ପଜିଟିଭର ଦିନକ ପରେ ଆସିଲା ଏହି ପାକ୍ କ୍ରିକେଟରଙ୍କ ରିପୋର୍ଟ ନେଗେଟିଭ୍
କରାଚି: ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନର ସମ୍ଭାବ୍ୟ ୨୯ଜଣିଆ ଦଳରୁ ୧୦ଜଣ ଖେଳାଳିଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଜ୍ ଆସିଛି। ଏହି ୧୦ଜଣଙ୍କ ମଧ୍ୟରୁ ମଙ୍ଗଳବାର ୭ଜଣ କ୍ରିକେଟର୍ କରୋନାରେ ଚିହ୍ନଟ ହୋଇଥିଲେ। ସେମାନଙ୍କ ପାକିସ୍ତାନର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ହଫିଜଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। କିନ୍ତୁ ଏହାର ଦିନକ ପରେ ଅର୍ଥାତ୍ ବୁଧବାର ହଫିଜଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଯାହା ପରେ ପାକିସ୍ତାନରେ ଏବେ କୋଭିଡ୍ ଟେଷ୍ଟକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
ହଫିଜ୍ ବୁଧବାର ଟ୍ୱିଟ୍ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ହଫିଜ୍ କହିଛନ୍ତି, ‘ପିସିବିର ରିପୋର୍ଟରେ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ନିଜର ଆତ୍ମସନ୍ତୋଷ ପାଇଁ ପୂରା ପରିବାର ସହ ପୁଣିଥରେ ପରୀକ୍ଷା କରାଇବାକୁ ଯାଇଥିଲି, ଯେଉଁଥିରେ ଆମ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଭଗବାନ ଆମ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ।’
After Tested positive COVID-19 acc to PCB testing Report yesterday,as 2nd opinion & for satisfaction I personally went to Test it again along with my family and here I along with my all family members are reported Negetive Alham du Lillah. May Allah keep us all safe 🤲🏼 pic.twitter.com/qy0QgUvte0
— Mohammad Hafeez (@MHafeez22) June 24, 2020
ସୂଚନାଯୋଗ୍ୟ, ଆସନ୍ତା ୨୮ ତାରିଖରେ ଇଂଲଣ୍ଡ ଗସ୍ତ ପୂର୍ବରୁ ପିସିବି ସୋମବାର କରାଚିରେ ୩୫ଜଣ ଖେଳାଳିଙ୍କର କୋଭିଡ୍ ଟେଷ୍ଟ କରାଇଥିଲା। ସେଥିରୁ ପ୍ରଥମେ ତିନିଜଣ ଖେଳାଳି ଯଥା ହାଇଦର ଅଲୀ, ହାରିସ୍ ରୌଫ୍ ଓ ଶଦାବ୍ ଖାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ପରଦିନ ଅର୍ଥାତ୍ ମଙ୍ଗଳବାର ୭ଜଣ ଖେଳାଳି ଫକର ଜମାନ୍, ଇମ୍ରାନ୍ ଖାଦ୍, କାଶିଫ୍ ଭଟ୍ଟି, ମହମ୍ମଦ ହଫିଜ୍, ମହମ୍ମଦ୍ ହସନେନ୍, ମହମ୍ମଦ ରିଜୱାନ୍ ଓ ୱହାବ ରିଆଜ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏବେ ହଫିଜଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଅନ୍ୟ କ୍ରିକେଟରମାନେ ମଧ୍ୟ ପୁଣିଥରେ କୋଭିଡ୍ ଟେଷ୍ଟ କରାଇପାରନ୍ତି ବୋଲି କୁହାଯାଉଛି।