ଗାଁ ଗାଁରେ କରୋନା କିଟ୍‌-ଅମ୍ଳଜାନ ସିଲିଣ୍ଡର ଯୋଗାଇବେ ଋିଷଭ

ନୂଆଦିଲ୍ଲୀ: କରୋନା ମାହାମରୀ ବିପକ୍ଷ ଲଢ଼େଇରେ ଅନେକ ଖେଳାଳିଙ୍କ ନାଁ ଆଗକୁ ଆସିଲାଣି । ସେହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ଆଇପିଏଲ ତଥା ଭାରତୀୟ କ୍ରିକେଟ ଦଳର ଚର୍ଚ୍ଚିତ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପନ୍ତ ଶନିବାର କହିଛନ୍ତି ଯେ, ସେ ଏବେ କରୋନାରେ ସଂକ୍ରମିତ ରୋଗୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର, ବେଡ୍ ଏବଂ କୋଭିଡ୍‌-୧୯ କିଟ୍ କିଣିବାରେ ସାହାଯ୍ୟ କରିବେ । ଏଥିପାଇଁ ସେ ହେମକୁଣ୍ଟ ଫାଉଣ୍ଡେସନକୁ କିଛି ଅର୍ଥ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୨୩ ବର୍ଷୀୟ ପନ୍ତ ଏହି ନିଷ୍ପତ୍ତି ନେଇଥିବା ନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ସେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ସେ ଏହି ଫାଉଣ୍ଡେସନ ସହିତ ମିଶି କାମ କରିବେ ଏବଂ ଦାନ କରିବେ । ଯାହାଦ୍ୱାରା ଦେଶରେ କରୋନା ସଂକ୍ରମିତ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର, ବେଡ୍ ଏବଂ କରୋନା କିଟ୍ ଯୋଗାଇ ଦିଆଯିବ ।

ପନ୍ତ ନିଜ ପୋଷ୍ଟରେ ଲେଖିଛନ୍ତି, ‘ଆମ ଦେଶ ଏବେ ଅତ୍ୟନ୍ତ କଷ୍ଟଦାୟକ ସ୍ଥିତି ଦେଇ ଗତି କରୁଛି । ଏହା ଦେଖି ମୁଁ ଅତ୍ୟନ୍ତ ପ୍ରଭାବିତ ହୋଇଛି । ମୁଁ ବ୍ୟକ୍ତିଗତ ଭାବେ କ୍ଷତିକୁ ଅତି ନିକଟରୁ ଦେଖିଛି, ତେଣୁ ମୁଁ ଗତ ଏକ ବର୍ଷ ମଧ୍ୟରେ ଅନେକ କିଛି ହରାଇଥିବା ପରିବାରର ଯନ୍ତ୍ରଣାକୁ ବୁଝିପାରୁଛି । ଖାଲି ସେତିକି ନୁହେଁ ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରୁଛି ଯେଉଁମାନେ ଆଉ ଏହି ଦୁନିଆରେ ନାହାନ୍ତି । ଆମକୁ ଛାଡ଼ି ଚାଲିଯାଇଛନ୍ତି ।

ସେ ଆହୁରି ଲେଖିଛନ୍ତି, ‘ମୁଁ ଖେଳରୁ ଏକ ବଡ଼ କଥା ଶିଖିଛି । ଆଉ ତାହା ହେଉଛି ‘ଏକତା ହିଁ ବଳ’ । ଏକାଠି ହୋଇ କାମ କରିବାର ଶକ୍ତି ଅନେକ ଗୁରୁତ୍ୱ ରଖେ । ଏହି କଠିନ ସମୟରେ ମୁଁ ଆଗଧାଡ଼ିର ଯୋଦ୍ଧାଙ୍କୁ ନମସ୍କାର କରୁଛି, ଯିଏ ଗତ ଏକ ବର୍ଷ ଧରି ଭାରତବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ଆସୁଛନ୍ତି । ଦେଶକୁ ଏହି କଠିନ ପରିସ୍ଥିତିରୁ ମୁକୁଳାଇବା ପାଇଁ ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ହେବ । ମୁଁ ହେମକୁଣ୍ଟ ଫାଉଣ୍ଡେସନକୁ ସମର୍ଥନ କରୁଛି, ଯାହା ସାରା ଦେଶରେ ସଂକ୍ରମିତ ଲୋକଙ୍କୁ ଶଯ୍ୟା, କୋଭିଡ-୧୯ ରିଲିଫ କିଟ୍ ଏବଂ ଅମ୍ଳଜାନ ସିଲିଣ୍ଡର ଯୋଗାଇବାରେ ସାହାଯ୍ୟ କରିବ । ମୁଁ ବିଶେଷ ଭାବରେ ଗ୍ରାମୀଣ ଇଲାକା ଏବଂ ଅଣ ମେଟ୍ରୋ ସହର ଗୁଡ଼ିକରେ କାମ କରୁଥିବା ସଂଗଠନଗୁଡ଼ିକ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ । ଯେଉଁଠାରେ ପ୍ରମୁଖ ସହର ତୁଳନାରେ ସ୍ୱସ୍ଥ୍ୟ ଭିତ୍ତିଭୂମି ଭଲ ନାହିଁ ।

You might also like