ସଞ୍ଜୁ ସାମସନ କହିଲେ ମୋରିସଙ୍କ ପ୍ଲାନ ଭିନ୍ନ ଥିଲା, ଯାହା ଆମେ ତାଙ୍କ ଆଖିରୁ ବାରି ପାରିଥିଲୁ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ଚମତ୍କାର ବିଜୟ ପରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ବୋଲରମାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ରାଜସ୍ଥାନ ରୟାଲ୍ସ ସେହି ମ୍ୟାଚରେ କୋଲକାତାକୁ ୬ ୱିକେଟରେ ପରାସ୍ତ କରିଥିଲା। ତେଣୁ ସଞ୍ଜୁ ସାମସନ କହିଛନ୍ତି ଯେ, ତାଙ୍କ ଦଳର ବୋଲରମାନେ ଗତ ଚାରି-ପାଞ୍ଚଟି ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୁ, ଏହି ବିଜୟର ସମସ୍ତ ଶ୍ରେୟ ବୋଲରମାନଙ୍କୁ ଦେଇଛନ୍ତି। ସେ କହିଛନ୍ତି ମ୍ୟାଚରେ ବୋଲରମାନେ ଖୁବ ଉଚ୍ଚ କୋଟିର ପ୍ରଦର୍ଶନ କରିଛନ୍ତି। ସିନିୟର ବୋଲର ମାନଙ୍କ ସହ ମିଶି ଯୁବ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ମୋତେ ସେହି ଟିମର ନେତତ୍ୱ ନେବାକୁ ଖୁସି ଅନୁଭବ ହେଉଛି।

ମ୍ୟାଚ୍‌ରେ ୪୧ ବଲରୁ ୪୨ରନ କରି ନଟଆଉଟ ରହିଥିବା ସଞ୍ଜୁ ସାମସନ କହିଛନ୍ତି ଯେ, ମୁଁ ବ୍ୟାଟିଂ ବିଷୟରେ ବାହାରୁ କିଛି ବି ଚିନ୍ତା କରି ଆସିନଥାଏ। ପଡ଼ିଆରେ ପହଞ୍ଚିବା ପରେ ପରିସ୍ଥିତି ଅନୁଯାୟୀ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରେ। ମୁଁ ବ୍ୟାଟିଂ କରିବାକୁ ପସନ୍ଦ କରେ। ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା ହୋଇଥିବା କ୍ରିସ୍ ମୋରିସଙ୍କୁ ପ୍ରଶଂସା କରି ସଞ୍ଜୁ କହିଥିଲେ ଯେ, ସେ ବଡ଼ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେବାକୁ ଚାହୁଁଥିଲେ। ଏମିତିକି ସେ କହିଥିଲେ ଯେ, ମୋରିସଙ୍କ ଆଖିରେ ବଡ଼ ବ୍ୟାଟ୍ସମ୍ୟାନଙ୍କ ୱିକେଟ ନେବାର ଭୋକ ସେ ଦେଖିଥିଲେ।

ତେବେ ଏହି ମ୍ୟାଚ୍‌ରେ ୪ ଓଭରରେ ମାତ୍ର ୨୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ମୋରିସ୍ କହିଛନ୍ତି, ଏହି ପିଚ୍‌ରେ ବ୍ୟାଟିଂ କରିବା ସହଜ ନଥିଲା। କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଉଭୟ ଦଳ ବ୍ୟାଟିଂ କରିବା ବେଳେ ସମସ୍ୟାରେ ଥିବା ଦେଖାଯାଇଥିଲା। ବ୍ୟାଟ୍ସମ୍ୟାନଙ୍କ ପାଇଁ ରନ ସଂଗ୍ରହ କରିବା ବା ଭଲ ସଟ ଖେଳିବା କଷ୍ଟ ଥିଲା। ସେ ଆହୁରି କହିଛନ୍ତି ଯେ ବେନ୍ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚରଙ୍କ ପରି ବଡ଼ ଖେଳାଳିମାନେ ଆଘାତ କାରଣରୁ ଦଳରୁ ବାହାରେ ବସିଥିଲେ। ଯାହାକି ଦଳ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଇପାରେ। କିନ୍ତୁ ଆମ ଦଳରେ ସେମାନଙ୍କର ବିକଳ୍ପ ମଧ୍ୟ ରହିଛି।

ସେପଟେ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇୟନ ମୋର୍ଗାନ, ବିଚରା ବ୍ୟାଟ୍ସମ୍ୟାନ ମାନଙ୍କୁ ପରାଜୟ ପାଇଁ ଦାୟୀ କରିଛନ୍ତି। ସେ ସିଧାସଳଖ କହିଛନ୍ତି ଯେ, ବ୍ୟାଟ୍ସମ୍ୟାନମାନେ ଆମକୁ ନିରାଶ କରିଛନ୍ତି। ଆମେ ଆରମ୍ଭରୁ ପଛରେ ଥିଲୁ। ମ୍ୟାଚରେ ଯେତେବେଳେ ଆମେ ଆକ୍ରାମକ ଢ଼ଙ୍ଗରେ ଖେଳି ରନ ସଂଗ୍ରହ କରିବାକୁ ଚାହିଁଲୁ, ସେତେବେଳେ ଆମେ ୱିକେଟ ହରାଇଲୁ।

ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ୫ଟି ମ୍ୟାଚରୁ ୪ ପଏଣ୍ଟ ସହ ପାଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। କିନ୍ତୁ ଏହି ସମାନ ସଂଖ୍ୟକ ମ୍ୟାଚରେ, କ୍ରମାଗତ ଚତୁର୍ଥ ପରାଜୟ ସତ୍ତ୍ୱେ କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲର ଶେଷ ସ୍ଥାନକୁ ଖସି ଆସିଛି।

You might also like