ଆଇପିଏଲ୍ ୨୦୨୧: ମ୍ୟାଚ୍ ପରେ ଆଉଟ୍ କରିଥିବା ବୋଲରଙ୍କ ପାଖରେ ପହଞ୍ଚିଲେ ବିରାଟ, କହିଲେ…

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ୩୪ ରନରେ ପଞ୍ଜାବ କିଙ୍ଗସଠାରୁ ପରାଜୟ ସ୍ୱୀକାର କରିଛି। ଏହି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଆସିଛି। ମ୍ୟାଚରେ ପଞ୍ଜାବ ଦଳ ପାଇଁ ଅଧିନାୟକ କେ.ଏଲ୍ ରାହୁଲ ସର୍ବାଧିକ ୯୧ ରନ୍ ସଂଗ୍ରହ କରି ନଟ ଆଉଟ ରହିଥିବା ବେଳେ ବାଙ୍ଗଲୋର ଦଳର ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୫ ରନ୍ ସଂଗ୍ରହ କରି ଦଳକୁ ଦେଇଥିଲେ। ଯାହାକି ଅତ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ ବୋଲି କୁହାଯାଇପାରେ। ତେବେ କୋହଲିଙ୍କୁ ଏହି ମ୍ୟାଚରେ ପଞ୍ଜାବ ଦଳର ନୂଆ ବୋଲର ହରପ୍ରୀତ ବରାର ବୋଲ୍ଡ କରିଥିଲେ।

ଆଇପିଏଲରେ ବରାରଙ୍କ ପ୍ରଥମ ଶିକାର ହେଉଛନ୍ତି ବିରାଟ କୋହଲି । ମ୍ୟାଚ ଜିତିବାର ପରେ ବରାର କହିଛନ୍ତି ଯେ, ଆଇପିଏଲ୍ କ୍ୟାରିୟରେ ସେ ପ୍ରଥମ ୱିକେଟ ଭାବେ ବିରାଟ କୋହଲିଙ୍କର ୱିକେଟ ହାସଲ କରିଛନ୍ତି। ଆଉ ଏଥିପାଇଁ ସେ ବହୁତ ଖୁସି ଅଛନ୍ତି। ସେ ଏହି ମୁହୂର୍ତ୍ତକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରଖିବେ। ତେବେ ସବୁଠାରୁ ବଡ଼ କଥା ହେଲା ମ୍ୟାଚ୍ ପରେ ବିରାଟ କୋହଲି ନିଜେ ବରାରଙ୍କ ପାଖରେ ପହଞ୍ଚିଥିଲେ। ଏହାସହ ତାଙ୍କ ସହ କଥା ହୋଇଥିଲେ । କୋହଲି ଏବଂ ବରାରଙ୍କ ବାର୍ତ୍ତାଳାପର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବରାରଙ୍କ ସହ କଥା ହେବା ବେଳେ କୋହଲି ତାଙ୍କୁ ଅନେକ ପ୍ରଶଂସା କରିଥିବା ଜଣାପଡ଼ିଛି। କୋହଲିଙ୍କଠାରୁ ପ୍ରଶଂସା ପାଇ ବରାର ମଧ୍ୟ ଖୁସି ଥିବା ଭଳି ଜଣାପଡ଼ିଛି।

ତେବେ ଏହି ମ୍ୟାଚ୍‌ରେ ପଞ୍ଜାବ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ଏହା ପରେ ୧୮୦ ରନର ବିଜୟ ଲକ୍ଷ୍ୟ ନେଇ ଆରସିବି ମଇଦାନକୁ ଓହ୍ଲାଇଥିଲା। ହେଲେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମୋଟ ୧୪୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଏବଂ ଏ ବି ଡିଭିଲିୟର୍ସଙ୍କ ଭଳି ତିନିଟି ବଡ଼ ୱିକେଟ୍ ନେଇ ବରାର ପଞ୍ଜାବର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ଏହାପୂର୍ବରୁ ସେ ମ୍ୟାଚରେ ୧୭ ବଲରୁ ୨୫ ରନ କରି ନଟ ଆଉଟ ରହିଥିଲେ। ଏହି ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଚଳିତ ସିଜିନରେ ବାଙ୍ଗଲୋର ଦଳ ମୋଟ ୭ଟି ମ୍ୟାଚ ଖେଳିଥିବା ବେଳେ ଏହା ତାର ଦ୍ୱିତୀୟ ପରାଜୟ ଥିଲା। ଅନ୍ୟପଟେ ପଞ୍ଜାବର ଏହା ତୃତୀୟ ବିଜୟ।

You might also like