୪୮ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

କ୍ରିକେଟ୍ ଜଗତରେ ସଚିନଙ୍କ ନାଁରେ ରହିଛି ଅନେକ କୀର୍ତ୍ତୀମାନ, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇଛନ୍ତି ବହୁ ପୁରସ୍କାର

  • ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ଜନ୍ମଦିନ
  • ୪୮ ବର୍ଷ ବୟସରେ ପାଦ ଥାପିଲେ ସଚିନ
  • ୧୯୭୩ ଏପ୍ରିଲ ୨୪ରେ ସଚିନଙ୍କ ଜନ୍ମ
  • କ୍ରିକେଟ୍ ଜଗତରେ ସଚିନଙ୍କ ନାଁରେ ରହିଛି ଅନେକ ରେକର୍ଡ
  • ଅନ୍ତର୍ଜାତୀୟ କ୍ରିକେଟରେ ୩୦ ହଜାରରୁ ଅଧିକ ରନର ରେକର୍ଡ
  • ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅରରେ ୧୦୦ ଶତକ ରେକର୍ଡ

୪୮ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆଜି ତାଙ୍କର ଜନ୍ମ ଦିନ । ଲିଜେଣ୍ଡ ଅଫ୍ ଦ ଗେମ୍, କ୍ରିକେଟ୍ ଭଗବାନ, ମାଷ୍ଟର ବ୍ଲାଷ୍ଟର ଭାବେ ଜଣାଶୁଣା ସଚିନ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟ୍ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ଅନେକ ରେକର୍ଡ କରି ସେ କ୍ରିକେଟ୍ ଜଗତରେ ଖ୍ୟାତି ହାସଲ କରିପାରିଛନ୍ତି  ।

ଅନ୍ତର୍ଜାତୀୟ କ୍ରିକେଟରେ ୩୦ ହଜାରରୁ ଅଧିକ ରନ୍ କରି ରେକର୍ଡ କରିଛନ୍ତି ସଚିନ । ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅରରେ ସେ ଶହେ ଟି ଶତକ ମାରିଛନ୍ତି  । ଏଥି ମଧ୍ୟରୁ ଏକ ଦିବସୀୟରେ ୪୯ଟି ଶତକ ରହିଥିବା ବେଳେ ଟେଷ୍ଟରେ ରହିଛି ୫୧ଟି ଶତକ । ଖେଳରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୪ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୧୯୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ, ୧୯୯୯ରେ ପଦ୍ମଶ୍ରୀ, ୨୦୦୮ରେ ପଦ୍ମ ବିଭୂଷଣ ଏବଂ ୨୦୧୪ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।

ରାଜାପୁରର ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ସଚିନଙ୍କ ବାପା ମରାଠୀ ବିଦ୍ୟାଳୟର ଶିକ୍ଷକ ଥିଲେ । ସେ ଏକାଧାରରେ ଥିଲେ ଜଣେ ଶିକ୍ଷକ, ଲେଖକ ଏବଂ କବି। ସଚିନଙ୍କ ବାପା ରମେଶ ତେନ୍ଦୁଲକର ତାଙ୍କ ପ୍ରିୟ ସଂଗୀତକାର ସଚିନ ଦେବ ବର୍ମନଙ୍କ ନାମରେ ସଚିନଙ୍କ ନାମ ରଖିଥିଲେ । ତାଙ୍କ ବଡ଼ ଭାଇ ଅଜିତ ତେନ୍ଦୁଲକର ତାଙ୍କୁ ସବୁବେଳେ କ୍ରିକେଟ୍ ଖେଳିବାକୁ ଉତ୍ସାହିତ କରିଥିଲେ। 

ମେ ୨୪ ୧୯୯୫ ରେ, ସଚିନ ତେନ୍ଦୁଲକର ଡକ୍ଟର ଅଞ୍ଜଳି ମେହେତାଙ୍କୁ ବିବାହ କରିଥିଲେ । ସଚିନ୍ ଏବଂ ଅଞ୍ଜଳିଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ବିମାନବନ୍ଦରରେ ଦେଖାସାକ୍ଷାତ ହୋଇଥିଲା । ସଚିନ ଏବଂ ଅଞ୍ଜଲିଙ୍କର ଦୁଇଟି ସନ୍ତାନ ଅଛନ୍ତି, ବଡ଼ ଝିଅ ସାରା ତେନ୍ଦୁଲକର ଏବଂ ପୁଅ ଅର୍ଜୁନ ତେନ୍ଦୁଲକର। କ୍ରିକେଟର ଭଗବାନ୍ ୨୦୦ ପିଲାଙ୍କ ପାଳନପୋଷଣ ଦାୟିତ୍ୱ ନେଇଥିବା ବେଳେ ଉପନାଳୟ ନାମକ ଏକ ବେସରକାରୀ ସଂଗଠନ ମଧ୍ୟ ଚଳାନ୍ତି । 

ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ ସୁଦ୍ଧା ନିଜ ନୀତି ଆଦର୍ଶ ଭୁଲିନାହାନ୍ତି ସଚିନ୍ ତେନ୍ଦୁଲକର । ପିଲାଦିନେ  ବାପାଙ୍କୁ କଥା ଦେଇଥିଲେ ମଦ ପିଇବେ ନାହିଁ କି ଏହାକୁ ପ୍ରୋତ୍ସାହନ ଦେବେ ନାହିଁ। ଆଉ ସେଥିପାଇଁ ୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନିର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍‌ ଆସିଥିଲା, ଯାହାକୁ ସେ ସଫାସଫା ମନା କରିଦେଇଥିଲା ।

 

 

 

You might also like