ହକି ବିଶ୍ୱକପ୍‌: ଆଜି ଭାରତ-କାନାଡ଼ା ଟକ୍କର

ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଆଜି ପୁଲ ‘ସି’ରେ ଶେଷ ଲିଗ ମ୍ୟାଚ୍ ଟକ୍କର ହେବ। ଆୟୋଜକ ଭାରତ ସହ କାନାଡ଼ାର ହେବ ମୁକାବିଲା । ଭାରତ ବିଶ୍ୱ ରାଙ୍କିଙ୍ଗର ୫ ନମ୍ବର ସ୍ଥାନରେ ଥିବାବେଳେ କାନାଡ଼ାର ରାଙ୍କ ହେଉଛି ୧୧। ରେକର୍ଡ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ରହିଥିବାବେଳେ ହୋମ୍ ଗ୍ରାଉଣ୍ଡ ଆଡଭାଣ୍ଟେଜ ମଧ୍ୟ ରହିଛି । ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ୨ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲ୍ ଶୀର୍ଷରେ ରହିଛି । ଅନ୍ୟପଟେ କାନାଡ଼ା ଗୋଟିଏ ଡ୍ର’ ଓ ଗୋଟିଏ ପରାଜୟ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି ।୨୦୧୩ ପରଠାରୁ ଉଭୟ ଦେଶ ମଧ୍ୟରେ ହୋଇଥିବା ୫ଟି ମୁକାବିଲାରେ ଭାରତ ୩ଟିରେ ଓ କାନାଡ଼ା ଗୋଟିଏରେ ବିଜୟୀ ହୋଇଛି।

ଅନ୍ୟ ଏକ ମ୍ୟାଚ୍ ଡ୍ର ରହିଛି। ସେପଟେ ଆଜି ଅନ୍ୟ ଏକ ମ୍ୟାଚ୍‌ରେ ଶକ୍ତିଶାଳୀ ବେଲଜିୟମକୁ ସାମ୍ନା କରିବ ଦକ୍ଷିଣ ଆଫ୍ରିକା। ବେଲଜିୟମ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇଥିଲେ ବି ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ରହିଛି।  ଅପରପକ୍ଷରେ ସାଉଥ୍‌ ଆଫ୍ରିକା

୨ଟି ମ୍ୟାଚ୍‌ରୁ ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ତାଲିକାର ଶେଷରେ ରହିଛି। ଏହି ମ୍ୟାଚ୍‌ରେ ବେଲଜିୟମ ବୃହତ ଗୋଲ ବ୍ୟବଧାନରେ ଜିତି ସିଧାସଳଖ କ୍ୱାର୍ଟର ଫାଇନାଲ ଟିକଟ୍ କାଟିବକୁ ଉଦ୍ୟମ କରିବ। ପୁଲ୍‌୨ ଓ ୩ ନମ୍ବର ଟିମ୍‌କୁ କ୍ୱାର୍ଟର ଫାଇନାଲ୍ ଯିବାକୁ କ୍ରସ୍ ଓଭର୍ ମ୍ୟାଚ୍ ଖେଳିବାକୁ ପଡ଼ିବ।  ଆଜିର ମ୍ୟାଚ ପରେ  ସ୍ପଷ୍ଟ ହେବ କିଏ କ୍ୱାର୍ଟର ଫାଇନାଲକୁ ଯିବ, ଆଉ କିଏ ଖେଳିବ କ୍ରସ ଓଭର୍ ମ୍ୟାଚ।

You might also like