IPL ୨୦୨୧ରେ ସମୟକୁ ନେଇ କଡ଼ାକଡ଼ି ନିୟମ; ଏଥିପାଇଁ ଅମ୍ପାୟାରଙ୍କୁ ଏମିତି କହିଲେ ଋଷଭ, କମେଣ୍ଟ୍ରି ବକ୍ସରେ ହସିଲେ ସମସ୍ତେ

ନୂଆଦିଲ୍ଲୀ: ଚଳିତଥର ଆଇପିଏଲରେ, ସମୟକୁ ନେଇ କଡାକଡି ନିୟମ କରାଯାଇଛି। ସ୍ଲୋ ଓଭର ପାଇଁ ଖେଳାଳିଙ୍କଠାରୁ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହାର ଶିକାର ହୋଇସାରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ଆଇପିଏଲର ନୂଆ ନିୟମ ଅନୁଯାୟୀ, ଦଳଗୁଡିକୁ ଏହି ସିଜନରେ ୯୦ ମିନିଟ୍ ମଧ୍ୟରେ ୨୦ ଓଭର ବୋଲିଂ ଶେଷ କରିବାକୁ ପଡ଼ିବ। ଏହାର ଅର୍ଥ ପ୍ରତି ଘଣ୍ଟାରେ ୧୪.୧ ଓଭର ବୋଲିଂ ଯେମିତି ହେଲେ ବି ଶେଷ କରିବାକୁ ପଡ଼ିବ। ଯଦି ଏହି ସମୟ ମଧ୍ୟରେ ବୋଲିଂ ଶେଷ ନହୁଏ ତେବେ ମୋଟା ଅଙ୍କର ଜୋରିମାନା ଲାଗୁ ହେବାର ନିୟମ କରାଯାଇଛି। ତେଣୁ ପ୍ରତ୍ୟେକ ଦଳ ଏହାକୁ ଦୃଷ୍ଟିରେ ରଖି ସମୟାନୁବର୍ତ୍ତୀତା ହେବାକୁ ଚେଷ୍ଟା କରିଛନ୍ତି ଏବଂ ଏଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରୁଛନ୍ତି।

ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସମୟ କଟକଣାକୁ ନେଇ ଖେଳାଳିଙ୍କ ମଧ୍ୟରେ ଭୟ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଏହି ମ୍ୟାଚ୍‌ରେ ରାଜସ୍ଥାନ ଇନିଂସର ସପ୍ତମ ଓଭରରେ ଏକ ଘଟଣା ଘଟିଛି। ଯାହା ଏହି ସମୟ କଟକଣା ସହ ବିଶେଷ ଭାବେ ଜଡ଼ିତ। ଶିବମ୍ ଦୁବେ ଏବଂ ଡେଭିଡ୍ ମିଲର୍ ବ୍ୟାଟିଂ ପିଚରେ ଥିଲେ। ସେମାନେ ବ୍ୟାଟିଂ କରିବା ପାଇଁ ପ୍ରସ୍ତୁତ ଥାନ୍ତି। ହେଲେ ଏପଟେ ବୋଲିଂ କରିବାକୁ ବଲ ଧରିଥିଲେ ରବିଚନ୍ଦ୍ରନ ଅଶ୍ୱିନୀ।

ଯେତେବେଳେ ଅଶ୍ୱିନୀ ନିଜର ଚତୁର୍ଥ ବଲ ପକାଇବା ପାଇଁ ଯାଉଥିଲେ, ସେତେବେଳେ ଫିଲ୍ଡ ଅମ୍ପାୟାର ତାଙ୍କୁ ଅଟକାଇଥିଲେ। ଏହାସହ ତାଙ୍କୁ ପଡ଼ିଆ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅମ୍ପାୟାର କହିଥିଲେ ଯେ, ଟିକେ ଅନୁଧ୍ୟାନ କର ଥାର୍ଡ ସର୍କଲ ବାହାରେ ଯେତିକି ଫିଲ୍ଡର ରହିବା କଥା ତାଠାରୁ ଅଧିକ ରହିଯାଇଛନ୍ତି କି ? ତେବେ ଅମ୍ପାୟାରଙ୍କ କଥାମାନି ଅଶ୍ୱିନୀ ଫିଲ୍ଡର ଯାଞ୍ଚ କରିବା ଆରମ୍ଭ କରିଥିଲେ। ଆଉ ଏଥିପାଇଁ ତାଙ୍କର କିଛି ସମୟ ମଧ୍ୟ ନଷ୍ଟ ହୋଇଥିଲା। ୱିକେଟ ପଛରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ଥ ଏଥିପାଇଁ ହେଉଥିବା ବିଳମ୍ବ ଉପରେ ଗରୁତ୍ୱ ଦେଇଥିଲେ। ସେ ପଡ଼ିଆରେ ଥିବା ଅମ୍ପାୟାରଙ୍କୁ କହିଥିଲେ ଯେ, ଏହି ଏକ ମିନିଟ ଆପଣଙ୍କ ପାଇଁ ଯାଇଛି। ମୋ ଯୋଗୁଁ ଏହି ବିଳମ୍ବ ହୋଇନାହିଁ। ଏହି ବିଳମ୍ବ ପାଇଁ ମୁଁ ଦାୟୀ ନୁହେଁ।

ଋଷଭଙ୍କ ଏହି କଥା ଷ୍ଟମ୍ପରେ ଲାଗିଥିବା ମାଇକ ଦ୍ୱାରା ସମ୍ପୂର୍ଣ୍ଣ ରେକର୍ଡ ହୋଇଥିଲା। ତେଣୁ ଏହା ଶୁଣି କମେଣ୍ଟ୍ରି କରୁଥିବା ପୂର୍ବତନ କ୍ରିକେଟରମାନେ ନିଜର ହସ ରୋକି ପାରିନଥିଲେ। ପନ୍ଥଙ୍କ କଥା ଶୁଣି କମେଣ୍ଟ୍ରି ବକ୍ସରେ ଥିବା ସବୁ ସିନିୟର ଖେଳାଳିମାନେ ଖୁବ୍ ହସିଥିଲେ।

ଆଇପିଏଲ୍ ୨୦୨୧ ପାଇଁ ବିସିସିଆଇ ନୂଆ ନିୟମ କରିଛି ଯେ, ବର୍ତ୍ତମାନ ପ୍ରତ୍ୟେକ ଦଳ ୯୦ ମିନିଟରେ ୨୦ ଓଭର ବୋଲିଂ ଶେଷ କରିବାକୁ ବାଧ୍ୟ। ହେଲେ ପୂର୍ବରୁ ନିୟମ ଥିଲା ଯେ, ୯୦ ମିନିଟରେ ୨୦ ତମ ଓଭର ଆରମ୍ଭ ହେବ। କିନ୍ତୁ ଏବେ ଦେଢ଼ ଘଣ୍ଟା ମଧ୍ୟରେ, ଯେକୌଣସି ପରିସ୍ଥିତିରେ ୨୦ ଓଭର ବୋଲିଂ ଶେଷ କରିବାକୁ ହେବ। ଏହି ୯୦ ମିନିଟ ମଧ୍ୟରେ, ଦଳଗୁଡିକୁ ଅଢ଼େଇ ମିନିଟ ଲେଖାଏଁ ଦୁଇଥର ଟାଇମ ଆଉଟ୍ ଦିଆଯିବ। ଅର୍ଥାତ୍ ଦଳଗୁଡିକୁ ୮୫ ମିନିଟ ମଧ୍ୟରେ ୨୦ ଓଭର ବୋଲିଂ ଶେଷ କରିବାକୁ ହେବ। ଏହି ଅନୁସାରେ ପ୍ରତ୍ୟେକ ଦଳକୁ ଏକ ଘଣ୍ଟାରେ ୧୪.୧ ଓଭର ବୋଲିଂ ଶେଷ କରିବାକୁ ପଡ଼ିବ। ଯଦି କୌଣସି ଟିମ୍ ଏହା କରିବାରେ ବିଫଳ ହୁଏ, ତେବେ ସେହି ଦଳର ମ୍ୟାଚ୍ ଫି କଟାଯିବାର ମଧ୍ୟ ବ୍ୟବସ୍ଥା ରହିଛି।

You might also like