• translate
Satyendu Shekher Mishra

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଲଗାତାର ବର୍ଷା କାରଣରୁ ଏହି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ ହାଫ୍‌ ଟାଇମ୍‌ ପର୍ଯ୍ୟନ୍ତ ମଧ୍ୟ ଆରମ୍ଭ ହୋଇନଥିଲା । ହାଫ୍‌ ଟାଇମ୍‌ ସରିବାର କିଛି ସମୟ ପରେ ବର୍ଷା କମ ହୋଇଥିଲା । ଏହାପରେ ମ୍ୟାଚ୍‌ ଆରମ୍ଭ ହୋଇଛି । ତେବେ କିଛି ସମୟରେ ପରେ ଅମ୍ପାୟର ପଡ଼ିଆ ଯାଞ୍ଚ କରିବାକୁ ଆସିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଦୁଇଟି ଯାକ ଟିମ୍‌ ଏହି ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମଇଦାନକ ଓହ୍ଲାଇଛନ୍ତି । ବିଶେଷ କରି ନ୍ୟୁଜଲ୍ୟାଣ୍ଡ ଦଳ ନିଜ ଫିଟନେସ୍ ଉପରେ ଆଧିକ ଗୁରୁତ୍ୱ ଦେଇଛି । କାରଣ ଅଧିନାୟକ କେନ୍ ୱିଲିୟମସନଙ୍କ ସମେତ ନ୍ୟୁଜିଲ୍ୟାଣ୍ଡର କିଛି ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆଘାତ କାରଣରୁ କିଛି ଦିନ ହେବ ଅନ୍‌ଫିଟ୍‌ ଥିଲେ । କିୱି ଅଧିନାୟକ କହିଛନ୍ତି ଯେ ଭାରତ ବିପକ୍ଷ ଚାମ୍ପିଅନସିପ୍ ଫାଇନାଲ ପାଇଁ ମନୋନୀତ ସମସ୍ତ ଖେଳାଳି ଏବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ।

ସେ ନିଜେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଥିବା କହିଛନ୍ତି । ତାଙ୍କ କାହୁଣିରେ ଯେଉଁ ଆଘାତ ଲାଗିଥିଲା, ତାହା ଏବେ ଭଲ ହୋଇଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଏବେ ମ୍ୟାଚ୍‌ ଖେଳିବା ସମ୍ପୂର୍ଣ୍ଣ ଫିଟ୍‌ ବୋଲି ସେ କହିଛନ୍ତି । ତାଙ୍କ କହୁଣିରେ ଲାଗିଥିବା ଆଘାତ ପାଇଁ କିଛି ଦିନ ପୂର୍ବରୁ ସେ ଇଞ୍ଜେକ୍ସନ ନେଇଥିଲେ, ସେଥିପାଇଁ ସେ ଇଞ୍ଜେକ୍ସନକୁ ଧନ୍ୟବାଦ ଦେଇଛନ୍ତି ।

ୱିଲିୟମ୍‌ସନ୍‌ଙ୍କ କହୁଣିରେ ଲାଗିଥିଲା ଆଘାତ

ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳାଯାଇଥିଲା । ସିରିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ସମୟରେ ୱିଲିୟମ୍‌ସନ୍‌ଙ୍କ କହୁଣିରେ ଆଘାତ ଲାଗିଥିଲା । ଯେଉଁଥିପାଇଁ ତାଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାହାରେ ରହିବାକୁ ପଡିଥିଲା । ଗତ କିଛି ମାସ ଧରି ସେ କହୁଣିରେ ଆଘାତ ଲାଗିଥିବା କାରଣରୁ ହଇରାଣ ହେଉଥିଲେ । କେବେ ସୁସ୍ଥ ହେବେ ସେନେଇ ଚିନ୍ତାରେ ମଧ୍ୟ ଥିଲେ । ଅନ୍ୟପଟେ ଶୀଘ୍ର ସୁସ୍ଥ ହୋଇ ମଇଦାନକୁ ଫେରିବାକୁ ମଧ୍ୟ ଚେଷ୍ଟା ଜାରି ରଖିଥିଲେ । କହୁଣିର ଲଗାତାର ଚିକିତ୍ସା ଜାରି ରଖିଥିଲେ ।

କହୁଣିରେ ଆଘାତ କାରଣରୁ ସେ ବାଂଲାଦେଶ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜରେ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଓପନିଂ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ଖେଳିପାରି ନଥିଲେ । ଇଂଲଣ୍ଡ ବିପକ୍ଷ ବ୍ୟାଟିଂ ସମୟରେ ୱିଲିୟମସନ କିଛି ବିଶେଷ ପ୍ରଦର୍ଶନ ମଧ୍ୟ କରିପାରିନଥିଲେ । ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ମୋଟ ୧୪ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଆଇପିଏଲର ଅନେକ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିଲେ ।

Other Stories