କୋଭିଡ୍-୧୯ ପାଇଁ କ୍ରିକେଟରେ ବଦଳିଲା ଏସବୁ ନିୟମ

ନୂଆଦିଲ୍ଲୀ:କୋଭିଡ୍-୧୯ ପାଇଁ ବଦଳିଲା କ୍ରିକେଟ ନିୟମ । କରୋନା ସଂକ୍ରମଣକୁ ନଜରରେ ରଖି ଆଇସିସି କିଛି ନିୟମରେ ସଂଶୋଧନ କରିଛି । ଗୋଟିଏ ପାର୍ଶ୍ୱକୁ ସୁୁଇଙ୍ଗ୍ କରିବା ପାଇଁ ବଲରେ ଲାଳ ବା ଛେପ ଲଗାଇବା ବାରଣ କରାଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୂର୍ଣ୍ଣ ଦଳକୁ ଦଣ୍ଡିତ ହେବାକୁ ପଡିବ ।

ପ୍ରଥମ ଦୁଇ ଥର ଓ୍ୱାର୍ଣ୍ଣିଂ ଦେବା ପରେ ମଧ୍ୟ ନମାନିଲେ ବ୍ୟାଟିଂ କରୁଥିବା ଦଳକୁ ଅଧିକ ୫ ରନ ମିଳିବ ।ସେହିପରି ଟେଷ୍ଟ ମ୍ୟାଚରେ ଯଦି କୌଣସି ଖେଳାଳିଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ମ୍ୟାଚ ରେଫରୀଙ୍କ ଅନୁମୋଦନ କ୍ରମେ ତାଙ୍କର ବଦଳ ଖେଳାଳି ମ୍ୟାଚ୍ ଖେଳିପାରିବେ। ବ୍ୟାଟସମ୍ୟାନଙ୍କ ସ୍ଥାନରେ ବ୍ୟାଟସମ୍ୟାନ ଓ ବୋଲରଙ୍କ ସ୍ଥାନରେ ବୋଲର ହିଁ ବଦଳ ଖେଳାଳି ଭାବେ ଦଳରେ ସ୍ଥାନ ପାଇବେ।

ଏହି ନିୟମ କେବଳ ଟେଷ୍ଟ ମ୍ୟାଚରେ ହିଁ ବ୍ୟବହାର କରାଯାଇ ପାରିବ । ଏହାସହ ଦୁଇ ଦଳକୁ ଅଧିକ ଗୋଟିଏ ଲେଖାଏଁ ଡିଆରଏସ୍‌ ବ୍ୟବହାର କରିବାର ସୁଯୋଗ ଦିଆଯାଇଛି । ସେହିପରି ନିରପେକ୍ଷ ଅମ୍ପାୟାରଙ୍କ ବଦଳରେ ଖେଳା ଯାଉଥିବା ସ୍ଥାନରୁ ହିଁ ଅମ୍ପାୟାର ମ୍ୟାଚ ପରିଚାଳନା କରିବେ ବୋଲି ଆଇସିସି ନିଷ୍ପତ୍ତି ନେଇଛି ।