ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆ ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ; ICC ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ନଂ -1

ନୂଆଦିଲ୍ଲୀ: ମଙ୍ଗଳବାର ବ୍ରିସ୍‌ବେନ୍‌ ଗାବା କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ବୋର୍ଡର୍ ଗାଭାସ୍କର ଟ୍ରଫିରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ଗତ ୩୩ ବର୍ଷ ହେଲା ହାରିନଥିଲା। ହେଲେ ୧୯ ତାରିଖରେ ଅଷ୍ଟ୍ରେଲିଆକୁ ପରାଜୟର ସ୍ୱାଦ ଚଖାଇ ତା’ରଏକଛତ୍ରବାଦ ସାମ୍ରାଜ୍ୟର ଅନ୍ତ କଲା ଭାରତ

ଏଥିସହିତ ଭାରତୀୟ ଟିମ୍‌ ବୋର୍ଡର ଗାଭାସ୍କର ଟ୍ରଫିକୁ ଲଗାତର ତିନି ଥର ଜିତି ହ୍ୟାଟ୍ରିକ୍ କରିବାର ଗୌରବ ଅର୍ଜନ କରିଛି। କେବଳ ସେତିକି ନୁହେଁ, ଏହି ସିରିଜକୁ ୨-୧ରେ ଜିତିବା ପରେ ICCର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌(WTC) ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି ଟିମ୍ ଇଣ୍ଡିଆ।

ଭାରତୀୟ ଟିମ୍‌ର ଏହି ବିଜୟ ପରେ ଆଇସିସି ରାଙ୍କିଂରେ ଭାରତର ସ୍କୋର୍‌ ୪୩୦ ହୋଇଛି। ସେହିପରି ୪୨୦ ଅଙ୍କ ସହିତ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୩୩୨ ଅଙ୍କ ସହିତ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଆଇସିସି। ଆଇସିସି ଟ୍ୱିଟ୍‌ରେ ଲେଖିଛି “ ଗାୱାରେ କଡ଼ା ମୁକାବିଲା କରି ଜିତିବା ପରେ ଭାରତ ଆଇସିସିର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ତାଲିକାରେ ପ୍ରଥମ ସ୍ଥାନକୁ ଉତ୍ତୀନ୍ନ ହୋଇଛି। ଅନ୍ୟପଟେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସି ଆସିଛି।”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଆରମ୍ଭ ହେବା ପରେ ଭାରତ ୫ଟି ସିରିଜ୍‌ରେ ମୋଟ ୧୩ଟି ମ୍ୟାଚ୍‌ ଖେଳିଛି। ଏଥିରୁ ମୋଟ ଅଙ୍କରୁ ୭୧.୧ ପ୍ରତିଶତ ହାସଲ କରିଛି। ଭାରତ ଅଷ୍ଟ୍ରେଲିଆ ମ୍ୟାଚ୍‌ ପରେ ଆଇସିସିର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ତାଲିକାରେ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ, ଅଷ୍ଟ୍ରେଲିଆ ତୃତୀୟ, ଇଂଲଣ୍ଡ ଚତୁର୍ଥ ଓ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛନ୍ତି।

ସେହିପରି ଆଇସିସି ଟେଷ୍ଟ ରାଙ୍କିଂରେ ମଧ୍ୟ ଭାରତ ଅଷ୍ଟ୍ରେଲିଆକୁ ହଟାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ନ୍ୟୁଜଲ୍ୟାଣ୍ଡ ୧୧୮.୪୪ ଅଙ୍କ ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ୧୭୭.୬୫ ଅଙ୍କ ସହିତ ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ୧୧୩ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛି।

ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଘୋଷଣା

ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ମଙ୍ଗଳବାର ଭାରତୀୟ ଟିମ୍ ଘୋଷଣା ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବା ପାଇଁ ୧୮ ଜଣ ଖେଳାଳି ଚୟନ ହୋଇଥିବା ବେଳେ ଏଥିରେ କ୍ୟାପ୍ଟେନ୍ ବିରାଟ କୋହଲି, ଇଶାନ୍ତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି। ଅକ୍ଷର ପଟେଲଙ୍କୁ ବି ଏହି ମ୍ୟାଚ୍ ପାଇଁ ମଉକା ମିଳିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଗସ୍ତରେ ଖରାପ ପ୍ରଦର୍ଶନ ଯୋଗୁ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀଶ ଓ ଡେବ୍ୟୁ କରିଥିବା ନଟରାଜନକୁ ମଧ୍ୟ ଦଳରେ ସାମିଲ କରାଯାଇ ନାହିଁ।

ଘୋଷଣା ହୋଇଥିବା ଟିମ୍‌

ବିରାଟ କୋହଲି(କ୍ୟାପ୍ଟେନ୍), ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗରୱାଲ, ଚେତେଶ୍ୱର ପୂଜାରା , ଅଜିଙ୍କ୍ୟ ରାହାଣେ(ଉପଅଧିନାୟକ), କେଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ୍ କିପର), ରିଦ୍ଦିମାନ ଶହ (ୱିକେଟ କିପରି), ଆର୍ ଅଶ୍ୱନୀ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରିତ ବୁମରାହ, ମୋହମ୍ମଦ ସିରାଜ ଓ ଶାର୍ଦୁଲ ଠାକୁର।  

 

You might also like