ଡ୍ରେସିଂ ରୁମରେ ପନ୍ତଙ୍କୁ ଏମିତି କହିଲେ ରବି ଶାସ୍ତ୍ରୀ…ହୁଇସିଲ୍ ମାରିଲେ ସାଥୀ ଖେଳାଳି
ଗତକାଲି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ବିପକ୍ଷରେ ଭାରତୀୟ କ୍ରିକେଟ୍ ଟିମର ଐତିହାସିକ ଟେଷ୍ଟ ବିଜୟ ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି। ତେବେ ଖେଳ ସରିବା ପରେ ପରେ ଡ୍ରେସିଂ ରୁମରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଭିଡିଓଟିକୁ ସବୁଠାରୁ ବେଶୀ ଲୋକ ପସନ୍ଦ କରୁଛନ୍ତି।
ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ନିଜେ ରବି ଶାସ୍ତ୍ରୀ ଖେଳାଳିମାନଙ୍କୁ କେମିତି ଉତ୍ସାହିତ କରୁଛନ୍ତି ଏହି ଭିଡିଓରେ ଦେଖିବାକୁ ମିଳିଛି। ମାତ୍ର ୪୦ ସେକେଣ୍ଡର ଏହି ଭିଡିଓଟି ବିସିସିଆଇ ପକ୍ଷରୁ ଟୁଇଟ୍ କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଖେଳାଳିମାନେ ବେଶ ଉତ୍ସାହରେ ଅଛନ୍ତି। ଦଳର ମୁଖ କୋଚ୍ ରବି ଶାସ୍ତ୍ରୀ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନାଁ ନେଇ ସେମାନଙ୍କୁ ଚିଅର୍ ଅପ୍ କରୁଛନ୍ତି। ତାଙ୍କ ସହିତ ସେଠି ଏକାଠୀ ହୋଇଥିବା ଅନ୍ୟ ଖେଳାଳିମାନେ ଜଣେ ଅନ୍ୟ ଜଣଙ୍କୁ ଚିଅର ଅପ୍ କରୁଛନ୍ତି। ଏହି ସମୟରେ ପନ୍ତଙ୍କୁ ମଜାଳିଆ ଢଙ୍ଗରେ ପ୍ରଶଂସା କରୁଛନ୍ତି ରବି ଶାସ୍ତ୍ରୀ। ସେଠାରେ ଥିବା ଅନ୍ୟ ଖେଳାଳିମାନେ ଏହାକୁ ବେଶ ଉପଭୋଗ କରିବା ସହ ତାଳି ମାରିବା ସହ ହୁଇସିଲ୍ ମାରି ଉତ୍ସାହିତ କରୁଛନ୍ତି।
ଗତକାଲି ବ୍ରିସ୍ବେନ୍ର ଗାବା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଗାଭାସ୍କର ବୋର୍ଡର ଟ୍ରଫିରେ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଥିଲା ଟିମ୍ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୩ ୱିକେଟ୍ରେ ହରାଇଥିଲା ଭାରତ। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି ଖେଳି ଭାରତକୁ ଏହି ଐତିହାସିକ ବିଜୟ ଦେଇଛନ୍ତି।
ଅଜିଙ୍କ୍ୟା ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଥର ପାଇଁ ତା’ ଘରେ ପରାଜିତ କରି ଅର୍ଡର ଗାଭାସ୍କର ଟ୍ରଫି ନିଜ କବ୍ଜାକୁ ନେଇଛି। ଏଥିସହିତ ଗାବା ମୈଦାନରେ ଅଷ୍ଟ୍ରେଲିଆ ଚଳାଇ ଆସିଥିବା ବିଜୟଧାରାକୁ ଭାଙ୍ଗି ଦେଇଥିଲା ଟିମ୍ ଇଣ୍ଡିଆ।୧୯୮୮ ରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳି ପରାଜିତ ହୋଇଥିଲା। ଏହା ପରେ ଏହି ପଡ଼ିଆରେ ଅଷ୍ଟ୍ରେଲିଆ କେବେ ହାରି ନ ଥିଲା।
WATCH – Exclusive: Head Coach @RaviShastriOfc delivers a dressing room speech at Gabba.
A special series win in Australia calls for a special speech from the Head Coach. Do not miss!
Full 📽️📽️https://t.co/kSk2mbp309 #TeamIndia pic.twitter.com/Ga5AaMvkim
— BCCI (@BCCI) January 19, 2021
ମଙ୍ଗଳବାର ଏହି ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଯେମିତି ଟଙ୍କା ବର୍ଷୁଛି। ଏବେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ ମିଳିଛି। ବିସିସିଆଇର ସମ୍ପାଦକ ଜୟ ଶାହ ଭାରତୀୟ ଟିମ୍ର ଏପରି ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଏହି ବୋନସ ସମ୍ପର୍କରେ ଘୋଷଣା କରିଛନ୍ତି।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, “ଏହା ଏକ ସ୍ମରଣୀୟ ବିଜୟ। ଅଷ୍ଟ୍ରେଲିଆକୁ ଯାଇ ସେଠାରେ ଏଭଳି ସ୍ଥିତିରେ ମ୍ୟାଚ୍ ସହ ସିରିଜ୍ ଜିତିବା ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ। ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ଟଙ୍କାର ବୋନସ ଘୋଷଣା କରୁଛି। ସିରିଜ୍ ଜିତିବାର ମୂଲ୍ୟ ଏହି ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ।”
ସେହିପରି ଜୟ ଶାହ ଟ୍ୱିଟ କରି କହିଛନ୍ତି, ‘ବିସିସିଆଇ ଟିମ ଇଣ୍ଡିଆ ପାଇଁ ୫ କୋଟି ଟଙ୍କାର ବୋନସ ଘୋଷଣା କରିଛି। ଏହା ଟିମ୍ ଇଣ୍ଡିଆ ପାଇଁ ସ୍ୱତନ୍ତ୍ର ମୁହୂର୍ତ୍ତ। ଦକ୍ଷତାର ଏକ ଅନନ୍ୟ କୌଶଳ ଦେଖିବାକୁ ମିଳିଛି’ ବୋଲି ସେ କହିଛନ୍ତି। ଶ୍ରୀ ଶାହ ଟିମ୍ ଇଣ୍ଡିଆର ଯୁବ ବ୍ରିଗେଡଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।