ମ୍ୟାଚ୍ ପୂର୍ବରୁ ହଠାତ୍ ହରଭଜନଙ୍କ ପାଦ ଛୁଇଁଲେ ସୁରେଶ ରାଇନା, ଭିଡିଓ ଭାଇରାଲ..

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ରେ ଗତ ବୁଧବାର କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ। ହାଇସ୍କୋର ମ୍ୟାଚ ଥିଲା। ହେଲେ ଚେନ୍ନାଇ ଏହି ମ୍ୟାଚକୁ ୧୮ ରନରେ ଜିତି ନେଇଥିଲା।

ତେବେ ଏହି ମ୍ୟାଚ୍ ପୂର୍ବରୁ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ଅଭ୍ୟାସ ପର୍ବ ଚାଲିଥିଲା ସେତେବେଳେ ଚେନ୍ନାଇର ବ୍ୟାଟ୍ସମ୍ୟାନ ସୁରେଶ ରାଇନା କୋଲକତାର ସ୍ପିନର ହରଭଜନ ସିଂଙ୍କ ପାଦ ଛୁଇଁଥିଲେ। ରାଇନା ଯେତେବେଳେ ପାଦ ଛୁଇଁଲେ ସେତେବେଳେ ହରଭଜନ ତାଙ୍କୁ ଆଲିଙ୍ଗନ କରି ନେଇଥିଲେ। ମଇଦାନରେ ଏହି ଦୁଇ ଭେଟେରାନ ଖେଳାଳିଙ୍କ ଏଭଳି ବନ୍ଧୁତ୍ୱ ଦେଖି ଫ୍ୟାନମାନେ ମଧ୍ୟ ବେଶ ଖୁସି ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି।

ହରଭଜନ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି। ଏହି ସମୟରେ ରାଇନା ମଧ୍ୟ ଏହି ଦଳରେ ଥିଲେ। ଏହି ସିଜିନ ଆରମ୍ଭ ପୂର୍ବରୁ, ଚେନ୍ନାଇ ହରଭଜନଙ୍କୁ ରିଲିଜ କରିଦେଇଥିଲା, ତେଣୁ କୋଲକାତା ତାଙ୍କୁ କିଣିଥିଲା। ବୁଧବାର ଚେନ୍ନାଇ ବିପକ୍ଷ ମ୍ୟାଚରେ ହରଭଜନ କୋଲକତା ଦଳର ପ୍ଲେଇଂ -୧୧ର ଅଂଶ ହୋଇନଥିଲେ। ଅନ୍ୟପଟେ ରାଇନାଙ୍କୁ ମଧ୍ୟ ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବାର ସୁଯୋଗ ମିଳି ନଥିଲା।

ହରଭଜନ ଏହି ସିଜନରେ ଏବେ ସୁଦ୍ଧା ମାତ୍ର ତିନୋଟି ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୭ ଓଭର ବୋଲିଂ କରିଥିବା ବେଳେ ମୋଟ ୬୩ ରନ୍ ଦେଇଛନ୍ତି। ହେଲେ ତାଙ୍କୁ ଏବେ ସୁଦ୍ଧା ଗୋଟିଏ ବି ୱିକେଟ୍ ମିଳିନାହିଁ।

ଇରଫାନ୍ ମଧ୍ୟ ରାଇନାଙ୍କୁ ପ୍ରଶଂସା କରିଥିଲେ

ହରଭଜନଙ୍କ ପାଇଁ ରାଇନାଙ୍କ ମନରେ ଏଭଳି ସମ୍ମାନ ଦେଖି ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଷ୍ଟାର୍ ସ୍ପୋର୍ଟସର ପ୍ରି-ମ୍ୟାଚ୍ ଶୋ’ରେ ଇରଫାନ କହିଛନ୍ତି ଯେ, ଯେତେବେଳେ ଖେଳାଳିମାନେ ଦୀର୍ଘ ବର୍ଷ ଧରି ଏକାଠି ଖେଳନ୍ତି ଏବଂ ବିଶ୍ୱକପ୍ ମଧ୍ୟ ହାସଲ କରନ୍ତି। ସେତେବେଳେ ପରଷ୍ପର ମଧ୍ୟରେ ଏକ ନିବିଡ଼ତା ଆସିଯାଏ। ରାଇନା ଏବଂ ହରଭଜନ ଦଳରେ ଏକାଠି ଥିଲେ ଏବଂ ହରଭଜନ ରାଇନାଙ୍କଠାରୁ ଅଧିକ ବୟସ୍କ ମଧ୍ୟ ନୁହଁନ୍ତି। ତେଣୁ ସେ ହରଭଜନଙ୍କୁ ଏଭଳି ସମ୍ମାନ ଦେବା କିଛି ବଡ଼ କଥା ନୁହେଁ।

ଚେନ୍ନାଇ ବିପକ୍ଷ ମ୍ୟାଚରେ କୋଲକତା ଟସ୍ ଜିତି ପରେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ତିନୋଟି ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ପାଇଁ ଓପନର୍ ଫାଫ୍ ଡୁ ପ୍ଲେସିସ୍ ୬୦ ବଲରୁ ୯୫ ରନ୍ କରି ନଟଆଉଟ୍ ରହିଥିଲେ। ସେ ୪ ଛକା ଓ ୯ ଚୌକା ମାରିଥିଲେ। ରିତୁରାଜ ଗାଇକ୍ୱାଡ଼ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଧୋନି ୮ଟି ବଲ ଖେଳି ୧୭ ରନ୍ ସଂଗ୍ରହ କରିଥିଲେ।

୨୨୧ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା କୋଲକାତା ମାତ୍ର ୨୦୨ ରନ୍ କରି ଅଲଆଉଟ ହୋଇଯାଇଥିଲା। କୋଲକତା ପାଇଁ ପ୍ୟାଟ୍ କମିନ୍ସ ୬୬ ରନ୍ କରି ନଟଆଉଟ୍ ରହିଥିବା ବେଳେ ଆଣ୍ଡ୍ରେ ରସେଲ ଧୁଆଁଧାର ୫୪ ରନ୍ ସଂଗ୍ରହ କରିଥିଲେ। ଚେନ୍ନାଇ ପାଇଁ ଦୀପକ ଚହର ୨୯ ରନ୍ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

You might also like