କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଦୁବାଇ: ଚଳିତ ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ହେବା ଦିନ ଠାରୁ ଶାରଜାରେ ରାଜସ୍ଥାନ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ସଞ୍ଜୁ ସାମସନ ଅନେକ ପ୍ରଶଂସା ସାଉଁଟି ଥିଲେ। ଲାଗୁଥିଲା ଯେପରି ସଞ୍ଜୁ ସବୁ ମ୍ୟାଚ୍‌ରେ ଚମକିବେ।

ରାଜସ୍ଥାନର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୩୨ ବଲ୍‌ରେ ୭୪ ରନ୍‌ କରିଥିଲେ। ଏହା ପର ମ୍ୟାଚ୍‌ରେ ସେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪୫ ବଲ୍‌ରେ ୮୪ କରି ଦଳକୁ ଏକ ମଜବୁତ ସ୍ଥିତିକୁ ନେଇଆସିଥିଲେ। ଏହି ଦୁଇଟି ମ୍ୟାଚ୍‌କୁ ଜିତିବାପରେ ଏହାର ଫ୍ୟାନ୍‌ମାନେ ଭାବିଥିଲେ ଯେ ଆଇପିଏଲ୍‌ ୨୦୨୦ରେ ସବୁଠାରୁ ଭଲ ଦଳ ଭାବେ ରାଜସ୍ଥାନ ଟୁର୍ଣ୍ଣାମେଣ୍ଟରେ ସ୍ଥିତି ଜାହିର କରିବ।

କିନ୍ତୁ ଏହାର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ରାଜସ୍ଥାନ ଭଲ ପ୍ରଦର୍ଶନ କରିନଥିଲା। ୯ଟି ମ୍ୟାଚ୍‌ରୁ ଦଳ ୨ଟି ଜିତିବାକୁ ସକ୍ଷମ ହୋଇଥିଲ। ଏହି ମ୍ୟାଚ୍‌ ଗୁଡ଼ିକରେ ସଞ୍ଜୁ ଯଥାକ୍ରମେ ୮, ୪, ୦, ୫, ୨୬, ୨୫, ୯, ୦,୩୬ ରନ୍‌ କରି ଦଳକୁ ନିରାଶ କରିଥିଲେ।

ହେଲେ ଗତ ରବିବାର ଖେଳାଯାଇଥିବା ମୁମ୍ୱାଇ ବିପକ୍ଷ ମ୍ୟାଚ୍‌ରେ ସଞ୍ଜୁଙ୍କ ଅପରାଜିତ ୩୧ ବଲ୍‌ରେ ୫୪ ରନ୍‌ ଦଳକୁ ଜିତାଇବାରେ ସହାୟକ ହୋଇଥିଲା। ଏହି ମ୍ୟାଚ୍‌ରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ସଞ୍ଜୁ ଏବଂ ବେନ୍‌ ଷ୍ଟୋକ୍ସଙ୍କ ୧୫୪ ରନ୍‌ର ଭାଗିଦାରୀ ଦଳକୁ ୮ ୱିକେଟ୍‌ରେ ବିଶାଳ ସ୍କୋର୍‌କୁ ପାର କରିଥିଲା।

ଗତକାଲି ସାମସନଙ୍କୁ ପୂର୍ବ ମ୍ୟାଚ୍‌ରେ ଲଗାତର ଫେଲ୍‌ ମାରିଥିବା ନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, ନିଜ ଉପରେ ସେ ଭରଷା ରଖନ୍ତି ଏବଂ ଦଳ ପାଇଁ ଭଲ ଖେଳିବାକୁ ଚେଷ୍ଟା କରନ୍ତି। ୧୪ଟି ମ୍ୟାଚ୍‌ ଖେଳିବାକୁ ହେଲେ ଆମକୁ ଅପ୍‌- ଡାଉନ୍‌ ଦେଇ ଯିବାକୁ ପଡ଼ିବ। ପୂର୍ବ ମ୍ୟାଚ୍‌ ଅପେକ୍ଷା ସେ ଏହି ମ୍ୟାଚ୍‌ରେ ତାଙ୍କର ରଣ କୌଶଳ ପରିବର୍ତ୍ତନ କରିଥିଲେ ବୋଲି କହିଛନ୍ତି।

“ବଡ଼ ଗ୍ରାଉଣ୍ଡରେ, ବିଭିନ୍ନ ବୋଲର୍‌ଙ୍କୁ ସମ୍ନା କରିବାକୁ ହେଲେ ଆପଣଙ୍କୁ ଅଧିକ ସମୟ ନେବାକୁ ପଡିବ, ଅଧିକ ସଟ୍ ଖେଳିବାକୁ ପଡ଼ିବ, ଯାହା ମୁଁ ଆଜି କରିଥିଲି,” ବୋଲି ସାମସନ୍ ତାଙ୍କ ଇନିଂସ ଶେଷରେ ସମୀକ୍ଷକଙ୍କୁ କହିଛନ୍ତି।

You might also like