ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶେଫାଲୀ ବର୍ମା ନିଜର ଡେବ୍ୟୁ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ୯୬ ରନ୍ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଶେଫାଲୀଙ୍କ ଏହି ଇନିଂସ ଫ୍ୟାନମାନଙ୍କୁ ରାହୁଲ ଦ୍ରାବିଡଙ୍କ କଥା ମନେ ପକାଇ ଦେଇଛି । ଏହି ଇନିଂସ ପରେ ଫ୍ୟାନ୍‌ମାନେ ଶେଫାଲୀଙ୍କୁ ରାହୁଲ ଦ୍ରାବିଡଙ୍କ ସହ ତୁଳନା କରିବା ଆରମ୍ଭ କରିଛନ୍ତି । କାରଣ ଉଭୟଙ୍କ ଖେଳରେ ଅନେକ ସାମଞ୍ଜସ୍ୟ ରହିଛି ।

ଶେଫାଲୀ ବର୍ମା ଏବଂ ରାହୁଲ ଦ୍ରାବିଡ ଉଭୟ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ବିପକ୍ଷରେ ହିଁ ଉଭୟ ଖେଳାଳି ଟେଷ୍ଟ ଡେବ୍ୟୁ କରିଛନ୍ତି । ଉଭୟ ୯୦ ରନରୁ ଅଧିକ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି । ରାହୁଲ ଦ୍ରାବିଡ ୧୯୯୬ ରେ ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ଡେବ୍ୟୁ କରିଥିଲେ । ଏହି ଟେଷ୍ଟରେ ରାହୁଲ ଦ୍ରାବିଡ଼ ୨୬୭ ବଲରେ ୯୫ ରନ୍‌ର ଇନିଂସ ଖେଳି ଆଉଟ୍‌ ହୋଇଥିଲେ ।

Sefali Verma

ସେହି ଅନୁସାରେ, ବର୍ତ୍ତମାନ ଶେଫାଲୀ ବର୍ମା ମଧ୍ୟ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୧୫୨ ବଲରେ ୯୬ ରନ୍‌ର ଇନିଂସ ଖେଳିବା ପରେ ଆଉଟ୍‌ ହୋଇଥିଲେ । ସେ ନିଜ ଶତକ ହାସଲ କରିବାରୁ ମାତ୍ର ଚାରି ରନ୍ ପଛରେ ରହିଗଲେ । ଯଦିଓ ରାହୁଲ ଏବଂ ଶେଫାଲୀଙ୍କ ମଧ୍ୟରେ ଏହି ସମାନତା ରହିଛି, କିନ୍ତୁ ଏହି ଯୁବ କ୍ରିକେଟରଙ୍କ ଶୈଳୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦର ସେହୱାଗଙ୍କ ପରି । ସେଥିପାଇଁ ଯେତେବେଳେ ଶେଫାଲୀ ବିସ୍ଫୋରକ ଢ଼ଙ୍ଗରେ ୯୦ ରନ୍ ଅତିକ୍ରମ କଲେ, ସେତେବେଳେ ଲେଡି ସେହୱାଗ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲା ।

ଶେଫାଲୀ ବର୍ମା ଟି-୨୦ ଖେଳ ଭଳି ବିସ୍ଫୋରକ ଶୈଳୀରେ ଟେଷ୍ଟ ଇନିଂସ ଆରମ୍ଭ କରିଥିଲେ । ସେ ବିରେନ୍ଦର ସେହୱାଗଙ୍କ ପରି ଆରମ୍ଭରୁ ଜବରଦସ୍ତ ଆକ୍ରାମକ ଭାବେ ରନ୍‌ ଗୋଟାଇବାକୁ ଆରମ୍ଭ କରିଥିଲେ । ଶେଫାଲୀ ଏବଂ ମନ୍ଧାନା ୪୮.୫ ଓଭର ପର୍ଯ୍ୟନ୍ତ ପ୍ରଥମ ୱିକେଟ୍ ପାଇଁ ୧୬୭ ରନ୍‌ର ଚମତ୍କାର ଭାଗିଦାରୀ କରିଥିଲେ । ଯାହାଫଳରେ ଭାରତ ଭଲ ଆରମ୍ଭ କରିବାରେ ସଫଳ ହୋଇଛି ।

Sefali Verma

ଶେଫାଲୀ ସବୁଥର ଭଳି ଆକ୍ରମକ ଖେଳୁଥିଲେ, ସେ ନିଜ ଶୈଳୀରେ ହିଁ କଟ୍‌ ଏବଂ ପୁଲ୍‌ ସଟ୍‌ ମଧ୍ୟ ମାରିଥିଲେ । ଏହି ୧୭ ବର୍ଷୀୟ ଖେଳାଳି କେବଳ ଡିଫେନ୍ସରେ ଭଲ ପ୍ରଦର୍ଶନ କରିନଥିଲେ କିନ୍ତୁ ଖୁବ୍‌ ସହଜରେ ସେ ନେଟ୍ ସ୍କିଭର ଉପରେ ଛକା ମାରିଥିଲେ । ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଦଳର ଏହା ଦ୍ୱିତୀୟ ଛକା ଥିଲା । ସେଫାଲୀ ନିଜ ଇନିଂସର ୯୬ ରନ୍‌ ମଧ୍ୟରେ ୧୩ ଚୌକା ଏବଂ ଦୁଇଟି ଛକା ମାରିଥିଲେ ।

ମାତ୍ର ୧୫ ବର୍ଷ ବୟସରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ହରିୟାଣାର ଶେଫାଲୀ ବର୍ମା, ବିରେନ୍ଦ୍ର ସେହୱାଗଙ୍କ ଭଳି ଟିମ୍ ଇଣ୍ଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ତାଙ୍କୁ ପ୍ରଶଂସା କରି କହିଥିଲେ ଯେ, ଯେତେବେଳେ ଶେଫାଲୀ ବର୍ମା କ୍ରିଜରେ ଅଛନ୍ତି, ସେତେବେଳେ ତାଙ୍କ ପ୍ରତିଭା ଏବଂ ସଟ୍‌ ଖେଳିବାର କ୍ଷମତା ଦର୍ଶକଙ୍କୁ ବନ୍ଧି ରଖିବା ପାଇଁ ଯଥେଷ୍ଟ ।

Other Stories