ମହିଳା ଦଳରେ ସଫଳତା ସାଉଁଟିବା ପରେ ପୁରୁଷ ଦଳର ଗୁରୁ ଦାୟିତ୍ୱ ନେଇଛନ୍ତି ଏହି ହକି କୋଚ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ହକି ମହାକୁମ୍ଭ। ଆଉ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ବିଶ୍ୱର ୧୬ଟି ଦେଶ। ଚଳିତ ହକି ବିଶ୍ୱକପ୍ ମୁକାବିଲାରେ ଭାଗ ନେଇଥିବା ୧୬ ଟିମ୍‌ରୁ ଅଧିକାଂଶ ଦଳର କୋଚ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସାମଞ୍ଜସ୍ୟତା ଅର୍ଥାତ୍‌ ୧୦ଟି ଟିମ୍‌ର କୋଚ୍ ଏହା ପୂର୍ବରୁ ମହିଳା ଦଳରେ ସଫଳତା ସାଉଁଟିବା ପରେ ଏବେ ପୁରୁଷ ଦଳର ଗୁରୁ ଦାୟିତ୍ୱ ନେଇଛନ୍ତି।

ଭାରତୀୟ ଟିମ୍‌ର କୋଚ୍ ହରେନ୍ଦ୍ର ସିଂ ୨୦୧୭ ରେ ଭାରତୀୟ ମହିଳା ହକି ଟିମ୍‌ର କୋଚ୍ ଥିଲେ।  ୨୦୧୭ରେ ଦଳକୁ ଏସିଆ କପ୍‌ରେ ଚାମ୍ପିଅନ୍‌ କରିବା ପରେ ୨୦୧୮ ମେ ରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ଭାବେ ସେ ନିଯୁକ୍ତ ହୋଇଥିଲେ।

ଇଂଲଣ୍ଡର ମୁଖ୍ୟ କୋଚ୍‌ ଡାନି କେରି ଥିଲେ ସେହି ଦେଶର ମହିଳା ଟିମ୍‌ର କୋଚ୍। ୨୦୧୬ ରିଓ ଅଲିମ୍ପିକସ୍‌ରେ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇବାରୁ ତାଙ୍କୁ ଇଂଲଣ୍ଡ ପୁରୁଷ ଟିମ୍‌ର କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା।

ନେଦରଲ୍ୟାଣ୍ଡର ମୁଖ୍ୟ କୋଚ୍‌ ମାକ୍ସିମିଲିଆନୋ କାଲ୍‌ଦାସ୍‌ ବି ପୂର୍ବରୁ ସେହି ଦେଶର ମହିଳା ଟିମ୍‌ର କୋଚ୍ ଦାୟିତ୍ୱ ତୁଲାଉଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ସେ ବି ପୁରୁଷ ହକି ଦଳର କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ମାଲେସିଆର କୋଚ୍‌ ରୋଏଲାଣ୍ଟ ଓଲଟ୍‌ମ୍ୟାନ୍‌ସ୍‌ଙ୍କର ବି ରହିଛି ସମାନ ଅଭିଜ୍ଞତା। ସେହିଭଳି ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍‌ ଡାରେନ୍‌ ସ୍ମିଥ୍‌ଙ୍କୁ ପୂର୍ବରୁ ଆୟରଲ୍ୟାଣ୍ଡ ମହିଳା ଟିମ୍‌ର ମୁଖ୍ୟ କୋଚ୍ ଭାବେ ଦେଖିବାକୁ ମିଳିଥିଲା।

ଦକ୍ଷିଣ ଆଫ୍ରିକା କୋଚ୍‌ ମାର୍କ ହପ୍‌କିନ୍‌ସ୍‌ଙ୍କ କ୍ୟାରିଅର ମଧ୍ୟ ଆରମ୍ଭ ହୋଇଥିଲା ମହିଳା ହକି କୋଚ୍‌ରୁ। ସେହିଭଳି ଆୟରଲ୍ୟାଣ୍ଡ୍ କୋଚ୍ ଆଲେକ୍‌ଜାଣ୍ଡର କକ୍ସ, ଚୀନର କୋଚ୍‌ କିମ୍ ସାଙ୍ଗ୍‌ ରିୟୁଲ, ବେଲଜିୟମ ଟିମ୍‌ର କୋଚ୍‌ ସେନ୍ ମ୍ୟାକ୍‌ଲିଅଡ୍‌ ମଧ୍ୟ ପୂର୍ବରୁ ମହିଳା ଦଳର କୋଚ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

You might also like