ବାର୍ସିଲୋନାରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପ୍‌ର ଯାତ୍ରା

୪୭ ବର୍ଷର ହକି ବିଶ୍ୱକପ୍‌ ଇତିହାସ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ହେଉଥିବା ହକି ବିଶ୍ୱକପ୍‌ ହେଉଛି ମହାକୁମ୍ଭର ଚତୁର୍ଦ୍ଦଶ ସଂସ୍କରଣ। ୧୯୭୧ରେ ସ୍ପେନର ବାର୍ସିଲୋନାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ଏହି ଅବସରରେ ଆସନ୍ତୁ  ଜାଣିବା ହକି ମହାସମରର ଦୀର୍ଘ ୪୭ ବର୍ଷର ଇତିହାସ ବିଷୟରେ।

୧୯୭୧ ମସିହାରେ ପାକିସ୍ତାନର ତତ୍କାଳୀନ ଏୟାର୍ ଚିଫ୍ ମାର୍ଶାଲ୍ ନୁର୍‌ ଖାନ୍‌ ପ୍ରଥମେ ଏଭଳି ଏକ ପରିକଳ୍ପନା କରିଥିଲେ। ତାଙ୍କର ଏହି ପ୍ରସ୍ତାବ ହକି ୱାର୍ଲଡ୍‌ ମ୍ୟାଗାଜିନ୍‌ ଜରିଆରେ ଅନ୍ତର୍ଜାତୀୟ ହକି ଫେଡେରେସ‌ନ୍‌କୁ ଜଣାଇଥିଲେ।

୧୯୭୦ ମସିହାରେ ଫେଡେରେସ‌ନ୍‌ର  କାଉନସିଲ୍‌ ବୈଠକରେ ବିଶ୍ୱକପ୍‌ ଆୟୋଜନର ନିଷ୍ପତ୍ତି ନିଆଗଲା। ପ୍ରଥମ ବିଶ୍ୱକପ୍ ପକିସ୍ତାନରେ  ଆୟୋଜନ ହେବା ନେଇ ସ୍ଥିର ହୋଇଥିଲା। ତେବେ ରାଜନୈତିକ ଅସ୍ଥିରତା କାରଣରୁ  FIH କର୍ତ୍ତୃପକ୍ଷ ସ୍ପେନର ବାର୍ସିଲୋନା ସହରକୁ ହିଁ ଚୟନ କରିଥିଲେ।

୧୯୭୧ ମସିହାରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ୧୨ଟି ଟିମ୍‌ ଭାଗ ନେଇଥିଲେ। ପ୍ରଥମ ତିନୋଟି ବିଶ୍ୱକପ୍‌ ଦୁଇ ବର୍ଷ ବ୍ୟବଧାନରେ ଖେଳାଯାଇଥିଲା। ଏହାପରେ ପ୍ରତ୍ୟେକ ବିଶ୍ୱକପ୍‌ ୪ ବର୍ଷ ବ୍ୟବଧାନରେ ଆୟୋଜିତ ହୋଇ ଆସୁଛି।

ଆଜି ପର୍ଯ୍ୟନ୍ତ ମୋଟ ୯ଟି ଦେଶରେ ବିଶ୍ୱକପ୍‌ ଆୟୋଜନ ହୋଇସାରିଛି। ତେବେ ଭାରତ ତୃତୀୟ ଥର ପାଇଁ ହକି  ବିଶ୍ୱକପ୍‌ର  ଆୟୋଜନ କରୁଛି।

୧୯୮୨ ମସିହାରେ  ମୁମ୍ବାଇରେ ପ୍ରଥମ ଥର ପାଇଁ ଭାରତରେ ହକି ବିଶ୍ୱକପ୍‌ ହୋଇଥିଲା। ଏହାପରେ ୨୦୧୦ ମସିହାରେ  ନୂଆଦିଲ୍ଲୀରେ  ଏହି ହକି ମହାକୁମ୍ଭର ଆୟୋଜନ କରିଥିଲା ଭାରତ। ପୂର୍ବରୁ ଚାମ୍ପିୟାନ୍ସ ଟ୍ରଫି ଓ ୱାର୍ଲଡ୍ ହକି ଲିଗ୍‌ ଭଳି  ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜନ  କରିସାରିଥିବା କଳିଙ୍ଗ ଷ୍ଟାଡିୟମ୍‌ରେ ଏଥର ଆୟୋଜନ କରୁଛି ବିଶ୍ୱ ହକି ମହାସମରର ଚତୁର୍ଦ୍ଦଶ ସଂସ୍କରଣ।

ହକି ବିଶ୍ୱକପ୍‌ ଇତିହାସରେ ସବୁଠୁ ସଫଳ ଦେଶର ଶ୍ରେୟ ଯାଉଛି ପାକିସ୍ତାନକୁ। ଏପର୍ଯ୍ୟନ୍ତ ଏକ ମାତ୍ର ରାଷ୍ଟ୍ରଭାବେ ୪ ଥର ଚାମ୍ପିୟନ୍‌ ହେବାର ଗୌରବ ଅର୍ଜନ କରିଛି ପକିସ୍ତାନ। ନେଦର୍‌ଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏ ଟ୍ରଫି ହାସଲ କରିଛନ୍ତି ଜର୍ମାନୀ। ୨ ଥର ଚାମ୍ପିୟନଶିପ୍ ଟାଇଟଲ୍‌ ଜିତିଛି। ତେବେ ଭାରତ ମାତ୍ର ଥରେ ୧୯୭୫ ମସିହା କୁଆଲାଲୁମ୍ପୁରରେ ହୋଇଥିବା ବିଶ୍ୱକପରେ  ଚାମ୍ପିୟାନ  ହୋଇଛି।

You might also like