• translate
Satyendu Shekher Mishra

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରୋହିତ ଶର୍ମାଙ୍କୁ ଟି -୨୦ ଏବଂ ଦିନିକିଆ ଫର୍ମାଟର ଅଧିନାୟକ କରିବା ନେଇ ଚର୍ଚ୍ଚା ଚାଲିଛି । ଯଦିଓ ଏହା ଏପର୍ଯ୍ୟନ୍ତ ହୋଇନାହିଁ । ଏବେ ପୁଣି ଥରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି -୨୦ ଫର୍ମାଟର ଅଧିନାୟକ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତର ପୂର୍ବତନ ୱିକେଟ୍ କିପର ତଥା ଚୟନକର୍ତ୍ତା କିରଣ ମୋରେଙ୍କ କହିବାନୁଯାୟୀ ଏବେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାର ସମୟ ଆସି ସାରିଛି । ଖୁବ୍‌ଶୀଘ୍ର ରୋହିତ ଶର୍ମାଙ୍କୁ ଅଧିନାୟକ ହେବାର ସୁଯୋଗ ମିଳିବ ବୋଲି ସେ ଅନୁମାନ କରୁଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କିରଣ ମୋରେ ଭବିଷ୍ୟବାଣି କରିଛନ୍ତି ଯେ, ରୋହିତ ଶର୍ମା ଖୁବ୍‌ଶୀଘ୍ର ଦଳର ଅଧିନାୟକ ଭାର ସମ୍ଭାଳିବେ । ବିରାଟ କୋହଲି ଜଣେ ଚାଲାଖ ଓ ଚତୁର ଅଧିନାୟକ । ସେ ଧୋନିଙ୍କ ନେତୃତ୍ୱରେ ଅନେକ ମ୍ୟାଚ୍‌ ଖେଳିଛନ୍ତି । ଆଗାମୀ କେତେ ଦିନ ପର୍ଯ୍ୟନ୍ତ ସେ ଦିନିକିଆ ଓ ଟି-୨୦ ଫର୍ମାଟର ଅଧିନାୟକ ଦାୟିତ୍ୱ ତୁଲାଇବେ ସେନେଇ ନିଜେ ଚିନ୍ତା କରିବେ । କିରଣ ମୋରେ କହିଛନ୍ତି ଯେ, ଇଂଲଣ୍ଡ ଗସ୍ତ ପରେ ସମସ୍ତେ ଏହି ନିଷ୍ପତ୍ତି ବିଷୟରେ ଅଧିକ ଜାଣିବାକୁ ପାଇବେ ।

ତେବେ କିରଣ ମୋରେଙ୍କ କଥାରୁ ସ୍ପଷ୍ଟ ଯେ, ଭାରତର ଇଂଲଣ୍ଡ ଗସ୍ତ ପରେ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ତେଣୁ ଏଠାରେ ଆଶଙ୍କା ଯେ, ଆଗାମୀ ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ କାନ୍ଧରେ ରଖାଯାଇପାରେ । କିରଣ ମୋରେ ଆହୁରି କହିଛନ୍ତି ଯେ, ଏବେ ତିନୋଟି ଯାକ ଫର୍ମାଟର ଅଧିନାୟକ ହେବା ସହଜ ନୁହେଁ । ଭାରତୀୟ ଦଳର ଭବିଷ୍ୟତ ବିଷୟରେ ଖେଳାଳିମାନେ କ’ଣ ଚିନ୍ତା କରନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ବିରାଟ କୋହଲିଙ୍କ ପାଇଁ ତିନୋଟି ଯାକ ଫର୍ମାଟରେ ଅଧିନାୟକତ୍ୱ କରିବା ଏତେ ସହଜ ନୁହେଁ । ଏହାସହ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ମଧ୍ୟ ପଡିବ ।

କିରଣ ଆହୁରି କହିଛନ୍ତି, ‘ମୁଁ ଭାବୁଛି ଏମିତି ଏକ ସମୟ ଆସିବ ଯେତେବେଳେ ବିରାଟ କୋହଲି ନିଜେ କହିବେ ଯେ ବହୁତ ହୋଇଗଲା ଏବେ ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ଦାୟିତ୍ୱ ଦିଆଯାଉ ।’

ରୋହିତ ଶର୍ମା ଜଣେ ଭଲ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି । ଏଥିରେ କେହି ବି ଦ୍ୱିମତ ନୁହଁନ୍ତି । ବିଶେଷକରି ଟି -୨୦ କ୍ରିକେଟ୍‌ରେ ତାଙ୍କ ଭଳି ଅଧିନାୟକ ଅନ୍ୟ କେଉଁଠି ଦେଖାଯାଇନାହିଁ । ରୋହିତ ଶର୍ମାଙ୍କ ଟିମ୍‌  ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଚାମ୍ପିଅନ୍‌ ହୋଇସାରିଛି ବୋଲି କିରଣ ମୋରେ କହିଛନ୍ତି ।

Other Stories