ଧୋନି ଓ କେଦାର ଜିତାଇଲେ ମ୍ୟାଚ୍

ହାଇଦ୍ରାବାଦ: କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭର ଖଳି ୭ ୱିକେଟ୍ ବିନିମୟରେ ୨୩୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୪୮.୨ ଓଭରରେ ୪ ୱିକେଟ୍ ହରାଇ ୨୪୦ ରନ୍ କରି ବିଜୟୀ ହୋଇଛି।

ଭାରତ ପକ୍ଷରୁ କେଦାର ଯାଦବ ୮୧ ରନ୍ ଓ ଧୋନି ୫୯ ରନ୍‌ କରି ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୧୩୮ ରନ୍‌ର ବିଜୟୀ ଭାଗୀଦାରୀ କରିଥିଲେ। କେଦାର ନିଜର ଅଲ୍‌ରାଉଣ୍ଡର୍‌ ପ୍ରଦର୍ଶନ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ।

ଅଷ୍ଟ୍ରେଲିଆ ଦେଇଥିବା ଲକ୍ଷ୍ୟର ପିଛା କରୁଥିବା ଭାରତ ଦ୍ୱିତୀୟ ଓଭରରେ ହିଁ ଓପ୍‌ନର ଶିଖର ଧୱନ୍‌ଙ୍କ (୦) ୱିକେଟ୍ ହରାଇଥିଲା। ଏହା ପରେ ରୋହିତ ଓ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।  କୋହଲି ୪୪ ରନ୍ କରି ଆଡାମ୍ ଜାମ୍ପାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ରୋହିତ ୩୭ ରନ୍‌ କରି ନେଥନ୍‌ କୁଲ୍ଟର-ନାଇଲ୍ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ ମାତ୍ରଙ୍କୁ ୧୩ ରନ୍‌ରେ ଆଉଟ୍ କରି ଜାମ୍ପା ଭାରତର ୱିକେଟ୍ ପତନ କରାଇଥିଲେ। ୯୯ ରନରେ ଭାରତର ଶୀର୍ଷ ୪ ୱିକେଟ୍ ନେଇ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଥିଲା। କିନ୍ତୁ ଧୋନି ଓ କେଦାର କଙ୍ଗାରୁ ଦଳର ବିଜୟ ଆଶାକୁ ଧୂଳିସାତ କରିଦେଇଥିଲେ। ଦୁହେଁ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରି ସ୍କୋରକୁ ଧୀରେ ଧୀରେ ଆଗକୁ ନେଇଥିଲେ, ଏବଂ ୪୮.୨ ଓଭରରେ ଭାରତକୁ ବିଜୟୀ କରାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କୁଲ୍ଟର-ନାଇଲ୍ ଓ ଜାମ୍ପା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

photo crtedit-hindustan times

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ଟି-୨୦ ସିରିଜରେ ଫେଲ୍ ମାରିଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ତାଙ୍କୁ ଭାରତର ଏକ ନମ୍ବର ପେସ୍ ବୋଲର ଜସପ୍ରୀତ ବୁମ୍ରା ଆଉଟ୍ କରିଥିଲେ।
ଉସମାନ୍ ଖ୍ୱାଜା ଓ ମାର୍କସ୍ ଷ୍ଟୋଇନିସ୍ ୮୭ ରନର ଉପଯୋଗୀ ଭାଗୀଦାରୀ କରି ଟିମ୍ ସ୍ଥିତି ସୁଧାରିଥିଲେ ହେଁ, ତାହା ଦଳ ପାଇଁ ଯଥେଷ୍ଟ ନଥିଲା।

ଷ୍ଟୋଇନିସ୍ ୩୭ ରନ୍ କରି କେଦାର ଯାଦବଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଖ୍ୱାଜା  ଅର୍ଦ୍ଧଶତକ ମାରିବା ପରେ ପରେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ଏହା ପରେ ସବୁ ଦାୟିତ୍ୱ ପିଟର୍ ହ୍ୟାଣ୍ଡସ୍କମ୍ବ ଓ ଅଭିଜ୍ଞ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରକୁ ଚାଲିଆସିଥିଲା।

photo-hindustantimes

ଦୁହେଁ ମଧ୍ୟ ଧୀରେ ଧୀରେ ସ୍କୋରକୁ ଆଗକୁ ବଢ଼ାଇବା ସହ ଭଲ ଭାଗୀଦାରୀ କରିଆସୁଥିଲେ। କିନ୍ତୁ କୁଲଦୀପଙ୍କ ସ୍ପିନକୁ ବୁଝି ନପାରି ହ୍ୟାଣ୍ଡସ୍କମ୍ବ (୧୯) ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଦମଦାର ବୋଲିଂ କରିଥିବା ମହମ୍ମଦ ସାମି ନିଜର ଦ୍ୱିତୀୟ ସ୍ପେଲରେ ମ୍ୟାକ୍ସୱେଲ୍ (୪୦) ଓ ଆଷ୍ଟନ୍ ଟର୍ଣ୍ଣର (୧୯)ଙ୍କୁ କ୍ଲିନ୍ ବୋଲ୍ଟ କରି ଭାରତର ସ୍ଥିତିକୁ ମଜଭୁତ୍ କରିଥିଲେ।

ମ୍ୟାକ୍ସୱେଲ୍ ନିଜର ଟି-୨୦ ଫର୍ମ ଏଠାରେ ବଜାୟ ରଖିଥିଲେ ହେଁ, ବଡ଼ ସ୍କୋର୍ କରିବାକୁ ସକ୍ଷମ ହୋଇନଥିଲେ। ତେବେ ଶେଷଭାଗରେ ଆଲେକ୍ସ କ୍ୟାରି ଓ କୁଲ୍ଟର-ନାଇଲ୍ ସପ୍ତମ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ୨୩୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କ୍ୟାରି ୩୬ ରନ୍ କରି ଅପରାଜିତ ଥିବା ବେଳେ କୁଲ୍ଟର-ନାଇଲ୍ ୨୮ ରନ୍ କରି ବୁମ୍ରାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି, ଜସପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

 

 

You might also like