ଟ୍ରାକ୍କୁ ଫେରିଲା ଟିମ୍ ଇଣ୍ଡିଆ, ୧୩ ରନ୍ରେ ହାରିଲା ଅଷ୍ଟ୍ରେଲିଆ; ଟି-୨୦ରେ କଡ଼ା ଟକ୍କର
କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରାରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ରେ ସମ୍ମାନ ରଖିଲା ଭାରତ। ୩୦୩ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୩ ରନ୍ରେ ଭାରତ ଠାରୁ ହାରିଯାଇଛି। ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ମାତ୍ର ୨୮୯ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଏହି ତିନିଟିକିଆ ସିରିଜ୍କୁ ୨-୧ରେ ଜିତି ନେଇଥିଲେ ବି କ୍ଲିନ୍ ସୁଇପ୍ କରିପାରିନଥିଲା। ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ୍ ହୋଇଛନ୍ତି ଷ୍ଟିଭ୍ ସ୍ମିଥ୍।
ଆଜିର ମ୍ୟାଚ୍ ଜିତିବା ପରେ ଭାରତର ମନବଳ ଦୃଢ଼ ହୋଇଛି। ଡିସେମ୍ବର ୪ ତାରିଖରେ ଉଭୟ ଦଳ ମଧ୍ୟରେ ଟି-୨୦ ମ୍ୟାଚ୍ ଆରମ୍ଭ ହେବ। ଏହାହିଁ ହେବ ନିର୍ଣ୍ଣାୟକ ଲଢ଼େଇ। ପ୍ରଥମ ଟି-୨୦ ମ୍ୟାଚ୍ କ୍ୟାନ୍ବେରାରେ ଥିବା ବେଳେ ଅନ୍ୟ ଦୁଇଟି ମ୍ୟାଚ୍ ୬ ଓ ୮ ତାରିଖରେ ସିଡ୍ନୀରେ ଖେଳାଯିବ।
ଆଜି ମ୍ୟାଚ୍ର ବିବରଣୀ
ଆଜିର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦୨ ରନ୍ କରିଥିଲା। ୩୦୩ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ୧୦ ୱିକେଟ ହରାଇ ୨୮୯ ରନ୍ କରିପାରିଥିଲା।
ଆଜି ଆରମ୍ଭରୁ ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ। ଦଳର ଓପନର ବ୍ୟାଟ୍ସମ୍ୟାନ୍ ମାର୍ନସ ଲାବୁସେନ ମାତ୍ର ୭ ରନ୍ କରି ଟି-ନଟରାଜନଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ସେହିପରି ଭଲ ପ୍ରଦର୍ଶନ କରୁଥିବା ଷ୍ଟିଭ ସ୍ମିଥ ମଧ୍ୟ ଆଜି ଫେଲ୍ ମାରିଥିଲେ। ସିଏ ବି ମାତ୍ର ୭ ରନ୍ କରିପାରିଥିଲେ।
ତୃତୀୟ ୱିକେଟ ପାଇଁ ଅଧିନାୟକ ଆରୋନ ଫିଞ୍ଚ ଓ ମୋଜିସ ହେନରିକସ ଯୋଡ଼ି ୫୦ରୁ ଅଧିକ ରନ୍ କରିଥିଲା। ହେନରିକସ ୨୨ ରନ୍ କରି ଶାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିବା ବେଳେ ୭୫ ରନ୍ କରିଥିବା ଫିଞ୍ଚ ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ। ୧୫୮ ରନ୍ ବେଳକୁ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ସାରିଥିଲା। ଏହାପରେ ଆଲେକ୍ସ କେରୀ ଓ ମ୍ୟାକ୍ସୱେଲ ଉତ୍ତମ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଆଲେକ୍ସ କେରୀ ୩୮ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।
ଅନ୍ୟପଟେ ଭାରତ ପକ୍ଷରୁ ସାର୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ନଟରାଜନ ୨ଟି ଲେଖାଏ ୱିକେଟ ନେଇଥିଲେ। କୁଲଦୀପ ଯାଦବ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା।
ଭାରତର ବ୍ୟାଟିଂ
ଆଜିର ମ୍ୟାଚ୍ରେ ଭାରତ ୫୦ ଓଭର ଖେଳି ୫ ୱିକେଟ୍ ହରାଇ ୩୦୨ ରନ୍ କରିଥିଲା। ଷଷ୍ଠ ୱିକେଟ୍ ପାଇଁ ପଡ଼ିଆକୁ ଓହ୍ଲାଇଥିବା ହାର୍ଦ୍ଦିକ ୭୬ ବଲରେ ୭ ଚୌକା ଓ ୧ ଛକା ସହ ୯୨ କରିଥିଲେ। ସେହିପରି ଜାଡେଜା ୫୦ ବଲରେ ୫ ଚୌକା ଓ ୩ ଛକା ସହ ୬୬ ରନ୍ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଅପରାଜିତ ରହିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ଶୁବମନ୍ ଗିଲ୍ ଓ ଶିଖର ଧୱନ୍ଙ୍କ ଓପନିଂ ଯୋଡ଼ି ଆଜି ଭଲ ପ୍ରଦର୍ଶନ କରିପାରି ନଥିଲେ। ଧୱନ୍ ବ୍ୟକ୍ତିଗତ ଭାବେ ୧୬ ରନ୍ କରିଥିବା ବେଳେ ଗିଲ୍ ୩୩ ରନ୍ କରି ଆଉଟ୍ ହୋଇଥିଲେ।
ସେହିପରି କୋହଲି ୭୮ ବଲରେ ୫ ଚୌକା ସହ ୬୩ ରନ୍ କରି ଜୋଶ ହେଜଲଉଡଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଶ୍ରେୟସ୍ ଆୟର୍ ୧୯ ଓ ଲୋକେଶ ରାହୁଲ୍ ୫ ରନ୍ କରିଥିଲେ। ଏହି ସମୟରେ ଟିମ୍ ଇଣ୍ଡିଆ ୫ ୱିକେଟରେ ହରାଇ ୧୫୨ ରନ କରିପାରିଥିଲା। ଏହାପରେ ଷଷ୍ଠ ୱିକେଟ୍ ପାଇଁ ହାର୍ଦ୍ଦିକ ଓ ଜାଡେଜା ଦଳର ମଙ୍ଗ ଧରିଥିଲେ। ମ୍ୟାଚ୍ରେ ଶେଷ ୫ ଓଭରରେ ହାର୍ଦ୍ଦିକ ଓ ଜାଡେଜାଙ୍କ ଯୋଡ଼ି ୭୬ ରନ୍ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଗର ୨ଟି, ହେଜଲଉଡ୍, ଆବୋଟ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।