ବିଶ୍ୱକପ୍‌ ହକି: ହୋମ୍‌ ଗ୍ରାଉଣ୍ଡ୍‌ରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ

ଭୁବନେଶ୍ୱର: ହୋମ୍ ଗ୍ରାଉଣ୍ଡ, ହୋମ୍ କ୍ରାଉଡ୍‌ରେ ଆଜି ଲଢ଼େଇକୁ ଓହ୍ଲାଇଛି ଭାରତୀୟ ହକି ଦଳ। ହକି ବିଶ୍ୱକପ୍ ଉଦ୍‌ଘାଟନୀ ମ୍ୟାଚ୍‌ରେ ଟପ୍ ଟିମ୍ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ। ତେଣୁ ଟିମ୍ ଇଣ୍ଡିଆକୁ ଚିଅର୍‌ ଅପ୍ କରିବାକୁ ଦର୍ଶକ ବି ପୂରା ଜୋସ୍‌ରେ ଅଛନ୍ତି।

ଟିମ୍ ଇଣ୍ଡିଆକୁ ଚିଅର୍‌ ଅପ୍ କରିବାକୁ କଳିଙ୍ଗ ଷ୍ଟାଡିୟମ୍ ଆଗରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଫ୍ୟାନ୍‌ଙ୍କ ଭିଡ଼। କିଏ ପୋଷ୍ଟର ଧରି ଚକ୍‌ଦେ ଇଣ୍ଡିଆର ନାରା ଦେଉଥିଲା ତ ପୁଣି କିଏ ସଜେଇ ହୋଇଥିଲା ଭିନ୍ନ ଢଙ୍ଗରେ।

ଏଣେ ବିଶ୍ୱକପ୍‌ର ଫାଷ୍ଟ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବି କିଛି କମ୍ ନଥିଲା। ଅପରାହ୍ନ ୩ଟାରୁ ଷ୍ଟାଡିୟମ୍ ଭିତରକୁ ଟିକେଟ୍ ଦେଖାଇ ପ୍ରବେଶ କରିଥିଲେ ଦର୍ଶକ।

ସନ୍ଧ୍ୟା ୫ଟାରୁ କାନାଡ଼ା-ବେଲ୍‌ଜିୟମ୍ ମ୍ୟାଚ୍‌କୁ ଉପଭୋଗ କରି ସାରିବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ଏସିଆ ଓ ଆଫ୍ରିକାର ଦୁଇ ଟପ୍ ଟିମ୍। ମ୍ୟାଚ୍ ଦେଖିବାକୁ ବହୁ ଆଗରୁ ବିଦେଶୀ ଦର୍ଶକ ବି ପହଞ୍ଚି ଯାଇଥିଲେ।

ତେଣେ ବିଶ୍ୱକପ୍ କପ୍ ହକି ଉଦ୍‌ଘାଟନୀ ଉତ୍ସବର ପାର୍ଟ ଟୁ ଦେଖିବାକୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ବି ଜବରଦସ୍ତ ଭିଡ଼ ଦେଖିବାକୁ ମିଳିଛି।

ଗତକାଲି କଳିଙ୍ଗ ଷ୍ଟାଡିୟମ୍‌ରେ ଶାହରୁଖ ଓ ମାଧୁରୀଙ୍କ ଜଲଓ୍ୱା ପରେ ଆଜି ବାରବାଟୀରେ ସଲମାନଙ୍କ ସୋ ସାଙ୍ଗକୁ ଏ.ଆର. ରେହମାନଙ୍କ ଧୁନ୍‌ରେ ମତୁଆଲା ହେବାକୁ ଫ୍ୟାନ୍‌ଙ୍କ ଉତ୍ସାହ ଦ୍ୱିଗୁଣିତ ଦିଶୁଥିଲା।

ଅପରାହ୍ନ ସାଢ଼େ ୨ଟାରୁ ଷ୍ଟାଡିୟମ୍ ଭିତରକୁ ଯିବା ପାଇଁ ଦର୍ଶକଙ୍କ ଲାଇନ୍ ଲାଗିଯାଇଥିଲା।

କିଏ ମୁହଁକୁ ତ୍ରିରଙ୍ଗାରେ ସଜେଇଥିଲା ତ ପୁଣି କିଏ ଟିକେଟ୍ ଟିଏ ପାଇ ଭାରି ଖୁସି ଅନୁଭବ କରୁଥିଲା। ପ୍ରଥମ ଥର ଲାଗି ସଲମାନ ଓଡ଼ିଶା ଆସୁଥିବାରୁ ତାଙ୍କ ଝଲକ ଟିକେ ପାଇବାକୁ ଉତ୍ସାହିତ ଥିଲେ ଦର୍ଶକ।

You might also like