ବାରବାଟୀ ଷ୍ଟାଡିୟମର ଫ୍ଲଡ୍‌ଲାଇଟ୍‌ ମରାମତି କାମ ଆରମ୍ଭ

କଟକ: ଆସନ୍ତା ଡିସେମ୍ବରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ଉପରୁ ସସପେନ୍ସ ଉଠିଛି। ‘ଫୋନି’ ବାତ୍ୟାରେ ଷ୍ଟାଡିୟମରେ କ୍ଷତି ହୋଇଥିବା ଫ୍ଲଡ୍‌ଲାଇଟ୍‌ର କାମ ଆରମ୍ଭ ହୋଇଛି।

ଗତକାଲି କଟକରେ କପିଲ୍ ଦେବଙ୍କ ଡେଭମସ୍କୋ କମ୍ପାନୀ ପହଞ୍ଚି ଫ୍ଲଡ୍‌ଲାଇଟ୍‌ ଗୁଡ଼ିକ ତଦାରଖ କରିଛି। କେଉଁ ଖୁଣ୍ଟରେ କେତେ ବଲ୍‌ର ଆବଶ୍ୟକତା ରହିଛି ଏବଂ କେଉଁଠି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ତାହା ଦେଖିଛନ୍ତି କପିଲଙ୍କ ଡେଭମସ୍କୋ କମ୍ପାନୀ। ୧୫ଦିନ ଭିତରେ ଫ୍ଲଡ୍‌ ଲାଇଟର ମରାମତି କାମ ଶେଷ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

‘ଫୋନି’ ବାତ୍ୟାରେ ବାରବାଟୀ ଷ୍ଟାଡିୟମର ଗ୍ୟାଲେରୀ, ପ୍ରେସ୍‌ ବକ୍ସ ସହ ଫ୍ଲଡ୍‌ଲାଇଟ୍‌ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହେବା ପରେ ବାରବାଟୀରେ ମ୍ୟାଚ୍ ହେବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ନୂଆ ସମ୍ପାଦକ ସଞ୍ଜୟ ବେହେରା, ବିସିସିଆଇର କର୍ତ୍ତୃପକ୍ଷ ଫ୍ଲଡ୍‌ଲାଇଟ୍‌ର ମରାମତି ନେଇ କପିଲଙ୍କ ସହ ଆଲୋଚନା ପରେ କାମ ଆରମ୍ଭ ହୋଇଛି।

You might also like