ଜାତୀୟ ଆଥଲେଟିକସ ଏକାଡେମୀ କରାଯିବାର ଯୋଜନା
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ରେ ହେବ ପୂର୍ବାଞ୍ଚଳ ରିଜିଓନାଲ ଆଥଲେଟିକସ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୨୦୦, ୪୦୦, ୮୦୦ ମିଟର ଆଦି ଦୌଡ ଇଭେଣ୍ଟରେ ପ୍ରଶିକ୍ଷଣ ଦିଆଯିବ। ୩୦ ଜଣ ପ୍ରତିଭାବାନ୍ ଆଥଲେଟଙ୍କୁ ଚୟନ କରାଯାଇ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଦ୍ୱିତୀୟ ପର୍ଯ୍ୟାୟରେ ୧୫ଶହ ମିଟର, ହେପଟାଥଲନ ଏବଂ ଜମ୍ପିଂ ଇଭେଣ୍ଟ ଗୁଡିକୁ ସ୍ଥାନ ଦିଆଯାଇ ଜାତୀୟ ଆଥଲେଟିକସ ଏକାଡେମୀ କରାଯିବାର ଯୋଜନା ରହିଛି। ଜୁଲାଇ-ଅଗଷ୍ଟ ମାସରେ ଏହି ଏକାଡେମୀ କାର୍ଯ୍ୟକ୍ଷମ ହେବ।
ଏକାଡେମୀ ପାଇଁ ଦୁଇ ଜଣ ବିଶ୍ୱ ସ୍ତରୀୟ କୋଚ୍ ଦେମିତ୍ରୀ ଭିନାୟକ ଏବଂ ନିକ୍ ବିଦୋଙ୍କୁ ଡକାଯାଇ ଏକାଡେମୀର ପ୍ଲାନ ଓ ପ୍ରୋଗ୍ରାମ ପ୍ରସ୍ତୁତ ହେବ। ଏଥି ସହିତ ପ୍ରୋଗ୍ରାମ ଡାଇରେକ୍ଟର, ମୁଖ୍ୟ କୋଚ , ସ୍ପେଶାଲ କୋଚ୍ ଏବଂ ଫିଜିଓଙ୍କୁ ମଧ୍ୟ ଏକାଡେମୀରେ ନିଯୁକ୍ତି ଦିଆଯିବ। ଏଥିପାଇଁ ବାର୍ଷିକ ୧୨ରୁ ୧୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
୨୦୧୭ ଜୁଲାଇରେ ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ ସରିବା ପରେ ହାଇ ପରଫର୍ମାନସ ଏକାଡେମୀ ପାଇଁ କ୍ରୀଡା ବିଭାଗ ଏବଂ ଆଥଲେଟିକସ ଫେଡରେସନ ଅଫ୍ ଇଣ୍ଡିଆ ମଧ୍ୟରେ ଏକ MOU ସ୍ୱାକ୍ଷରିତ ହୋଇଥିଲା। ଏକାଡେମୀର ପ୍ରଫେସନାଲ ମ୍ୟାନେଜମେଣ୍ଟ ପାଇଁ ଟାଟା ଷ୍ଟିଲ ସାଙ୍ଗରେ ମଧ୍ୟ ଖୁବ୍ ଶୀଘ୍ର ଏମ୍ଓୟୁ ହେବ।