ଧୋନୀଙ୍କ ବ୍ୟାଟିଂକୁ ନେଇ ସେହୱାଗ କହିଲେ-ଦ୍ୱାଦଶ ପରୀକ୍ଷାର ଦିନକ ପୂର୍ବରୁ …
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (CSK) ଲଗାତାର ତୃତୀୟ ମ୍ୟାଚରେ ହାରିଯାଇଛି। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ (SRH) ଚେନ୍ନାଇକୁ ୭ ରନ୍ରେ ହରାଇ ଦେଇଛି। ଏହି ମ୍ୟାଚ୍ ପରେ କ୍ରିକେଟ ଏକ୍ସପର୍ଟସମାନେ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ କ୍ରିକେଟରମାନେ ମଧ୍ୟ ସମୀକ୍ଷା କରି କହିଛନ୍ତି, ଧୋନି ଯଥେଷ୍ଟ ବିଳମ୍ବରେ ଦ୍ରୁତ ରନ୍ କରିବା ଆରମ୍ଭ କରିଥିଲେ, ଆଉ ସେତେବେଳକୁ ମ୍ୟାଚ୍ ଚେନ୍ନାଇ ହାତରୁ ଖସି ଯାଇଥିଲା। ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ (Virender Sehwag) ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦ୍ୱାଦଶ ପରୀକ୍ଷା ଦେବାର ଗୋଟିଏ ଦିନ ପୂର୍ବରୁ ପଢି ପରୀକ୍ଷା ଦେଲେ କେହି ପାସ୍ କରେନି।
ସେହୱାଗ ଆଜିକାଲି ପ୍ରତ୍ୟେକ ମ୍ୟାଚ ପରେ ସୋଶାଲ ନେଟ୍ୱାର୍କିଂ ସାଇଟ୍ ଫେସ୍ବୁକ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରୁଛନ୍ତି। ଏଠାରେ ସେ ନିଜର ଖୋଲା ମତ ରଖିଥାନ୍ତି। ଏହି କ୍ରମରେ ସେ ଚେନ୍ନାଇ-ହାଇଦ୍ରାବାଦ ମୁକାବିଲାର ଚର୍ଚ୍ଚା କରିଥିଲେ। ଧୋନିଙ୍କ ବ୍ୟାଟିଂ ପ୍ରସଙ୍ଗରେ ମତ ରଖି ସେ କହିଥିଲେ, ‘ଧୋନି ମଧ୍ୟ ମ୍ୟାଚ୍ରେ ଭଲ ଆଟାକ୍ କରିଥିଲେ। କିନ୍ତୁ କଥା ହେଲା, ଦ୍ୱାଦଶ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପାଠ ପଢୁଥିବା ଲୋକ ପାସ୍ କରିପାରିନି।
ସେହୱାଗଙ୍କ ଏହି କମେଣ୍ଟ ୨ଟି ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପ୍ରଥମତଃ ଧୋନି ଯଥେଷ୍ଟ ବିଳମ୍ବରେ ଛକା ମାରିବା ଆରମ୍ଭ କରିଥିଲେ। ଧୋନି ଯେତେବେଳେ ପଡ଼ିଆକୁ ଆସିଲେ, ସେ ସମୟରେ ଚେନ୍ନାଇ ଆଗରେ ଏକ ବଡ ସ୍କୋର ଥିଲା। ଜିତିବା ପାଇଁ ପ୍ରତି ଓଭରରେ ୯.୨୧ ରନ୍ ଲକ୍ଷ୍ୟ ଥିଲା ଚେନ୍ନାଇ ଆଗରେ। ହେଲେ ଏହି ହାର କମିବାକୁ ଲାଗିଲା । ଶେଷ ୪ ଓଭରରେ ୭୮ ରନ୍ର ଲକ୍ଷ୍ୟ ଥିଲା। ଏପରିକି ଶେଷ ଓଭରରେ ଚେନ୍ନାଇ ପାଇଁ ୨୮ ରନ୍ର ଆବଶ୍ୟକତା ଥିଲା। ହେଲେ ଧୋନିଙ୍କ ଉପସ୍ଥିତିରେ ମଧ୍ୟ ଚେନ୍ନାଇ ଏହି ମ୍ୟାଚ ଜିତି ପାରିଲା ନାହିଁ।
୨ୟ କଥା ହେଲା, ଧୋନି ଆଇପିଏଲ ପାଇଁ ଏଥର କିଛି ଖାସ୍ ପ୍ରସ୍ତୁତି କରି ନ ଥିଲେ। ଗତବର୍ଷ ୱର୍ଲଡ କପ୍ ପରଠାରୁ ଧୋନି ଏପରି କ୍ରିକେଟ ମ୍ୟାଚ୍ଠାରୁ ଦୂରରେ ଥିଲେ। ତା ଛଡ଼ା ଲକ୍ ଡାଉନ୍ରେ ବିଶେଷ ଅଭ୍ୟାସ ମଧ୍ୟ କରି ପାରି ନ ଥିଲେ।
ତେବେ ଏଠି କହି ରଖିବୁ, ସେହୱାଗ ପ୍ରଥମ ଥର ପାଇଁ ଧୋନିଙ୍କ ବ୍ୟାଟିଂ ଉପରେ ସବାଲ ଉଠାଇ ନାହାନ୍ତି। ଏହା ପୂର୍ବରୁ ସେ କହିଥିଲେ, ଧୋନି ବ୍ୟାଟିଂ ଅର୍ଡରରେ ପ୍ରଥମେ ଆସିବା ଉଚିତ୍। ଫେସ୍ବୁକରେ ସେହୱାଗ ଏକ ସ୍ୱତନ୍ତ୍ର ଶୋ’ରେ କହିଛନ୍ତି, ‘ଚେନ୍ନାଇ ଟିମ୍ ଅସୁବିଧାରେ ଥିଲା। ତଥାପି ଧୋନି ବ୍ୟାଟିଂ କରିବା ପାଇଁ ଆସିଲେ ନାହିଁ। ଏମିତି ଲାଗୁଛି, ଯେମିତି ବୁଲେଟ ଟ୍ରେନ ଆସିଯିବ କିନ୍ତୁ ଧୋନି ଚତୁର୍ଥ ଅର୍ଡରରେ ବ୍ୟାଟିଂ କରିବାକୁ ଆସିବେ ନାହିଁ । ମୋଦିଜୀ, ଆପଣ କିଛି ବୁଝାନ୍ତି ୟାଙ୍କୁ।’
ସୂଚନାଥାଉ କି, ଶୁକ୍ରବାର ମ୍ୟାଚ୍ରେ ଧୋନୀ ୫ମ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିଲେ।