କୋଲକତା ଜାଲରେ ଫସିଲା ମୁମ୍ବାଇ ଇଣ୍ଡିଆନ୍ସ, ମାତ୍ର ୧୧ ରନରେ ହରାଇଲା ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ !

ନୂଆଦିଲ୍ଲୀ: ଆଇପିଏଲରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏଥର ନିଜ ଦ୍ୱିତୀୟ ମ୍ୟାଚରେ ବି ବଡ଼ ସ୍କୋର କରିବାରେ ବିଫଳ ହୋଇଛି। କୋଲକତା ବିରୋଧରେ ଆଜି ପ୍ରଥମେ ମଇଦାନକୁ ଓହ୍ଲାଇ ମୁମ୍ବାଇ ଦଳ ର୍ନିଦ୍ଧାରିତ ୨୦ ଓଭରରେ ୧୦ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିପାରିଛି। କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ବି ମୁମ୍ବାଇ ୧୬୦ ରନ୍‌ ଛୁଇଁ ପାରି ନାହିଁ। ଏପରିକି ଏହି ଟି-୨୦ ଲିଗର ଓପନିଂ ମ୍ୟାଚରେ ବି ଦଳ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ମାତ୍ର ୧୫୯ ରନରେ ସୀମିତ ଥିଲା। ପ୍ରଥମ ମ୍ୟାଚରେ ଆରସିବି ବିପକ୍ଷରେ ଦଳ ଶେଷ ଓଭରରେ ପରାଜିତ ହୋଇଥିଲା।

କୋଲକାତା ଅଧିନାୟକ ଆଏନ୍ ମାର୍ଗନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ପ୍ରଥମ ୫ ଓଭର ଅର୍ଥାତ୍ ପାୱାର ପ୍ଲେ ବେଳେ ସ୍ପିନ୍ ବୋଲରଙ୍କୁ ବ୍ୟବହାର କରାଯାଇଥିଲା। ମ୍ୟାଚର ଦ୍ୱିତୀୟ ଓଭରରେ ହିଁ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ କିଟ୍ଟନ୍ ଡି କକ୍ (୨) ଙ୍କୁ ଆଉଟ କରି ଦଳକୁ ଏକ ବଡ଼ ସଫଳତା ଦେଇଥିଲେ। ଏଥିପାଇଁ ମୁମ୍ବାଇ ଦଳ ପ୍ରଥମ ୬ ଓଭରରେ ମାତ୍ର ୪୨ ରନ୍ ସଂଗ୍ରହ କରିପାରିଥିଲା। ତେବେ ରୋହିତ ଶର୍ମା (୪୩) ଏବଂ ସୂର୍ଯ୍ୟକୁମାର ଯାଦବ (୫୬) ଦ୍ୱିତୀୟ ୱିକେଟରେ ଦଳ ପାଇଁ ୭୬ ରନ୍ ଯୋଡି ଦଳକୁ ଏକ ଭଲ ସ୍ଥିତିକୁ ଆଣିଥିଲେ।

ମୁମ୍ବାଇର ଦଳୀୟ ସ୍କୋର ୧୧୫ ଥିବା ବେଳେ ମାତ୍ର ୩ ୱିକେଟ ହରାଇଥିଲା ଦଳ। ହେଲେ ପରବର୍ତ୍ତୀ ୧୧ ରନ୍ ସଂଗ୍ରହ କରିବା ମଧ୍ୟରେ ଦଳ ଆଉ ୪ଟି ୱିକେଟ ହରାଇସାରିଥିଲା। ରୋହିତ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ ଏବଂ ମାର୍କୋ ଜେନସନ୍ ଖୁବ୍ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ଏହା ପରେ ଲାଗୁଥିଲା ଯେ, ଦଳ ସଙ୍ଗେ ସଙ୍ଗେ ଅଲଆଉଟ ହୋଇ ପ୍ୟାଭିଲିୟନ ଫେରିଯିବ। ମାତ୍ର କୃଣାଲ ପାଣ୍ଡିଆ ୧୫ ରନ କରି ଦଳୀୟ ସ୍କୋରକୁ ୧୫୦ରୁ ଉପରକୁ ଉଠାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ପୁରା ଟିମ୍ ୨୦ ଓଭରରେ ୧୫୨ ରନ୍ କରି ଅଲଆଉଟ ହୋଇଥିଲା।

କୋଲକତା ପକ୍ଷରୁ ଏହି ମ୍ୟାଚରେ ରସଲେ ଚମତ୍କାର ପ୍ରଦର୍ଶନ କରିଥିଲେ। ରସେଲଙ୍କୁ ୧୮ ତମ ଓଭରରେ ବୋଲିଂ କରିବାର ସୁଯୋଗ ମିଳିଥିଲା। ସେ ପ୍ରଥମ ଓଭରରେ ପୋଲାର୍ଡ ଏବଂ ଜେନସନଙ୍କୁ ଆଉଟ୍ କରିଥିଲେ। ଶେଷ ଓଭରରେ ସେ ଆଉ ତିନୋଟି ୱିକେଟ୍ ନେଇଥିଲେ। ରସେଲ ୨୦ ତମ ଓଭରରେ କୃଣାଲ, ରାହୁଲ ଚହର ଏବଂ ଜସପ୍ରୀତ ବୁମ୍ରାଙ୍କ ୱିକେଟ ନେଇଥିଲେ। ରସେଲ ୨ ଓଭରରେ ୧୫ ରନ୍ ଦେଇ ୫ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ୩୫୦ ତମ ଟି -୨୦ ମ୍ୟାଚ ଖେଳୁଥିବା ରସେଲ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ୫ ୱିକେଟ୍ ହାସଲ କରିଛନ୍ତି। ମୁମ୍ବାଇ ଓ କେକେଆର ମଧ୍ୟରେ ଖେଳାଯାଇଥିବା ଗତ ୧୧ଟି ମ୍ୟାଚ ମଧ୍ୟରୁ ମୁମ୍ବାଇ ୧୦ଟି ମ୍ୟାଚ ଜିତିଛି। କିନ୍ତୁ ଆଜିର ଏହି ମ୍ୟାଚରେ କେକେଆରର ବୋଲିଂ ଉଚ୍ଚକୋଟିର ଥିଲା।

You might also like