ଅହମ୍ମଦାବାଦ: ଚତୁର୍ଥ ଟେଷ୍ଟକୁ ଦଖଲ କଲା ଟିମ୍ ଇଣ୍ଡିଆ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ଇଂଲଣ୍ଡ ଧରାଶୟୀ ହୋଇଛି। ଫଳରେ ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଛି। ଆଜି ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇନିଂସ ୨୫ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୩୫ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଛି।

ପ୍ରଥମ ଇନିଂସରେ ୧୬୦ରନ୍ ପଛୁଆ ଥିବା ଇଂଲିଶ୍ ଟିମ୍ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ପାରି ନ ଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନ ୫ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି। ପୂର୍ବରୁ ଆଜି ଭାରତ ପ୍ରଥମ ଇନିଂସରେ ୩୬୫ ରନ କରି ଅଲଆଉଟ୍ ହୋଇଥିଲା। ୱାସିଂଟନ ସୁନ୍ଦର ୯୬ ରନ କରି ନଟ୍ଆଉଟ୍ ରହିବା ସହ ଅଳ୍ପକେ ନିଜର ପ୍ରଥମ ଶତକରୁ ବଞ୍ଚିତ ହୋଇଛନ୍ତି।

ପ୍ରଥମ ଇନିଂସରେ ରିଷଭ ପନ୍ତ ୧୦୧ କରିଥିବା ବେଳେ ରୋହିତ ଶର୍ମା ୪୯ ଓ ଅକ୍ଷର ପଟେଲ୍ ୪୩ ରନ କରି ଆଉଟ୍ ହୋଇଥିଲେ ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫ ରନ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଇଂଲଣ୍ଡ ପାଇଁ ଆରମ୍ଭ ଭଲ ରହିନଥିବା ବେଳେ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ଅଶ୍ୱିନ୍।

ଇଂଲଣ୍ଡ ଇନିଂସର ପଞ୍ଚମ ଓଭରରେ ଚତୁର୍ଥ ବଲରେ ଜାକ୍ କ୍ରଲୀ (୫) ଓ ପଞ୍ଚମ ବଲରେ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଆଉଟ୍ କରି ଅଶ୍ୱିନ୍ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ହ୍ୟାଟ୍ରିକ୍ ବଲକୁ ଜୋ ରୁଟ୍ ସହଜରେ ଖେଳିନେଇଥିଲେ। ଏହା ପରେ ଅକ୍ଷର ପଟେଲ ନିଜର କମାଲ୍ ଦେଖାଇଥିଲେ। ଅକ୍ଷର ପ୍ରଥମେ ଡମ୍ ସିବଲେ (୩) ଏବଂ ପରେ ବେନ୍ ଷ୍ଟୋକ୍ସ (୨)ଙ୍କୁ ପ୍ୟାଭିଲିୟନ୍ ପଠାଇ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

କ୍ୟାପଟେନ୍ ରୁଟ୍ ଧୈର୍ଯ୍ୟ ଓ ଓଲି ପୋପ୍ ପାଖାପାଖି ୧୧ ଓଭର୍ ବ୍ୟାଟିଂ କରି ଟିମକୁ ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଭାଙ୍ଗିଥିଲେ ଅକ୍ଷର। ଅକ୍ଷରଙ୍କ ବଲରେ ପୋପ୍ (୧୫) ଆଗକୁ ଚଢ଼ି ମାରିବା ପ୍ରୟାସ କରିଥିଲେ, କିନ୍ତୁ ୱିକେଟକିପର ଋଷଭ ପନ୍ତ ଚତୁରତାର ସହ ତାଙ୍କୁ ଷ୍ଟମ୍ପିଂ କରିଥିଲେ। ରୁଟ୍ ବ୍ୟକ୍ତିଗତ ୩୦ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୂ ଆଉଟ୍ ହୋଇଥିଲେ। ରୁଟ୍ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ ହେଁ, ସେଥିରେ ସେ ବିଫଳ ହୋଇଥିଲେ।

ଆଜିର ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ଫାଇନାଲରେ ପହଞ୍ଚିଛି। ଭାରତ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ।

Other Stories