IPL 2021: ଡ୍ରେସିଂ ରୁମରେ ଚେନ୍ନାଇର ଏହି ବ୍ୟାଟ୍ସମ୍ୟାନଙ୍କ ନକଲ କରୁଥିଲେ ଜାଡେଜା, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ: ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିବା ବେଳେ ୨୦୨୧ ଆଇପିଏଲରେ ଜବରଦସ୍ତ କମବ୍ୟାକ୍ କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଚେନ୍ନାଇ ପରାଜୟ ସ୍ୱୀକାର କରିବା ପରେ ଦଳ ଫର୍ମକୁ ଫରିଛି। ଏହାପରେ ଦଳ ଲଗାତାର ତିନୋଟି ମ୍ୟାଚ୍ ଜିତିସାରିଲାଣି। ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ରହିଥିବା ବେଳେ ୬ ପଏଣ୍ଟ ସହ ଦୁଇ ନମ୍ବର ସ୍ଥାନରେ ରହିଛି ଚେନ୍ନାଇ। ଏହି ସିଜିନରେ ଦଳର ଉଭୟ ବୋଲିଂ ଏବଂ ବ୍ୟାଟିଂ ପ୍ରଭାବଶାଳୀ ରହିଥିବା ଦେଖାଯାଇଛି। ବିଶେଷ କରି ସିନିୟର ଖେଳାଳିମାନେ ସେମାନଙ୍କର ଦାୟିତ୍ୱ ଭଲ ଭାବେ ତୁଲାଉଛନ୍ତି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ୧୮ ରନରେ ଦଳ ବିଜୟ ହାସଲ କରିଥିବା ବେଳେ ଏଥିରେ ମଧ୍ୟ ସିନିୟର ଖେଳାଳିଙ୍କ ମୁଖ୍ୟ ଭୁମିକା ରହିଛି।

ଚେନ୍ନାଇର ଓପନିଂ ବ୍ୟାଟ୍ସମ୍ୟାନ ଫାଫ୍ ଡୁପ୍ଲେସି କେକେଆର୍ ବିପକ୍ଷରେ ୬୦ ବଲ ଖେଳି ୯୫ ରନ କରିଥିବା ବେଳେ ନଟଆଉଟ ରହିଥିଲେ। ସେଥିରେ ତାଙ୍କର ୯ଟି ଚୌକା ଓ ୪ ଛକା ସାମିଲ ଅଛି। ଡୁପ୍ଲେସିଙ୍କ ୯୫ ରନ ଯୋଗୁଁ ଦଳ ୨୦ ଓଭରରେ ୨୨୦ ରନ୍ ସଂଗ୍ରହ କରିବା ସହ ଭଲ ସ୍ଥିତିରେ ପହଞ୍ଚି ପାରିଥିଲା। ଏହି ଇନିଂସ ପରେ ସିନିୟର ଖେଳାଳି ଏବଂ ସାଥୀ ଖେଳାଳିମାନେ ଡୁପ୍ଲେସିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ବିଶେଷକରି ଏହି ମ୍ୟାଚ୍‌ରେ ଛକା ମାରି ଚେନ୍ନାଇର ଇନିଂସ ଶେଷ କରିଥିବା ଅଲରାଉଣ୍ଡର ରବିଦ୍ରା ଜାଡେଜା ଡୁପ୍ଲେସିଙ୍କ ନକଲ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଜାଡେଜା ଡ୍ରେସିଂ ରୁମରେ ବ୍ୟାଟ୍ ଧରିଥିବା ନଜର ଆସୁଛନ୍ତି। ଏହାପରେ ସେ ଡୁପ୍ଲେସିଙ୍କ ଭଳି ଆକ୍ସନ କରୁଥିବା ଦେଖାଯାଇଛି। ଡୁପ୍ଲେସିଙ୍କ ଷ୍ଟାଇଲ କପି କରି ଜାଡେଜା ସମସ୍ତଙ୍କୁ ହସାଉଛନ୍ତି। ଜାଡେଜାଙ୍କ ଆକ୍ଟିଂ ଦେଖି ମଧ୍ୟ ସେଠାରେ ଉପସ୍ଥିତ ସବୁ ଖେଳାଳିମାନେ ଖୁବ ମଜା ନେଉଛନ୍ତି। ଏହି ମ୍ୟାଚରେ ଡୁପ୍ଲେସି ପ୍ରଥମ ୱିକେଟ୍ ପାଇଁ ରିତୁରାଜ ଗାଇକ୍ୱାଡ଼ଙ୍କ ସହ ମିଶି ୧୧୫ ରନ ଯୋଡ଼ିଥିବା ବେଳେ ମୋଏନ୍ ଅଲ୍ଲୀଙ୍କ ସହ ମିଶି ୫୩ ରନର ଭାଗିଦାରୀ କରିଥିଲେ।

ଏହି ମ୍ୟାଚରେ ୯୫ ରନ କରିଥିବା ଡୁପ୍ଲେସିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚନା କରାଯାଇଥିଲା। ଏହି ସିଜନରେ ଚେନ୍ନାଇ ପାଇଁ ସର୍ବାଧିକ ରନ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ଡୁପ୍ଲେସି। ସେ ୪ଟି ମ୍ୟାଚ ଖେଳିଥିବା ବେଳେ ୮୨ ହାରରେ ୧୬୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଗୋଟିଏ ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି।

You might also like