IPL 2021: ୪.୨ କୋଟି ଟଙ୍କାରେ ଏହି ଖେଳାଳିଙ୍କୁ କିଣିଥିଲେ ପ୍ରତିଜିଣ୍ଟା, ସମ୍ପୂର୍ଣ୍ଣ ଲସରେ ପଡ଼ିଲେ..

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୪ ତମ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନଙ୍କ ଅତ୍ୟନ୍ତ ଖରାପ ପ୍ରଦର୍ଶନ। ଏହି ପୁରା ସିଜିନରେ ପୁରନଙ୍କ ପ୍ରଦର୍ଶନ ଫ୍ଲପ ରହିଛି। ପୁରନଙ୍କ ନାଁରେ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଯାଇଛି। ବୁଧବାର ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ମ୍ୟାଚରେ ସେ କୌଣସି ବଲ ନଖେଳି ମଧ୍ୟ ଆଉଟ ହୋଇଥିଲେ। ଆଉ ଏହାକୁ ମିଶାଇ ସେ ଏବେ ସୁଦ୍ଧା ୩ ଥର ଖାତା ନ ଖୋଲି ପ୍ୟାଭିଲିୟନ ଫେରିସାରିଛନ୍ତି।

ବୁଧବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ନିକୋଲାସ୍ ପୁରାନ୍ ‘ଡାଇମଣ୍ଡ ଡକ୍’ର ଶିକାର ହୋଇଛନ୍ତି। ଜଣେ ବ୍ୟାଟ୍ସମ୍ୟାନ୍ ଯେତେବେଳେ କୌଣସି ବଲ୍ ନଖେଳି ଆଉଟ ହୁଅନ୍ତି, ତାକୁ ‘ଡାଇମଣ୍ଡ ଡକ୍’ କୁହାଯାଏ। ମାୟଙ୍କ ଅଗ୍ରୱାଲ ଆଉଟ ହେବା ପରେ ନିକୋଲାସ ପୁରନ ପଡ଼ିଆକୁ ଓହ୍ଲାଇଥିଲେ। ସପ୍ତମ ଓଭରର ପ୍ରଥମ ବଲ ପଡ଼ିଥିଲା, କ୍ରିସ୍ ଗେଲ ଅପ୍ ସାଇଡରେ ବଲକୁ ହାଲୁକା ଭାବେ ଖେଳିଥିଲେ ଏବଂ ସିଙ୍ଗଲ ରନ୍ ନେବା ପାଇଁ ଦୌଡ଼ିଥିଲେ। ହେଲେ ବିପରୀତ ଦିଗରୁ ଆସି ପୁରନ କ୍ରିଜରେ ପହଞ୍ଚିବା ପୂର୍ବରୁ ଡେଭିଡ୍ ୱାର୍ଣ୍ଣର ଷ୍ଟିକ୍ ଥ୍ରୋ କରିଥିଲେ। ଆଉ ବଲ ଯାଇ ସିଧା ୱିକେଟରେ ବାଜିଥିଲା। ପୁରନ କୌଣସି ବଲ ନଖେଳି ପ୍ୟାଭିଲିୟନ ଫେରିଥିଲେ।

Nikolas Puran

ଆଇପିଏଲ ୨୦୨୧ରେ ଏବେ ସୁଦ୍ଧା ନିକୋଲାସ ୪ଟି ଇନିଂସ ଖେଳିଥିବା ବେଳେ ୩ ଥର ଶୂନରେ ଆଉଟ ହୋଇସାରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ଗୋଟିଏ ବଲର ସମ୍ମୁଖୀନ ହୋଇ ଆଉଟ ହୋଇଥିଲେ। ଏହା ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମାତ୍ର ଦୁଇଟି ବଲ ଖେଳିବାରେ ସକ୍ଷମ ହୋଇଥିଲେ। ଆଉ ଏବେ ସନରାଇଜର୍ସ ବିପକ୍ଷରେ କୌଣସି ବଲ ନ ଖେଳି ପାଭିଲିୟନକୁ ଫେରିଛନ୍ତି। ଅର୍ଥାତ୍ ପୁରନ ‘ଡାଇମଣ୍ଡ ଡକ୍’ ବ୍ୟତୀତ ‘ଗୋଲ୍ଡେନ ଡକ୍’ ଏବଂ ‘ସିଲଭର ଡକ୍’ର ଶିକାର ମଧ୍ୟ ହୋଇସାରିଛନ୍ତି।

‘ଗୋଲଡେନ୍ ଡକ୍‘ ତାକୁ କୁହନ୍ତି, ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ୍ ପ୍ରଥମ ବଲରେ କୌଣସି ରନ୍ ନକରି ଆଉଟ୍ ହୋଇଥାଏ। ସେହିଭଳି ‘ସିଲଭର ଡକ୍’ ହେଉଛି ଯଦି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଟି ବଲ ଖେଳି କୌଣସି ରନ୍ ନକରି ଆଉଟ ହୁଏ। ତେବେ ନିକୋଲାସ୍ ପୁରନ୍ ଏହି ତିନିଟି ଯାକର ଶିକାର ହୋଇ ଅଲୋଡ଼ା ରେକର୍ଡ ନିଜ ନାଁରେ କରିଛନ୍ତି।

Nikolas Puran

ନିକୋଲାସ ପୁରନଙ୍କୁ ପଞ୍ଜାବ କିଙ୍ଗ୍ସ ଚଳିତ ସିଜିନ ପାଇଁ ୪.୨ କୋଟି ଟଙ୍କାରେ କିଣିଛି। ୨୦୧୯ ଆଇପିଏଲରେ ପୁରନ ଡେବ୍ୟୁ କରିଥିଲେ। ସେହିଥର ପୁରନ ୭ଟି ମ୍ୟାଚ ଖେଳି ୨୮ ହାରରେ ମୋଟ ୧୬୮ ରନ୍ କରିବାରେ ସକ୍ଷମ ହୋଇଥିଲେ। ତେବେ ୨୦୨୦ ଆଇପିଏଲରେ ପୁରନ ୧୪ ଟି ମ୍ୟାଚ୍ ଖେଳି ୩୫.୩୦ ହାରରେ ୩୫୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ୨୦୨୦ରେ ପୁରନ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

You might also like