IPL ୨୦୧୮ : ଉଦ୍ଘାଟନୀ ଉତ୍ସବ ତାରିଖରେ ପରିବର୍ତ୍ତନ
ଆଉ ଦିନ କେଇଟା ପରେ ଚମକିବ ଆଇପିଏଲ୍। ଏହାର ୧୧ତମ ସିଜିନ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। ବିଶ୍ୱର ବଛା ବଛା ଖେଳାଳିଙ୍କୁ ଗୋଟିଏ ଟିମ୍ରେ ଦେଖିବାକୁ ସୁଯୋଗ ମିଳିବ। ଏହାରି ମଧ୍ୟରେ ଏକ ସୂଚନା ଦିଆଯାଇଛି ଯେ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିଲା, ଆଇପିଏଲର ଉଦ୍ଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ଆୟୋଜନ କରାଯିବ। କିନ୍ତୁ ପରେ ବିଭିନ୍ନ ସମସ୍ୟା କାରଣରୁ ଏହା ଏପ୍ରିଲ ୬ ପରିବର୍ତ୍ତେ ଏପ୍ରିଲ ୭ ତାରିଖରେ ଆୟୋଜିତ ହେବ। ଯାହା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ।
କେବଳ ଏତିକି ନୁହେଁ ଉଦ୍ଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ କରିବା ପୂର୍ବରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବାପାଇଁ ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ଏବେ କିନ୍ତୁ ଏଥିରୁ ପାଖା ପାଖା ୨୦ କୋଟି କମ୍ ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଆଇପିଏଲ୍-୧୧ ନିଶ୍ଚିତ ଭାବେ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର ହେବାକୁ ଯାଉଛି। ଆଇପିଏଲ୍ର ଗଭର୍ନିଂ କାଉଁସିଲ ଏହି ଉଦ୍ଘାଟନୀ ଉତ୍ସବକୁ ସ୍ମରଣୀୟ କରିବାକୁ ଜୋରଦାର ପ୍ରସ୍ତୁତି ଚଲାଇଛି।