ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ନଟିଂହାମ୍‌ : ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ଏବଂ ରୋହିତ ଶର୍ମାଙ୍କ ୧୮ତମ ଶତକ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।

ଇଂଲଣ୍ଡ ଦେଇଥିବା ୨୬୯ ରନ ଟାର୍ଗେଟ୍‌କୁ ପିଛା କରି ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୪ଟି ଛକ୍କା ଏବଂ ୧୫ ଚୌକା ସହାୟତାରେ ଅପରାଜିତ ୧୩୭ ରନ ସଂଗ୍ରହ କରିଥିଲେ। ସେହିପରି କ୍ୟାପଟେନ୍ କୋହଲି ୮୨ଟି ବଲରୁ ୭ଟି ଚୌକା ମାରି ଦଳ ପାଇଁ ୭୫ ରନ ଯୋଡି ଥିଲେ ।ଏକତରଫା ମ୍ୟାଚରେ ୯ ଓଭର ୫ଟି ବଲ୍ ଥାଇ ମ୍ୟାଚକୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ମାଟିରେ ଚମତ୍କାର ବୋଲିଂ କରି ୬ ୱିକେଟ ହାସଲ କରିଥିବା ପ୍ରଥମ ସ୍ପିନର ପାଲଟିଛନ୍ତି କୁଲଦୀପ ଯାଦବ।

ଏହା ସହ କୌଣସି ଆନ୍ତର୍ଜାତିକ ଦିନିକିଆରେ ଭାରତୀୟ ବୋଲରଙ୍କ ମଧ୍ୟରେ ୬ଟି ୱିକେଟ ନେଇଥିବା ଅଷ୍ଟମବୋଲର ପାଲଟିଛନ୍ତି କୁଲଦୀପ। ଉମେଶ ଯାଦବଙ୍କୁ ୨ ୱିକେଟ ମିଳିଥିବା ବେଳେ ଯୁଦବେନ୍ଦ୍ର ଚହଲଙ୍କୁ ଗୋଟିଏ ୱିକେଟ ମିଳିଥିଲା। ସିରିଜର ଦ୍ୱିତୀୟ ଦିନିକିଆ ଆସନ୍ତା ୧୪ରେ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ।

You might also like
Comments
Loading...