ବାଙ୍ଗଲୋର ଆଗରେ ୧୬୦ ରନର ଲକ୍ଷ୍ୟ, କୋହଲି-ମ୍ୟାକ୍ସୱେଲ ଜବରଦସ୍ତ ଫର୍ମରେ

ଶୁକ୍ରବାର ଆରମ୍ଭ ହୋଇଯାଇଛି ଆଇପିଏଲ ମହାକୁମ୍ଭ। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୫୯ ରନ୍ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ ଲିନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସୂର୍ଯ୍ୟକୁମାର ଯାଦବ ୩୧ ରନ କରିଛନ୍ତି। ଏହା ପଛକୁ ଇଶାନ କିଷାନ ୨୮ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୯ ରନ କରି ପ୍ୟାଭିଲିୟନ ଫେରିଥିଲେ।

ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋର ମାତ୍ର ୨୪ ରନ୍ ଥିବା ବେଳେ ପ୍ରଥମେ ରୋହିତ ଶର୍ମା ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଦ୍ୱିତୀୟ ୱିକେଟ ଭାବେ ଦଳୀୟ ସ୍କୋର ୯୪ ରନ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିୟନ ଫେରିଥିଲ। ପରେ ଦଳୀୟ ସ୍କୋର ୧୦୫ ରନରେ କ୍ରିସ ଲିନ୍, ୧୩୫ ରନ ବେଳେ ହାର୍ଦ୍ଦିକ ପାଣ୍ଡିଆ, ୧୪୫ ବେଳେ ଇଶାନ କିଷାନ ଏବଂ ୧୫୮ ରନ୍ ବେଳେ କୃଣାଲ ପାଣ୍ଡିଆ, ପୋଲାର୍ଡ ଏବଂ ମାର୍କୋ ଜେନସେନଙ୍କ ୱିକେଟ ଯାଇଥିଲା। ଏହାପରେ ଦଳୀୟ ସ୍କୋର ଆଉ ମାତ୍ର ୧ ରନ ବଢ଼ିଥିଲା ଏବଂ ଶେଷ ୱିକେଟ ଭାବେ ରାହୁଲ ଚହରଙ୍କ ୱିକେଟ ଯାଇଥିଲା।

ତେବେ ୧୬୦ ରନର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟ ଅରମ୍ଭରୁ ଝଟକା ଖାଇଛି। ବାଙ୍ଗଲୋରର ଦୁର୍ଦଶ ବ୍ୟାଟ୍ସମ୍ୟାନ ୱାସିଂଟନ ସୁନ୍ଦର ମାତ୍ର ୧୦ ରନ୍ କରି ପ୍ୟାଭିଲିୟନ ଫେରିଥିବା ବେଳେ ରଜତ ପଟ୍ଟିଦାର ମାତ୍ର ୮ ରନ୍ କରି ଆଉଟ ହୋଇଛନ୍ତି। ୬ ଓଭରରେ ୪୬ ରନ୍ କରିଥିବା ବେଳେ ଦଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସାରିଛି। ଏବେ ମଇଦାନରେ ରହିଛନ୍ତି ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସୱେଲ। ଉଭୟ ବ୍ୟାଟ୍ସମ୍ୟାନ ଭଲ ଫର୍ମ ଥିବା ଦେଖାଯାଉଛି। ଏବେ ସୁଦ୍ଧା ବିରାଟ କୋହଲି ମାତ୍ର ୧୭ଟି ବଲ ଖେଳି ୨୩ ରନ କରିଛନ୍ତି।

ମ୍ୟାକ୍ସୱେଲ କିଛି ଦିନ ହେବ ରିଭର୍ସ ସ୍ୱିପ୍ ସଟ୍ ଅଭ୍ୟାସ କରୁଥିଲେ। ସେହି ଅଭ୍ୟାସର ଫଳାଫଳ ଆଜି ମ୍ୟାଚରେ ଦେଖିବାକୁ ମିଳିଛି। ଆରମ୍ଭରୁ ମାତ୍ର ଗୋଟିଏ ବଲ ବିଟ୍ ହେବା ପରେ ମ୍ୟାକ୍ସୱେଲ ସଫଳତାର ସହ ରିଭର୍ସ ସ୍ୱିପ୍ ବାରମ୍ବାର ଖେଳୁଥିବା ଦେଖାଯାଇଛି।

ଏବେ ସୁଦ୍ଧା ମୁମ୍ବାଇ ଓ ବାଙ୍ଗଲୋର ମଧ୍ୟରେ ‍ମୋଟ ୨୭ଟି ମ୍ୟାଚ୍ ଖେଳାଯାଇଛି। ସେଥିରୁ ୧୭ଟି ମ୍ୟାଚ୍ ମୁମ୍ବାଇ ଜିତିଥିବା ବେଳେ ୧୦ଟି ମ୍ୟାଚ୍ ବାଙ୍ଗଲୋର ଜିତିଛି। ଆଜିର ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି।

You might also like