ଧୋନି କରିବେ କୁକୁଡ଼ା ଫାର୍ମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍‌ ବା କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍‌ରେ କଡ଼କନାଥ ଚିକେନ୍‌ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ସେ ଝାବୁଆରେ କଡ଼କନାଥ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ପାଖାପାଖି ୨ ହଜାର କୁକୁଡ଼ା ଛୁଆ ଅର୍ଡର କରିଛନ୍ତି। ମଧ୍ୟପ୍ରଦେଶର ଜଣେ କୁକୁଡ଼ା ଫାର୍ମର ମାଲିକ ଧେନି ଏହି ଅର୍ଡର ଦେଇଥିବା ଦାବି କରିଛନ୍ତି।

ସେ କହିଛନ୍ତି ଯେ ଧୋନି ରାଞ୍ଚି ପ୍ରାଣୀ ଚିକିତ୍ସା କେନ୍ଦ୍ରରେଥିବା ଜଣେ ସାଙ୍ଗଙ୍କ ସାହାର୍ଯ୍ୟରେ ତାଙ୍କୁ ଯୋଗାଯୋଗ କରିଥିଲେ। ଆସନ୍ତା ଡିସେମ୍ୱର ମାସ ୧୫ ତାରିଖ ଭିତରେ ସେ କୁକୁଡ଼ା ଛୁଆ ସବୁ ଦେବାକୁ କହିଥିଲେ।

ତେବେ ମହେନ୍ଦ୍ର ସିଂ ଧୋନି ୧୬ ବର୍ଷର ଇଣ୍ଟରନ୍ୟାସ୍‌ନାଲ କ୍ରିକେଟ୍‌ରୁ ଗତ ଅଗଷ୍ଟ ମାସରେ ସନ୍ୟାସ ଘୋଷଣା କରିଥିଲେ। ସେ ଭାରତୀୟ ଦଳର ଅଧିନାୟକଭାବେ ୨୦୦୭ରେ ଟି-20 ୱାର୍ଲ୍ଡ କପ୍‌, ୨୦୧୧ରେ ଓଡିଆଇ ୱାର୍ଲ୍ଡ କପ୍‌ ଏବଂ ୨୦୧୩ରେ ଆଇସିସି ଚାମ୍ପିୟାନ୍ସ ଟ୍ରଫି ଜିତିଥିଲେ।

କଡ଼କନାଥ ଚିକେନ୍‌ର ବିଶେଷତ୍ୱ-

ଏହା ଏକ କଳା ରଙ୍ଗର କୁକୁଡ଼ା। ଯେଉଁଥିରେ କି ଅନ୍ୟ ପ୍ରଜାତିର କୁକୁଡ଼ାଙ୍କ ଠାରୁ କମ୍‌ ଫ୍ୟାଟ୍‌ ଏବଂ କମ୍‌ କୋଲେଷ୍ଟେରୋଲ ରହିଥାଏ। କଡ଼କନାଥ କୁକୁଡ଼ା ଠାରେ ୧.୯୪ ପ୍ରତିଶତ ଫ୍ୟାଟ୍‌ ରହିଥିବାବେଳେ ଅନ୍ୟ କୁକୁଡ଼ାଙ୍କ ଠାରେ ୨୫ ପ୍ରତିଶତ ଫ୍ୟାଟ୍‌ ରହିଥାଏ। ଏହାଛଡ଼ା ଅନ୍ୟ କୁକୁଡ଼ାଙ୍କ ଠାରେ କୋଲେଷ୍ଟେରୋଲର ପରିମାଣ ୨୧୮ ଗ୍ରାମ୍‌ ଥିବାବେଳେ ଏଥିରେ ୫୯ ଗ୍ରାମ ରହିଥାଏ। ଏହାର ମାଂସରେ ପ୍ରୋଟିନ୍‌ର ପରିମାଣ ଅଧିକା ଥାଏ ଏବଂ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ।

ଝାବୁଆ ପ୍ରଜାତିର କଡ଼କନାଥ କୁକୁଡ଼ାକୁ ଆଞ୍ଚଳିକ ଭାଷାରେ କାଲାମାସି ବୋଲି କୁହାଯାଏ। ଏହି କୁକୁଡ଼ାକୁ ମାଂସ ଏବଂ ପଲ୍ୟୁଟ୍ରି ଫାର୍ମ ବିଭାଗରେ ଭାରତୀୟ ଭୌଗଳିକ ସୂଚକ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ ଟ୍ୟାଗ୍‌ ମିଳିଛି। ତେବେ ଏହି କୁକୁଡ଼ା ମାଂସ ଏବଂ ଅଣ୍ଡାର ଦାମ୍‌ ବଜାରରେ ଅଧିକା ରହିଥିବାବେଳେ ଅନ୍ୟ କୁକୁଡ଼ାର ଦାମ୍ କମ୍‌ ରହିଥାଏ।

You might also like