IPL 2021: ଟୁର୍ଣ୍ଣାମେଣ୍ଟ୍‌ରୁ ଓହରି ସ୍ୱଦେଶ ଫେରିଗଲେ ଏହି ୨ ଖେଳାଳି

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ବେଳେ ଆଇପିଏଲ୍‌(IPL 2021) ଉପରେ ଏହାର ପ୍ରଭାବ ପଡ଼ିଛି। ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଖେଳାଳି ଏହି ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଷ୍ଟାର ସ୍ପିନର୍ ତଥା ଦିଲ୍ଲୀ କ୍ୟାପିଟାଲ୍‌ ବରିଷ୍ଠ ଖେଳାଳି ରବି ଚନ୍ଦ୍ରନ୍ ଅଶ୍ୱିନ୍ ଆଇପିଏଲ୍‌ରୁ ବ୍ରେକ୍ ନେଇଛନ୍ତି। ଏନେଇ ଅଶ୍ୱିନ୍ ନିଜେ ଟ୍ୱିଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ମହାମାରୀ କରୋନା ସହ ପରିବାର ସଦସ୍ୟ ଲଢ଼ୁଥିବା ବେଳେ ଏଭଳି କଠିନ ସମୟରେ ମୁଁ ସେମାନଙ୍କ ପାଖରେ ଛିଡ଼ା ହେବାକୁ ଚାହୁଁଛି। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତା’ହେଲେ ପୁଣିଥରେ ଫେରିବି ବୋଲି ଆଶା କରୁଛି। ଟ୍ୱିଟ୍‌ କରି ଅଶ୍ୱିନ ଏହା କହିଛନ୍ତି। ଅଶ୍ୱିନଙ୍କ ପରିବାରର କିଛି ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚଳିତ ସିଜନରେ ଅଶ୍ୱିନ୍ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ଓ୍ୱିକେଟ୍ ହାସଲ କରିଥିଲେ।

ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore)ର ଦୁଇ ଖେଳାଳି ଆଦାମ ଜାମ୍ପା ଏବଂ କେନ୍ ରିଚାର୍ଡସନ୍ ମଧ୍ୟ ଆଇପିଏଲ୍‌ରୁ ଓହରି ଯାଇଥିବା ଜଣାପଡ଼ିଛି।  ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆର ଆଣ୍ଡ୍ରିୟୁ ଟାଏ ମଧ୍ୟ ସ୍ୱଦେଶ ଫେରି ଯାଇଛନ୍ତି। ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ୩ ଅଷ୍ଟ୍ରେଲୀୟ ଖେଳାଳି ସ୍ୱଦେଶ ଫେରି ଯାଇଥିବା କୁହାଯାଉଛି। ଆଦାମ ଓ କେନ୍ ବ୍ୟକ୍ତିଗତ କାରଣ ଯୋଗୁ ସ୍ୱଦେଶ ଫେରିଯାଇଥିବା ନେଇ RCB ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମ୍‌ର ଇଂଲଣ୍ଡ ଖେଳାଳି ଲିଆମ୍ ଲିଭିଂଷ୍ଟୋନ୍ ମଧ୍ୟ ବାୟୋ ବବଲ୍‌ରେ କଡା କଟକଣାରେ ଖାପ ନ ଖୁଆଇ ଆଇପିଏଲ୍‌ରୁ ଓହରି ଯାଇଥିଲେ।

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨,୮୧୨ ଜୀବନ ନେଇଛି ଏହି ମହାମାରୀ। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି ।

You might also like