ପୁଅର କ୍ରିକେଟ୍ କ୍ୟାରିୟର ପାଇଁ ବାପା ଛାଡ଼ିଥିଲେ ପୋଲିସ ଚାକିରି, ପୁଅ ଆଜି IPL ଟିମ୍ କ୍ୟାପଟେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳର ଦାୟିତ୍ୱ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁସାମସନଙ୍କୁ ଦିଆଯାଇଛି । ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ୨୦୧୭ ଆଇପିଏଲରେ ର୍ଚଚ୍ଚାକୁ ଆସିଥିଲା । ସେ ଆଇପିଏଲର ଦଶମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବେଳେ ମାତ୍ର ୬୩ ବଲରେ ଧୁଆଁଧାର ଶତକ ସହ ୧୦୨ ରନ୍ କରିଥିଲେ । ଏହା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ ।

ସଞ୍ଜୁ ସାମସନ୍ ଏବେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ଏଥିପାଇଁ ତାଙ୍କ ବାପାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସଞ୍ଜୁଙ୍କ କ୍ରିକେଟ୍ କ୍ୟାରିୟରକୁ ଆଗକୁ ନେବା ପଛରେ ତାଙ୍କ ପିତାଙ୍କର ବଡ଼ ହାତ ରହିଛି । ସଞ୍ଜୁଙ୍କ କ୍ରିକେଟ୍ ପାଇଁ ତାଙ୍କ ପିତା ବିଶ୍ୱନାଥ ସାମସନ୍ ଦିଲ୍ଲୀ ପୋଲିସର କନଷ୍ଟେବଳ ଚାକିରି ମଧ୍ୟ ଛାଡିଦେଇଛନ୍ତି । ସେ ସଞ୍ଜୁଙ୍କୁ ଯେକୌଣସି ପରିସ୍ଥିତିରେ ବି କ୍ରିକେଟର ଭାବେ ଦେଖିବାକୁ ଚାହୁଁଥିଲେ । ଯେତେବେଳେ ସଞ୍ଜୁଙ୍କୁ ଦିଲ୍ଲୀ ଅଣ୍ଡର-୧୩ ଟିମରେ ସ୍ଥାନ ମିଳିଲା ନାହିଁ, ସେତେବେଳେ ବିଶ୍ୱନାଥ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଏବଂ ପରିବାର ସହ ନିଜ ସହର ଥିରୁବନନ୍ତପୁରମକୁ ଫେରି ଯାଇଥିଲେ । ସଞ୍ଜୁ ସେତେବେଳେ ଦିଲ୍ଲୀର ରୋଜାରୀ ସିନିୟର ସେକେଣ୍ଡାରୀ ସ୍କୁଲର ଛାତ୍ର ଥିଲେ ।

ସଞ୍ଜୁଙ୍କ କ୍ରିକେଟ୍ ଯାତ୍ରାରେ ପିତା ବିଶ୍ୱନାଥଙ୍କ ବଡ଼ ଭୁମିକା ରହିଛି । ସବୁ କଥାରେ ପିତାଙ୍କ ହସ୍ତକ୍ଷେପ କାରଣରୁ ୨୦୧୬ରେ ତାଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ଡିସେମ୍ବର ୨୦୧୬ରେ ରଣଜୀ ଟ୍ରଫି ମ୍ୟାଚ୍ ସମୟରେ ସଞ୍ଜୁ ଦଳ ସହ ହୋଟେଲରେ ନରହି ଅନ୍ୟ ସ୍ଥାନରେ ରହିଥିଲେ । ଏହା ପରେ କେସିଏ ସଭାପତି ଟି.ସି. ମାଥ୍ୟୁଙ୍କ ସହ ବିୱନାଥଙ୍କ କଥାବାର୍ତ୍ତା ଏହି ମାମଲାକୁ ଆହୁରି ଗମ୍ଭୀର କରି ଦେଇଥିଲା।

କେରଳ କ୍ରିକେଟ୍ ଆସୋସିଏସନ ପକ୍ଷରୁ ସଞ୍ଜୁ ସାମସନଙ୍କୁ, ପରିଧି ଭିତରେ ରହିବାକୁ କଡ଼ା ଚେତାବନୀ ସହ କ୍ଷମା ଦିଆଯାଇଥିଲା । ଏଥିସହିତ ସଞ୍ଜୁଙ୍କ ପିତାଙ୍କୁ କହିଥିଲେ ଯେ, ସେ ତାଙ୍କ ପୁଅଙ୍କ ସହ ମଇଦାନକୁ ଆସିବେ ନାହିଁ କିମ୍ବା କୌଣସି ପ୍ରକାର କ୍ରିକେଟ୍ ପ୍ରସଙ୍ଗରେ  ହସ୍ତକ୍ଷେପ କରିବେ ନାହିଁ ।

ସଞ୍ଜୁ ସାମସନ୍ ଏବେ ସୁଦ୍ଧା ଭାରତ ପାଇଁ ୭ଟି ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ସାରିଛନ୍ତି । ସେ ୧୧.୮୬ ହାରରେ ୮୩ ରନ୍ କରିଛନ୍ତି । ଏଥି ସହିତ, ସଞ୍ଜୁ ସାମସନ୍ ଆଇପିଏଲରେ ୧୦୭ଟି ମ୍ୟାଚ୍ ଖେଳି ୨୭.୭୮ହାରରେ ୨୫୮୪ରନ୍ କରିଛନ୍ତି । ସେ ନିଜ ଆଇପିଏଲ କ୍ୟାରିୟରରେ ୨ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିସାରିଛନ୍ତି ।

You might also like