୍ଡ୍ରେ ରସେଲଙ୍କୁ ବ୍ୟାଟିଂ ମଇଦାନକୁ ଛାଡ଼ିବା ଉଚିତ୍। ଏହାଦ୍‌ଆରା ସେ ଦଳ ପାଇଁ ଅଧିକ ସ୍କୋର କରିପାରିବେ। କୋଲକତାର ବ୍ୟାଟିଂ ଅର୍ଡରରେ ସେ ବିଲକୁଲ ଖୁସି ନୁହଁନ୍ତି। କାରଣ ଏବେ ବି ନିତିଶ ରାଣା ଦଳ ପାଇଁ ଓପନିଂ କରୁଛନ୍ତି। କିନ୍ତୁ ଭଲ ଆରମ୍ଭ ମିଳିପାରୁ ନାହିଁ। ଦିଲ୍ଲୀ ବିପକ୍ଷରେ ଶୁଭମାନ ଗିଲ ୪୩ ରନ୍ କରିଥାଇ ପାରନ୍ତି। କିନ୍ତୁ ଏଥିପାଇଁ ସେ ଅଧିକ ବଲ ମଧ୍ୟ ଖେଳିଛନ୍ତି। ତେବେ ଏହା ବଡ଼ ସମସ୍ୟା ନୁହେଁ, ମୁଖ୍ୟ କଥା ହେଉଛି ଦଳ ପାଖରେ ଏମିତି ବ୍ୟାଟ୍ସମ୍ୟାନ ରହିବା କଥା ଯିଏ ଦଳକୁ ଭଲ ରନରେଟ୍ ଦେଇପାରିବ।

You might also like