କ୍ୟାନବେରା: କାନବେରାରେ ଅଷ୍ଟ୍ରେଲିଆ ସହିତ ଖେଳାଯାଉଥିବା ଶେଷ ତଥା ଅନ୍ତିମ ଦିନିକିଆରେ ପାଣ୍ଡ୍ୟା ଓ ଜାଡେଜାଙ୍କର ରେକର୍ଡ ବ୍ରେକିଂ ପାଟନରସିପ୍‌ ଦେଖିବାକୁ ମିଳିଛି। ୨୦ ବର୍ଷର ତଳର ରେକର୍ଡ ଭାଙ୍ଗିଛି ଏହି ଯୋଡ଼ି।

ମ୍ୟାଚ୍ ଚାଲିଥିବା ବେଳେ ୩୨ ଓଭରେ ବିରାଟ କୋହଲି ମାତ୍ର ୬୩ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବାର ଆଶା ମଉଳି ଯାଇଥିଲା। କିନ୍ତୁ ଏହି ଆଶାକୁ ପୁନର୍ଜିବୀତ କରିଥିଲା ପାଣ୍ଡ୍ୟା ଓ ଜାଡେଜାଙ୍କ ଯୋଡ଼ି। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୦୮ ବଲରେ ୧୫୦ ରନର ପାର୍ଟନର୍ସିପ୍‌ କରି ୨୧ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଷଷ୍ଠ ୱିକେଟ୍ ପାଇଁ ଏହା ସର୍ବାଧିକ ରନ୍। ଏହା ପୂର୍ବରୁ ୧୯୯୯ରେ ଭାରତର ରବୀନ ସିଂହ ଓ ସଦଗୋପନ ରମେଶଙ୍କଙ୍କ ଯୋଡ଼ି ଅଷ୍ଟ୍ରେଲିଆ ବିପକ୍ଷରେ କୋଲୋମ୍ବିଆରେ ୧୨୩ ରନ୍ କରିଥିଲେ।

ଏହା ବ୍ୟତୀତ ୱାନ୍‌ଡେ ମ୍ୟାଚ୍‌ରେ ଷଷ୍ଠ ୱିକେଟ୍‌ ପାଇଁ ହୋଇଥିବା ପାଟନର୍‌ସିପ୍‌ ସ୍କୋର୍ ମଧ୍ୟରେ ଏହା ତୃତୀୟ ସର୍ବାଧିକ ସ୍କୋର। ୨୦୦୫ରେ ଜିମ୍ବାୱେ ବିରୋଧରେ ଭାରତର ଯୁବରାଜ ସିଂହ ଓ ଏମ୍‌ଏସ୍‌ ଧୋନୀଙ୍କ ପାଟନର୍‌ସିପ୍‌ ୧୫୮ ରନ୍ କରିଥିଲା। ପୁଣି ୨୦୧୫ରେ ଅମ୍ବାତୀ ରାଇଡୁ ଓ ଷ୍ଟୁଆର୍ଟ ବିନିଙ୍କ ଯୋଡ଼ିଙ୍କ ଜିମ୍ବାୱେ ବିରୋଧରେ ଷଷ୍ଠ ୱିକେଟ୍ ପାଇଁ ୧୬୦ ରନ୍ କରିଥିଲେ। ଦୁଇଟି ଯାକ ମ୍ୟାଚ୍‌ ହାରାର୍‌ରେ ଖେଳାଯାଇଥିଲା।

ଆଜିର ମ୍ୟାଚ୍‌ ବିବରଣୀ:

କାନବେରାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୨ ରନ୍ କରିଛି। ଷଷ୍ଠ ୱିକେଟ୍ ପାଇଁ ପଡ଼ିଆକୁ ଓହ୍ଲାଇଥିବା ହାର୍ଦ୍ଦିକ ୭୬ ବଲରେ ୭ ଚୌକା ଓ ୧ ଛକା ସହ ୯୨ କରିଥିଲେ। ସେହିପରି ଜାଡେଜା ୫୦ ବଲରେ ୫ ଚୌକା ଓ ୩ ଛକା ସହ ୬୬ ରନ୍ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଅପରାଜିତ ରହିଛନ୍ତି।

ଆଜିର ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ। ଶୁବମନ୍ ଗିଲ୍ ଓ ଶିଖର ଧୱନ୍‌ଙ୍କ ଓପନିଂ ଯୋଡ଼ି ଆଜି ଭଲ ପ୍ରଦର୍ଶନ କରିପାରି ନଥିଲେ। ଧୱନ୍ ବ୍ୟକ୍ତିଗତ ଭାବେ ୧୬ ରନ୍ କରିଥିବା ବେଳେ ଗିଲ୍‌ ୩୩ ରନ୍ କରି ଆଉଟ୍ ହୋଇଥିଲେ।

ସେହିପରି କୋହଲି ୭୮ ବଲରେ ୫ ଚୌକା ସହ ୬୩ ରନ୍ କରି ଜୋଶ ହେଜଲଉଡଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଶ୍ରେୟସ୍ ଆୟର୍ ୧୯ ଓ ଲୋକେଶ ରାହୁଲ୍ ୫ ରନ୍‌ କରିଥିଲେ। ଏହି ସମୟରେ ଟିମ୍‌ ଇଣ୍ଡିଆ ୫ ୱିକେଟରେ ହରାଇ ୧୫୨ ରନ କରିପାରିଥିଲା। ଏହାପରେ ଷଷ୍ଠ ୱିକେଟ୍ ପାଇଁ ହାର୍ଦ୍ଦିକ ଓ ଜାଡେଜା ଦଳର ମଙ୍ଗ ଧରିଥିଲେ। ମ୍ୟାଚ୍‌ରେ ଶେଷ ୫ ଓଭରରେ ହାର୍ଦ୍ଦିକ ଓ ଜାଡେଜାଙ୍କ ଯୋଡ଼ି ୭୬ ରନ୍ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଗର ୨ଟି, ହେଜଲଉଡ୍, ଆବୋଟ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

Other Stories