ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆରମ୍ଭ ହେଲା କ୍ରିକେଟ୍, ମ୍ୟାଚ୍ ପୂର୍ବରୁ ଆଣ୍ଠେଇ ପଡ଼ି ନିରବ ପ୍ରାର୍ଥନା କଲେ ଖେଳାଳି
ସାଉଥମ୍ପଟନ୍: କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ କ୍ରିକେଟ୍ ପୂରାପୂରି ଠପ୍ ହୋଇଯାଇଥିଲା। ପୂରା ୧୧୭ ଦିନ ପର୍ଯ୍ୟନ୍ତ ପଡ଼ିଆରେ ଗୋଟିଏ ବି ବଲ୍ କେଉଁ ବ୍ୟାଟ୍ସମ୍ୟାନ୍ ପାଇଁ ପଡ଼ିନଥିଲା।
କ୍ରିକେଟ୍ ପ୍ରେମୀଙ୍କର ଲମ୍ବା ସମୟର ଅପେକ୍ଷା ପରେ ବୁଧବାର ୮ ଜୁଲାଇରେ ପୁଣିଥରେ ଆରମ୍ଭ ହୋଇଛି କ୍ରିକେଟ୍। ପଡ଼ିଆକୁ ଓହ୍ଲାଇଛନ୍ତି ଖେଳାଳି। ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ଟେଷ୍ଟ ସିରିଜ୍ରର ପ୍ରଥମ ମ୍ୟାଚ୍ ଆଜିଠାରୁ ସାଉଥମ୍ପଟନ୍ରେ ଆରମ୍ଭ ହୋଇଛି।
ଏହି ଐତିହାସିକ ମ୍ୟାଚ୍ ପାଇଁ ବହୁ କ୍ରିକେଟ୍ ପ୍ରେମୀ ଅନେକ ସମୟ ଧରି ଅପେକ୍ଷା କରି ରହିଥିଲେ। ତେବେ ବର୍ଷା ଅପେକ୍ଷାକୁ ଆହୁରି ବଢ଼ାଇ ଦେଇଥିଲା। ବର୍ଷା ପାଇଁ ପଡ଼ିଆ ଓଦା ହେବା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା। ଏହି କାରଣରୁ ଲଞ୍ଚ ବ୍ରେକ୍ ନିଆଯାଇଥିଲା। ଲଞ୍ଚ ପରେ ଟସ୍ ଜିତିଥିଲା ଇଂଲଣ୍ଡ। ଟେଷ୍ଟରେ ପ୍ରଥମ କରି କ୍ୟାପ୍ଟେନ୍ ହୋଇଥିବା ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।
CRICKET IS BACK: The #MenInMaroon take the field, for the first cricket match in 128 days 😳🏏 The aim is to retain the Wisden Trophy in a historic series against @englandcricket! 💪🏾🏆 #WIReady #ENGvWI 🌴 pic.twitter.com/U0Sg9XNyu3
— Windies Cricket (@windiescricket) July 8, 2020
ମ୍ୟାଚ୍ ପୂର୍ବରୁ ନିରବ ପ୍ରାର୍ଥନା
ଉଭୟ ଟିମ୍ ପଡ଼ିଆକୁ ଓହ୍ଲାଇବା ପରେ ପ୍ରଥମେ ଆଣ୍ଠେଇ ପଡ଼ି ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ‘ବ୍ଲାକ୍ ଲାଇଭ୍ ମେଟର୍’ ଅଭିଯାନକୁ ବଳ ଦେବା ପାଇଁ ଏହି ନିରବ ସମର୍ଥନ କରାଯାଇଥିଲା।
କରୋନା ଆକ୍ରାନ୍ତ ଓ ଗତସପ୍ତାହରେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ କ୍ରିକେଟର୍ ଏଭର୍ଟୋନ୍ ୱିକ୍ସଙ୍କ ୯୫ ବର୍ଷରେ ବିୟୋଗ ପାଇଁ ମଧ୍ୟ ନିରବ ପ୍ରାର୍ଥନା କରାଯାଇଥିଲା। ଉଭୟ ଦଳର ଖେଳାଳି କଳା ପଟ୍ଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ର ପେସ୍ ବୋଲର୍ କେମାର ରୋଚ୍ ପ୍ରଥମ ବଲ୍ ପକାଇଥିଲେ। ସାମ୍ନାରେ ବ୍ୟାଟିଂ କରୁଥିଲେ ଇଂଲଣ୍ଡର ରୋରୀ ଜୋସେପ୍ ବର୍ଣ୍ସ।
ରିପୋର୍ଟ ଲେଖାହେଲା ବେଳକୁ ଇଂଲଣ୍ଡ ୧୭.୪ ଓଭରରେ ଏକ ୱିକେଟ୍ ହରାଇ ୩୫ ରନ୍ ସଂଗ୍ରହ କରିଥିବା ବେଳେ ପୁଣି ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ଖେଳକୁ ପୁଣି ସ୍ଥଗିତ ରଖାଯାଇଛି।