ଦିନେ ବିଲରେ କାମ କରୁଥିଲେ, ଆଜି ଅନ୍ତର୍ଜାତୀୟ କ୍ରିକେଟର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଛି ଅଣ୍ଡର-୧୯ ୱାର୍ଲଡ କପ୍‌ ମ୍ୟାଚ୍‌। ଟିମ୍‌ ଇଣ୍ଡିଆ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ସେମି ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ୩ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆକୁ ୭୪ ରନ୍‌ରେ ହରାଇ ସେମିକୁ ଯିବାର ଗୌରବ ହାସଲ କରିଥିଲା। ତେବେ ଭାରତର ଏହି ସଫଳତା ପାଇଁ ଯଦି କାହାକୁ ଶ୍ରେୟ ଦିଆଯାଏ ତେବେ ସେ ହେଉଛନ୍ତି ଦ୍ରୁତ୍‌ ବୋଲର କାର୍ତ୍ତିକ ତ୍ୟାଗୀ।

ଭାରତୀୟ କ୍ରିକେଟ ଦୁନିଆର ଏକ ଉଦୀୟମାନ କ୍ରିକେଟର କାର୍ତ୍ତିକ। ଉତ୍ତରପ୍ରଦେଶର କାର୍ତ୍ତିକ କ୍ୱଟର ଫାଇନାଲ୍‌ରେ ୮ ଓଭରରେ ୨୪ ରନ ଦେଇ ୪ ୱିକେଟ ହାସଲ କରିଥିଲେ। ମାତ୍ର ୨୩୩ ରନ୍‌ର ପିଛା କରି ସହଜ ବିଜୟ ହାସଲ କରିବାକୁ ଆଶା ରଖିଥିବା ଅଷ୍ଟ୍ରେଲିଆକୁ ମାତ୍ର ୧୫୯ ରନ୍‌ରେ ଅଟକାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ କାର୍ତ୍ତିକ। ତେବେ ଜାଣନ୍ତି କାର୍ତ୍ତିକ କିପରି କ୍ରିକେଟ ଦୁନିଆକୁ ଆସିଲେ ଏବଂ ଏଠି ପହଞ୍ଚିବା ପାଇଁ ତାଙ୍କୁ କେତେ ପ୍ରତିକୂଳ ସ୍ରୋତର ସାମ୍ନା କରିବାକୁ ପଡ଼ିଛି !

କାର୍ତ୍ତିକଙ୍କ ବାପା ଥିଲେ ଜଣେ ଶ୍ରମିକ। କାର୍ତ୍ତିକ ମଧ୍ୟ ତାଙ୍କ ବାପାଙ୍କ ସହ କାମ କରିବାକୁ ମଧ୍ୟ ଯାଆନ୍ତି। ଏକ ଗରିବ ପରିବାରରୁ ଆସିଥିବା କାର୍ତ୍ତିକଙ୍କୁ ଇଣ୍ଟରନାଶନାଲ ଟିମକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଛି। କ୍ରିକେଟ ତାଲିମ ପାଇଁ ପିତା ଯୋଗେନ୍ଦ୍ରଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ତେବେ ସବୁ ସଂଘର୍ଷ ଭିତରେ କାର୍ତ୍ତିକ ଦୃଢ ନିଷ୍ପତ୍ତି ନେଇଥିଲେ ଯେ ସେ କ୍ରିକେଟର ହେବେ।

୧୭ ବର୍ଷରୁ କମ୍‌ ତ୍ୟାଗୀ କୁଚ ବେହାର ଟ୍ରଫିରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ରଣଜୀ ଟ୍ରଫିରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଥିଲେ। ସେ ବିଦର୍ଭ ବିପକ୍ଷ ଏକ ମ୍ୟାଚରେ ଭଲ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମ୍ୟାଚ୍‌ ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। କାର୍ତ୍ତିକ ପ୍ରଥମ ଥର ପାଇଁ ଗତବର୍ଷ ଜୁନ୍‌-ଜୁଲାଇରେ ଅଣ୍ଡର-୧୯ ଟିମ୍‌ ପାଇଁ ମନୋନୀତ ହୋଇଥିଲେ।

କାର୍ତ୍ତିକ କୁହନ୍ତି, ବିସିସିଆଇ ମ୍ୟାନେଜର ଅମିତ୍‌ ସିଦ୍ଧେଶ୍ୱର ସାର୍‌ଙ୍କ ପାଖରୁ ଫୋନ ଆସିଲା ଏବଂ ସେ କହିଲେ ଅଣ୍ଡର -୧୯ ପାଇଁ ମୁଁ ମନୋନୀତ ହୋଇଛି। ତେବେ ଏହି ଜାଗାରେ ପହଞ୍ଚିବା ପାଇଁ ମୁଁ ଓ ମୋ ବାପାଙ୍କୁ ବହୁ କଷ୍ଟର ସାମ୍ନା କରିବାକୁ ପଡ଼ିଛି। ପିଲାଦିନରୁ ମୋର କ୍ରିକେଟ ପ୍ରତି ବହୁତ ରୁଚି ଥିଲା । ଏସବୁ ମୋତେ ବାପା ହିଁ ଶିଖାଇଛନ୍ତି ଏବଂ ସହଯୋଗ ମଧ୍ୟ କରିଛନ୍ତି।

ଯାହା ହେଉ, ଅଣ୍ଡର-୧୯ ୱାର୍ଲଡ କପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲକୁ ଯିବା ପରେ ଏବେ ସମସ୍ତଙ୍କ ନଜର ପଡ଼ିଛି କାର୍ତ୍ତିକ ତ୍ୟାଗୀଙ୍କ ଉପରେ।

 

You might also like