ଆଉ ନାହାନ୍ତି ହକି ଜଗତର ଉଜ୍ଜ୍ୱଳ ତାରକା ବଲବୀର ସିଂହ

ଚଣ୍ଡୀଗଡ: ଅଲମ୍ପିକ୍‌ରେ ତିନି ତିନି ଥର ସ୍ୱର୍ଣ୍ଣ ପଦକ ଜିତିଥିବା ମହାନ ହକି ଖେଳାଳୀ ବଲବୀର ସିଂହ ସିନିୟରଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଗତ ଦୁଇ ସପ୍ତାହ ଧରି ସେ  ଅସୁସ୍ଥ ଥିଲେ। ତାଙ୍କୁ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଆଜି ୬.୩୦ରେ ବଲବୀର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ବଲବୀରଙ୍କ ପରିବାର ଅର୍ଥାତ୍‌ ଝିଅ ସୁଶବୀର, ତିନି ପୁଅ କମ୍ବଲବୀର, କରଣବୀର ଏବଂ ଗୁରବୀର ଚଣ୍ଡୀଗଡରେ ରୁହନ୍ତି। ବଲବୀରଙ୍କ ପୁଅ କରଣବୀରଙ୍କ କହିବା ଅନୁଯାୟୀ ମେ’୮ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଜ୍ୱରରେ ଆକ୍ରାନ୍ତ ହେବା ସହିତ ନିଃଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଥିଲା। ମେ’ ୧୮ ତାରିଖରୁ କୋମାରେ ଥିଲେ। ତେବେ ତାଙ୍କର କରୋନା ପରୀକ୍ଷା ହୋଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା।

ହକି ଜଗତରେ ଏକ ଉଜ୍ଜ୍ୱଳ ତାରକା ଥିଲେ ବଲବୀର।  ୧୯୫୨ରେ ହେଲସିଙ୍କି ଅଲମ୍ପିକ୍‌ ଫାଇନାଲ୍‌ରେ ନେଦରଲାଣ୍ଡ ବିରୋଧରେ ୫ ଗୋଲ୍ କରି ଯେଉଁ ରେକର୍ଡ କରିଥିଲେ ଆଜିଯାଏ ତାହାକୁ କେହି ଭାଙ୍ଗି ପାରନାହାନ୍ତି। ୧୯୫୭ରେ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା।

ବଲବୀର ସିନିୟର ଲଣ୍ଡନ(୧୯୪୮), ହୋଲସିଙ୍କି(୧୯୫୨) ଏବଂ ମେଲବର୍ଣ୍ଣ (୧୯୫୬)ରେ ଅଲମ୍ପିକ ଖେଳି ସ୍ୱର୍ଣ୍ଣପଦକ ଜିତିଥିଲେ। ୧୯୭୫ରେ ବିଶ୍ୱକପ୍‌ ଜିତିଥିବା ଭାରତୀୟ ଟିମ୍‌ର ମ୍ୟାନେଜର ଥିଲେ।

You might also like