ଭାରତୀୟ ସେନା ସହ ଜମ୍ମୁ-କାଶ୍ମୀରରେ ଟ୍ରେନିଂ ନେବେ ଧୋନି

ନୂଆ ଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍‌କିପର୍‌ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ରେ ଖେଳିବାକୁ ନିଜେ ମନା କରିବା ପରେ ନୂଆ ଟିମ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଛି।  ଧୋନି ଏବେ ୨ ମାସର ଛୁଟି ନେଇଛନ୍ତି। ଏହି ଛୁଟିରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେବେ।
ଧୋନି ଭାରତୀୟ ସେନା ସହ ଟ୍ରେନିଂ ନେବାଲାଗି ଅନୁମତି ମାଗିଥିଲେ, ଯାହାକି ମିଳିସାରିଛି। ଭାରତୀୟ ସ୍ଥଳ ସେନାର ମୁଖ୍ୟ ବିପିନ୍‌ ରାୱତଙ୍କ ଅନୁମତି ପରେ ଏବେ ଧୋନି ପାରାଚ୍ୟୁଟ ରେଜିମେଣ୍ଟ ବାଟାଲିୟନ ସହ ଟ୍ରେନିଂ ନେବେ। ଏହି ଟ୍ରେନିଂର କିଛି ଅଂଶ ସେ ଜମ୍ମୁ-କାଶ୍ମୀରରେ ପୂରା କରିବେ।

ହେଲେ ଏହା ସ୍ପଷ୍ଟ କରିଦିଆଯାଇଛି ଯେ, ଧୋନି ସେନାଙ୍କ ସହ ଟ୍ରେନିଂ ନେଉଥିଲେ ମଧ୍ୟ ସେ କୌଣସି ଆକ୍ଟିଭ ଅପରେଶନରେ ଭାଗ ନେଇପାରିବେ ନାହିଁ। ଜଣାଇଦେବାକୁ ଚାହୁଁ ଯେ ଧୋନି ଟେରିଟରିଆଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟ ଲ୍ୟୁଟନାଣ୍ଟ କର୍ଣ୍ଣେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତେଣୁ ସେ ବର୍ତ୍ତମାନ ପାରାଚ୍ୟୁଟ ରେଜିମେଣ୍ଟ ବାଟାଲିୟନରେ କାମ କରିବେ।

୨୦୧୯ ବିଶ୍ୱକପ୍‌ର ସେମିଫାନାଲ୍‌ରେ ନୈରାଶଜନକ ପ୍ରଦର୍ଶନ ପରେ ଧୋନିଙ୍କୁ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ବିଶେଷ କରି ନିଜର ଧିମା ବ୍ୟାଟିଂ ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ଧୋନି ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା।

ହେଲେ ଏହା ସ୍ପଷ୍ଟ ହୋଇସାରିଛି ଯେ, ସେ ଏବେ ଅବସର ନେବେ ନାହିଁ।  ବିସିସିଆଇ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି, ଧୋନି ଜଣେ ଅଭିଜ୍ଞ ଖେଳାଳି। କେତେବେଳେ କି ନିଷ୍ପତ୍ତି ନେବା କଥା ସେ ଭଲଭାବେ ଜାଣନ୍ତି। ତେବେ କ୍ରିକେଟରୁ ସନ୍ୟାସ ନେବା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ହେବ। ଏଥିରେ ଦଳ ତାଙ୍କ ଉପରେ କୌଣସି ପ୍ରକାପର ଚାପ ପକାଇବ ନାହିଁ।

 

 

You might also like