ପଞ୍ଚମ ଦିନିକିଆରେ ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କାମ ଦେଲାନି ବିରାଟ ମ୍ୟାଜିକ୍। କୋଟଲାରେ କମାଲ କରିଛି କଙ୍ଗାରୁ ଟିମ୍। ଲଗାତାର ତିନୋଟି ବିଜୟ ସହ ଆରୋନ ଫିଞ୍ଚଙ୍କ ଅଷ୍ଟ୍ରେଲିଆ ଟିମ୍ ଭାରତଠାରୁ ଦିନିକିଆ ସିରିଜ ଛଡ଼ାଇ ଆଣିଛି। ଖରାପ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ ନିକଟରୁ ୩୫ ରନରେ ହାରି ସିରିଜ ହାତଛଡ଼ା କରିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଭାରତ ମାଟିରେ ଦିନିକିଆ ସିରିଜ ଜିତି ଇତିହାସ ରଚିଛି। ଚଳିତ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ୨-୦ରେ ଆଗୁଆ ଥିଲା। କିନ୍ତୁ ଭ୍ରମଣକାରୀ ଟିମ୍ ଆଶା ନହରାଇ ଶେଷ ୩ଟି ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ସିରିଜକୁ ୩-୨ରେ ଜିତିନେଇଛି।

india
photo credit-The Hindu

 

ବୁଧବାର ଖେଳାଯାଇଥିବା ମ୍ୟାଚରେ ଉସମାନ ଖ୍ୱାଜାଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୨୭୨ ରନ୍ କରିଥିଲା। ଖ୍ୱାଜା ୧୦୬ ବଲରେ ୧୦ ଚୌକା ଓ ୨ ଛକା ସହ ୧୦୦ ଓ ପିଟର ହ୍ୟାଣ୍ଡସ୍କମ୍ବ ୫୨ ରନ୍ କରିଥିଲେ। ଜବାବରେ ଭାରତ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୩୭ ରନ୍ କରିବାକୁ ସକ୍ଷମ ହୋଇଛି।

୨୭୨ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରଥମରୁ ବଡ଼ ଝଟକା ଲାଗିଥିଲା। ଚତୁର୍ଥ ଦିନିକିଆରେ ଶତକ ମାରିଥିବା ଶିଖର ଧୱନ ନିରାଶ କରିଥିଲେ। ସେ ମାତ୍ର ୧୨ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ୱିକେଟକିପରକ କ୍ୟାରିଙ୍କ ଦ୍ୱାରା ଧରା ପଡ଼ିଥିଲେ। ଏହା ପରେ ରୋହିତ (୫୬) ଓ ଅଧିନାୟକ ବିରାଟ କୋହଲି (୨୦) ସ୍କୋରକୁ ଆଗକୁ ବଢ଼ାଇଥିଲେ।

ind vs aus
photo credit-timesofindia

ବିରାଟ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତର ସ୍କୋର ୬୮ ଥିବା ବେଳେ ବିରାଟ (୨)ଙ୍କୁ ମାର୍କସ ଷ୍ଟୋଇନିସ୍ ଆଉଟ୍ କରିଥିଲେ। ଋଷଭ ପନ୍ତ ପୁଣିଥରେ ନିଜର ଫ୍ଲପ୍ ଶୋ’ ଜାରି ରଖି ମାତ୍ର ୧୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ନେଥନ ଲିଅନ୍ ଆଉଟ୍ କରିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର (୧୬) ଭଲ ଆରମ୍ଭ କରିଥିଲେ।

୨୫ତମ ଓଭର ତୃତୀୟ ବଲରେ ସେ ପ୍ରତିପକ୍ଷ ସ୍ପିନର ଆଡାମ ଜାମ୍ପାଙ୍କୁ ଛକା ମାରିଥିଲେ। ପରବର୍ତ୍ତୀ ବଲରେ ଆଉ ଏକ ବଡ଼ ଶଟ ଖେଳିବା ପ୍ରୟାସରେ ଶଙ୍କର ନିଜର ୱିକେଟ ହରାଇ ବସିଥିଲେ। ଏହା ପରେ ଅର୍ଦ୍ଧଶତକ ମାରି ସେଟ ହୋଇସାରିଥିବା ରୋହିତଙ୍କୁ ମଧ୍ୟ ଜାମ୍ପା ପ୍ୟାଭିଲିୟନ ପଠାଇ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ରୋହିତଙ୍କ ଆଉଟ୍ ହେବାର ଦୁଇଟି ବଲ ବ୍ୟବଧାନରେ ରବୀନ୍ଦ୍ର ଜାଡେଜା (୦)ଙ୍କୁ ଜାମ୍ପା ଆଉଟ କରି ଭାରତ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ।

 

cricket
photo credit-Moneycontrol

ତେବେ ଏହା ପରେ କେଦାର ଯାଦବ ଓ ଭୁବନେଶ୍ୱର କୁମାର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ସପ୍ତମ ୱିକେଟ ପାଇଁ ୯୧ ରନର ଲଢ଼ୁଆ ପାର୍ଟନରଶିପ୍ ଗଢ଼ିଥିଲେ ହେଁ, ଭାରତକୁ ଜିତାଇପାରି ନଥିଲେ।

ଭୁବି ୫୪ ବଲରେ ୩ ଚୌକା ଓ ୨ ଛକା ସହ ୪୬ ଏବଂ କେଦାର ୫୭ ବଲରେ ୪ ଚୌକା ଓ ୧ ଛକା ସହ ୪୪ ରନ୍ କରି ଆଉଟ୍ ହୋଇଥଲେ। ଦୁହିଁଙ୍କ ଆଉଟ୍ ପରେ ଭାରତର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା।

ଶେଷଭାଗରେ କୁଲଦୀପ ଯାଦବ ୯ ଓ ମହମ୍ମଦ ସାମି ୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଯଶପ୍ରୀତ ବୁମରା ୧ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୩ଟି, କମିନ୍ସ ଓ ଝାଇ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ ହାସଲ କରିଥିଲେ।

yadav
photo credit-indiatoday.in

ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଞ୍ଚଙ୍କ ସହ ଇନିଂସ୍ ଓପନ କରିବାକୁ ଆସିଥିବା ଖ୍ୱାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୭୬ ରନ୍ ଯୋଡ଼ିଥିବା ବେଳେ ଫିଞ୍ଚ (୨୭)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ। ଏହା ପରେ ଖ୍ୱାଜା ଓ ହ୍ୟାଣ୍ଡସ୍କ୍ୱମ ଭଲ ବ୍ୟାଟିଂ କରି ଦଳକୁ ମଜଭୁତ ସ୍କୋର ଅଭିମୁଖେ ନେଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଏହି ଯୋଡ଼ି ୯୯ ରନର ପାର୍ଟନରଶିପ୍ କରିଥିଲେ। ଖ୍ୱାଜା ଏଠାରେ ନିଜର ଦ୍ୱିତୀୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ। ଏହିଠାରୁ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ମ୍ୟାକ୍ସୱେଲ (୧)ଙ୍କୁ ଜାଡେଜା ନିଜର ଶିକାର ବନାଇଥିବା ବେଳେ ହ୍ୟାଣ୍ଡସ୍କମ୍ବ ମଧ୍ୟ ଅର୍ଦ୍ଧଶତକ ମାରିବା ପରେ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରି ନଥିଲେ।

india-tv
photo-india-tv

ମୋହାଲିରେ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଅଷ୍ଟନ ଟର୍ଣ୍ଣର (୨୦) ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ତେବେ ଶେଷଭାଗରେ ଝାଇ ରିଚାର୍ଡସନ (୨୯) ଓ ପ୍ୟାଟ୍ କମିନ୍ସ (୧୫) ଦ୍ରୁତ ରନ୍ ସଂଗ୍ରହ କରି ଭ୍ରମଣକାରୀ ଦଳକୁ ୨୭୨ ରନରେ ପହଞ୍ଚାଇଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରି (୩) ମଧ୍ୟ ନିରାଶ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ।

 

ଆହୁରି ପଢ଼ନ୍ତୁ

କୋଚ୍ ଖୋଜିବା ଆରମ୍ଭ କଲା BCCI !

କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

ଆଇସିସିକୁ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ଓ କ୍ରିକେଟରଙ୍କ ସମାଲୋଚନା

ସଚିନ୍‌ଙ୍କ ରେକର୍ଡ ରହିଲା ଅତୁଟ

ବିଶ୍ୱକପ୍ ଫାଇନାଲ୍‌: ସଂଘର୍ଷ କରି ଜିତିଲା ଇଂଲଣ୍ଡ

ବିଶ୍ୱକପ୍‌ ଫାଇନାଲ୍: ୨୪୨ ରନ୍‌ର ଟାର୍ଗେଟ୍‌ ପିଛା କରୁଥିବା ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା

ପୁଣି ଝଟ୍‌କା: ୩ ୱିକେଟ ହରାଇଲା ନ୍ୟୁଜିଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡର ପ୍ରାରମ୍ଭିକ ବିପର୍ଯ୍ୟୟ

ଆଜି ୱାର୍ଲଡ୍‌ କପ୍‌ ବିଗ୍‌ ଫାଇଟ୍‌, ଯିଏ ଜିତିବ ରଚିବ ଇତିହାସ

ଥାନାରେ ବୀରେନ୍ଦ୍ର ସେହୱାଗଙ୍କ ପତ୍ନୀ ଆରତି, ଆଣିଲେ ଠକେଇ ଅଭିଯୋଗ

ମୁଣ୍ଡରେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

You might also like