ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ଇଂଲଣ୍ଡ

ବର୍ମିଂହାମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଜେସନ୍ ରୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଇଂଲଣ୍ଡର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ହେବ। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ, ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଥିଲା।

ଗୁରୁବାର ଏଜବାଷ୍ଟନରେ ଖେଳାଯାଇଥିବା ଏହି ମ୍ୟାଚରେ କ୍ରିସ୍ ଓକ୍ସ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ ଏକାକୀ ଲଢ଼ିଥିଲେ। ସେ ୧୧୯ ବଲରେ ୬ ଚୌକା ସହ ୮୫ ରନ୍ କରିଥିଲେ। ଜବାବରେ ଇଂଲଣ୍ଡ ମାତ୍ର ୩୨.୧ ଓଭରରେ ୨ ୱିକେଟ୍ ହରାଇ ୨୨୬ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ଇଂଲଣ୍ଡ ପକ୍ଷରୁ ରୟ ସର୍ବାଧିକ ୮୫ (୬୫ ବଲ୍, ୯ ଚୌକା, ୫ ଛକା) ରନ୍ କରି ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ନେଇଥିବା ବେଳେ ଜୋ ରୁଟ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ।

ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ଏହି ଲକ୍ଷ୍ୟକୁ ପିଛା କରିବା ଇଂଲଣ୍ଡ ପକ୍ଷେ କଷ୍ଟକର ହେବ ବୋଲି ଲାଗୁଥିଲା। କିନ୍ତୁ ଆୟୋଜକ ଦଳର ଦୁଇ ଇନଫର୍ମ ଓପ୍ନର ଜନ୍ନି ବେୟାରଷ୍ଟୋ ଓ ଜେସନ୍ ରୟ ଆରମ୍ଭରୁ ଅଷ୍ଟ୍ରେଲୀୟ ପେସରଙ୍କୁ ଆକ୍ରମଣ କରିଥିଲେ। ବିଶେଷକରି ଜେସନ୍ ରୟ ଦ୍ରୁତ ରନ୍ କରି ଇଂଲଣ୍ଡ ଉପରୁ ଚାପ ହଟାଇ ଦେଇଥିଲେ। ରୟ ୫୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ବେୟାରଷ୍ଟୋ ବିଫଳ ରହିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୨୪ ରନ୍ ଯୋଡ଼ି ଇଂଲଣ୍ଡ ପାଇଁ ବିଜୟ ମୂଳଦୁଆ ପକାଇଥିଲେ।

You might also like