IPL: ଆଉଟ ହେବାରୁ ନିରାଶ ହୋଇ ପାହାଚରେ ବସିପଡ଼ିଲେ ରସେଲ, ତରଳି ଗଲା ଫ୍ୟାନଙ୍କ ହୃଦୟ..

ମୁମ୍ବାଇ: ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କୁ କୋଲକତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ଆଣ୍ଡ୍ରେ ରସେଲ ନିର୍ଧୁମ ଛେଚିଛନ୍ତି। ରସେଲ ୨୨ଟି ବଲରୁ ଧୁଆଁଧାର ଅର୍ଦ୍ଧଶତକ ସହ ୫୪ ରନ୍ ସଂଗ୍ରହ କରିଥିଲେ। ରସେଲ ନିଜ ଇନିଂସରେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ। ହେଲେ ତାଙ୍କର ଏଭଳି ଦୁର୍ଦଶ ଇନିଂସ ପରେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ଦଳ ଚେନ୍ନାଇଠାରୁ ୧୮ ରନରେ ପରାଜୟ ବରଣ କରିଛି।

ସେହି ମ୍ୟାଚରେ ରସେଲ ଜବରଦସ୍ତ ଫର୍ମରେ ଥିବା ବେଳେ, ଚେନ୍ନାଇର ସାମ କୁରନ ତାଙ୍କୁ ନିଜ ଜାଲରେ ଫସାଇ ଦେଲେ। ରସେଲ ଭାବିଥିଲେ ଫିଲ୍ଡ ଅନୁଯାୟୀ କୁରନ୍ ଅଫ୍ ଷ୍ଟମ୍ପରେ ବୋଲିଂ କରିବେ। ଯେଉଁଥିପାଇଁ ସେ ସେହି ଅନୁସାରେ ସର୍ଟ ଖେଳିବେ ବୋଲି ନିଜକୁ ପ୍ରସ୍ତୁତ ରଖିଥିଲେ। ହେଲେ କୁରନଙ୍କ ବଲ ଲେଗ୍ ଷ୍ଟମ୍ପରେ ପଡ଼ିଥିଲା, ଯାହା ଫଳରେ ରସେଲ ବୋଲ୍ଡ ହୋଇଯାଇଥିଲେ। ଆଉଟ ହେବା ପରେ ରସେଲ ଅତ୍ୟନ୍ତ ନିରାଶ ହୋଇପଡ଼ିଥିଲେ। ଫିଲ୍ଡରୁ ବାହାରି ଡ୍ରେସିଂ ରୁମ ଅଭିମୁଖେ ଯାଇଥିଲେ। ହେଲେ ତାଙ୍କୁ ଡ୍ରେସିଂ ରୁମ ପାହାଚରେ ବସିଥିବା ଦେଖିବାକୁ ମିଳିଥିଲା। ସେଠାରେ ସେ ନିରାଶ ହୋଇ ଏକା ବସି ମ୍ୟାଚ ଦେଖିଥିଲେ। ଏମିତିକି ସେ ହେଲମେଟ, ପ୍ୟାଡ ଓ ଗ୍ଲୋଭସ ମଧ୍ୟ ଖୋଲି ନଥିଲେ।

ରସେଲଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ଫ୍ୟାନମାନଙ୍କ ହୃଦୟ ତରଳି ଗଲା। ସୋସିଆଲ ମିଡିଆରେ ଫ୍ୟାନମାନେ ରସେଲଙ୍କୁ ଏବେ ପ୍ରଶଂସାରେ ପୋତି ପକାଉଛନ୍ତି। ଜଣେ ଫ୍ୟାନ ଲେଖିଛନ୍ତି ଯେ କ୍ରିକେଟ୍ କେବଳ ଖେଳ ନୁହେଁ, ଏହାଠାରୁ ବହୁତ ଅଧିକ। ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି ଯେ ରସେଲଙ୍କୁ ଏହି ଅବସ୍ଥାରେ ଦେଖି ଯେକୌଣସି ବ୍ୟକ୍ତି ଦୁଃଖିତ ହୋଇପଡ଼ିବ। ଆଉ ଜଣେ ଫ୍ୟାନ ଲେଖିଛନ୍ତି, ରସେଲ ଏଭଳି ଏକ ଇନିଂସ ଖେଳି କୋଲକତା ଦଳ ପାଇଁ ଗର୍ବ ଆଣିଛନ୍ତି।

ୱାଙ୍ଖଡ଼େ ଷ୍ଟାଡିୟମରେ କୋଲକତା ଟସ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଡୁ-ପ୍ଲେସିସଙ୍କ ୯୫ ରନ୍ (ନଟ୍ ଆଉଟ୍) ଏବଂ ରିତୁରାଜ ଗାଇକ୍ୱାଡ଼ଙ୍କ ୬୪ ରନ୍ ଯୋଗୁଁ ଚେନ୍ନାଇ ୨୨୦/୩ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ୨୨୧ ରନର ବିଜୟ ଲକ୍ଷ୍ୟ ନେଇ କୋଲକତା ମଇଦାନକୁ ଓହ୍ଲାଇଥିବା ବେଳେ ୧୯.୧ ଓଭରରେ ମୋଟ ୨୦୨ ରନ କରି ଅଲଆଉଟ ହୋଇଯାଇଥିଲା।

ଗୋଟିଏ ସମୟରେ କେକେଆର୍ ମାତ୍ର ୩୧ ରନ କରି ପାଞ୍ଚଟି ୱିକେଟ୍ ହରାଇ ସାରିଥିଲା। ତେବେ କମିନ୍ସ କେକେଆରକୁ ମ୍ୟାଚରେ ନୂଆ ଜୀବନ ଦେଇଥିଲେ। ସେ ନଟ୍ ଆଉଟ୍ ରହିବା ସହ ୩୪ ବଲ୍ ଖେଳି ଧୁଆଁଧାର ୬୬ ରନ୍ ସଂଗ୍ରହ କରିଥିଲେ। ହେଲେ ତାହା ଦଳକୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ନଥିଲା। ସେପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ସର୍ବାଧିକ ୪ଟି ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ।

କୋଲକାତା ନାଇଟ୍ ରାଇଡର୍ସର ଏହା କ୍ରମାଗତ ତୃତୀୟ ପରାଜୟ। କେକେଆରର ପରବର୍ତ୍ତୀ ମ୍ୟାଚ୍ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରହିଛି। ଏହି ମ୍ୟାଚ ମଧ୍ୟ ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ।

You might also like