ବିରାଟ କୋହଲିଙ୍କୁ ପରିବାଠାରୁ ଅଣ୍ଡା ପର୍ଯ୍ୟନ୍ତ ସବୁ ପସନ୍ଦ, ଏମିତି ରହିଛି ତାଙ୍କ ଡାଏଟ୍ ଚାର୍ଟ..

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫିଟନେସକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେ ସାଥୀ ଖେଳାଳିଙ୍କୁ ମଧ୍ୟ ଫିଟ୍ ରହିବା ପାଇଁ ସବୁବେଳେ ପ୍ରୋତ୍ସାହିତ କରନ୍ତି । ଟିମ୍ ଇଣ୍ଡିଆ ଏବେ ମୁମ୍ବାଇରେ କ୍ୱାରେଣ୍ଟାଇନ୍ ରହିଛି । ଆସନ୍ତା ମାସରେ ଦଳ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବ। ଏହାପରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତୀୟ ଦଳ । କୋହଲି ଫାଇନାଲ ମ୍ୟାଚରେ ବିଜୟ ହାସଲ କରି ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷରେ ଅଛନ୍ତି ।

ବିରାଟ କୋହଲି ସୋସିଆଲ ମିଡିଆରେ ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ରଖିଥିଲେ । ଏଥିରେ ସେ ନିଜର ଫିଟନେସକୁ ନେଇ ଉତ୍ତର ରଖିଥିଲେ । ଫ୍ୟାନମାନେ କୋହଲିଙ୍କୁ ସମସ୍ତ ପ୍ରକାର ପ୍ରଶ୍ନ ପଚାରିଥିଲେ । ସେ ତାଙ୍କ ଡାଏଟ୍ ଠାରୁ ଆରମ୍ଭ କରି ଶେଷରେ ସେ ଗୁଗୁଲରେ କ’ଣ ସର୍ଚ୍ଚ କରିଥିଲେ ତାର ମଧ୍ୟ ଉତ୍ତର ରଖିଥିଲେ । ଜଣେ ଫ୍ୟାନ ପ୍ରଶ୍ନ କରିଥିଲେ ଯେ, ତାଙ୍କ ଡାଏଟରେ କ’ଣ ଅଛି ? ସେ ଉତ୍ତର ଦେଇଥିଲେ ଯେ, ‘ବହୁତ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, ମସୁର ଡାଲି, ବହୁତ ପାଳଙ୍ଗ ଓ ତାଙ୍କୁ ଦୋସା ବହୁତ ପସନ୍ଦ ବୋଲି କହିଥିଲେ । ହେଲେ ସବୁ ଲିମିଟରେ ସେ ଖାଆନ୍ତି ।

ଜଣେ ଫ୍ୟାନ ପଚାରିଲେ ଗୋଟିଏ ଦିନରେ ଆପଣ କ’ଣ ଖାଆନ୍ତି ? ଏହାର ଉତ୍ତରରେ ବିରାଟ କୋହଲି କହିଥିଲେ, ‘ବିଭିନ୍ନ ଭାରତୀୟ ଖାଦ୍ୟ ଯାହା ସାଧାରଣ ଉପାୟରେ ପ୍ରସ୍ତୁତ ହୋଇଥାଏ । ଏହାସହ ବେଳେବେଳେ ଚାଇନିଜ୍ ମଧ୍ୟ ଖାଏ । ବାଦାମ, ପ୍ରୋଟିନ୍ ବାର ଏବଂ ଫଳ ମଧ୍ୟ ଖାଇଥାଏ ।

‘କୋହଲି ଏବେ ମୁମ୍ବାଇରେ ରହୁଛନ୍ତି । ଯେତେବେଳେ ଇଂଲଣ୍ଡ ବିପକ୍ଷରେ ଖରାପ ଫିଟନେସ୍ ହେତୁ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଖେଳିବାକୁ ସୁଯୋଗ ପାଇନଥିଲେ । ତା’ପରେ କୋହଲି ସମସ୍ତ ଖେଳାଳିଙ୍କୁ ଫିଟନେସ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏହାକୁ ନେଇ କିଛି ପୂର୍ବତନ ଖେଳାଳି କୋହଲିଙ୍କୁ ସମାଲୋଚନା ମଧ୍ୟ କରିବା ସୂଚନା ରହିଛି ।

କପିଲ ଦେବ, ସୌରଭ ଗାଙ୍ଗୁଲି ଏବଂ ଧୋନିଙ୍କ ସମକକ୍ଷ ହେବେ କୋହଲି

କପିଲଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୮୩ରେ ବିଶ୍ୱକପ୍ ବିଜେତା ହୋଇଥିଲା । ସେତେବେଳେ ଭାରତୀୟ ଦଳ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଏହା ପରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଦଳ ୨୦୦୨ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମିଳିତ ବିଜେତା ହୋଇଥିଲା । ଏହା ପରେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଦଳ ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ବିରାଟ କୋହଲି ଏବେ ସୁଦ୍ଧା ୨୦୦ଟି ମ୍ୟାଚରେ ଅଧିନାୟକତ୍ୱ କରିସାରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ ଗୋଟିଏ ବି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଜିତିବାକୁ ପ୍ରାଣପଣେ ଚେଷ୍ଟା କରିବେ ବୋଲି କୁହାଯାଉଛି। ଏହି ଟାଇଟଲ ଜିତିଲେ ସେ ନିଜକୁ କପିଲ ଦେବ, ସୌରଭ ଗାଙ୍ଗୁଲି ଏବଂ ଧୋନିଙ୍କ ସମକକ୍ଷ କରିପାରିବେ ବୋଲି ଆଶା ରଖିଛନ୍ତି ।

You might also like