Ind Vs Aus 3rd Test: ଆସିଲା ଟିମ୍ ଇଣ୍ଡିଆ ଖେଳାଳିଙ୍କ କରୋନା ରିପୋର୍ଟ
ମେଲବର୍ଣ୍ଣ: ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ର ସମସ୍ତ ଖେଳାଳିଙ୍କ ସମେତ ଅନ୍ୟ ସଦସ୍ୟଙ୍କ କରୋନା ଟେଷ୍ଟ୍(RT-PCR ) ରିପୋର୍ଟ ନେଗେଟିଭ୍ ଆସିଛି। ଏଥିରେ ଆଇସୋଲେସନ୍ରେ ଥିବା ଟିମ୍ ଇଣ୍ଡିଆର ୫ଜଣ ଖେଳାଳି ମଧ୍ୟ ଅଛନ୍ତି। ସେମାନଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ରିପୋର୍ଟ ନେଗେଟିଭ୍ ଆସିବା ପରେ ଖେଳାଳିମାନେ ସିଡ୍ନୀ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଫଳରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ସିରିଜ୍ର ତୃତୀୟ ଟେଷ୍ଟରେ ଖେଳିପାରିବେ।
ଅଷ୍ଟ୍ରେଲିଆ ଟୁର୍ରେ ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗି ଟିମ୍ ଇଣ୍ଡିଆର ୫ କ୍ରିକେଟର୍ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ୍, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଆଇସୋଲେସନରେ ଥିଲେ।
ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗି ଏହି ଖେଳାଳିମାନେ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଉଥିଲେ। ଜଣେ ପ୍ରଶଂସକ ଖେଳାଳିମାନେ ଖାଉଥିବାର ଭିଡିଓ କରି ଟ୍ୱିଟରରେ ପୋଷ୍ଟ କରିଥିଲେ। ଏପରିକି ଖେଳାଳିଙ୍କୁ ସେ ଆଲିଙ୍ଗନ କରିଥିବା ପୋଷ୍ଟରେ ଦର୍ଶାଇଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଖେଳାଳିଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି।
ଆସନ୍ତା ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ। ଆଡିଲେଡ୍ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ନୈରାଶଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ୮ୱିକେଟ୍ରେ ହାରିଥିଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇଂନିସରେ ମାତ୍ର ୩୬ ରନ୍ କରିପାରିଥିଲା ଦଳ। କିନ୍ତୁ ମେଲବର୍ଣ୍ଣ ଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତ ପ୍ରତିଶୋଧ ନେଇଥିଲା। ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ବରାବର କରିବା ସହ ବକ୍ସିଂ ଡେ ଟେଷ୍ଟରେ ଭାରତର ଏହା ଥିଲା ଚତୁର୍ଥ ବିଜୟ।