ଓଡ଼ିଆଙ୍କୁ ଗୁରୁତ୍ୱ ଦେବେ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ଜୁନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତି। ଏ ନେଇ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବେ ବୋଲି ଦେବାଶିଷ କହିଛନ୍ତି। ସେହିପରି ତାଙ୍କ ସମୟରେ କେମିତି ଓଡ଼ିଆ ପିଲା ଭାରତୀୟ ଦଳରେ ସୁଯୋଗ ପାଇପାରିବେ ତାହା ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ।

ଏଥିସହିତ ଯାହାର ଖେଳିବା ପାଇଁ ଭୋକ ଥିବ ତାଙ୍କୁ ସଠିକ୍‌ ଯାଗାରେ ନେଇ ପହଞ୍ଚାଇବେ ବୋଲି ଦେବାଶିଷ କହିଛନ୍ତି। ଭେଙ୍କଟେଶ ପ୍ରସାଦଙ୍କ କାର୍ଯ୍ୟ ଅବଧି ସରିବା ପରେ ଦେବାଶିଷଙ୍କୁ ତାଙ୍କ ସ୍ଥାନରେ ଏହି ଦାୟିତ୍ୱ ମିଳିଛି। ଏବେ ସେ ଓଡିଶା କ୍ରିକେଟ ଦଳର କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି।

ପୂର୍ବରୁ ଜାତୀୟ ଦଳର ଚୟନକର୍ତ୍ତା ଭାବେ ରଞ୍ଜିବ ବିଶ୍ୱାଳ କାର୍ଯ୍ୟ କରିଥିଲେ। ତାଙ୍କ ପରେ ଦୀର୍ଘ ଦିନ ହେବ ଓଡ଼ିଶାରୁ ଚୟନ କମିଟିରେ କେହି ସଦସ୍ୟ ନଥିଲେ। ପୂର୍ବରୁ ଲୋଧା କମିଟିର ସୁପାରିଶ ଅାଧାରରେ ପ୍ରତି ଚୟନ କମିଟି ସଦସ୍ୟ ସଂଖ୍ୟା ୫ରୁ ୩କୁ ହ୍ରାସ କରାଯାଇଥିଲା। ତେବେ ଅଗଷ୍ଟ୯ ତାରିଖରେ ଚୟନ କମିଟି ସଦସ୍ୟ ସଂଖ୍ୟା ୫କୁ ସୁପ୍ରିମ୍‌କୋର୍ଟ ପୁଣିଥରେ ବଢାଇବାକୁ ନିର୍ଦ୍ଦେଶ ଦେବା ପରେ ଦେବାଶିଷଙ୍କୁ ଏହି ସୁଯୋଗ ମିଳିଛି।

 

You might also like