IPL 2021: କାର୍ଯ୍ୟସୂଚୀରେ ହୋଇପାରେ ବଡ଼ ପରିବର୍ତ୍ତନ, ଗୋଟିଏ ଜାଗାରେ ଖେଳା ଯାଇପାରେ ନକଆଉଟ୍ ମ୍ୟାଚ୍

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ୨୯ ମ୍ୟାଚ୍ ପରେ ସ୍ଥଗିତ ରଖାଯାଇଥିବା ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ ଏବେ ୟୁଏଇରେ ଖେଳାଯିବ । ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ଯାକ ମ୍ୟାଚ୍ ବିସିସିଆଇ ୟୁଏଇରେ ଆୟୋଜନ କରିବାକୁ ଯାଉଛି । ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଆରମ୍ଭ ହେବ ସେନେଇ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଏବେ ବିସିସିଆଇ କାର୍ଯ୍ୟସୂଚୀରେ ଏକ ବଡ ପରିବର୍ତ୍ତନ କରିପାରେ ବୋଲି ଖବର ସାମ୍ନାକୁ ଆସୁଛି । ଏନେଇ ଆଲୋଚନା କରିବାକୁ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଦୁବାଇ ଯାଇଛନ୍ତି । ଇନସାଇଡ୍ ସ୍ପୋର୍ଟ ଅନୁଯାୟୀ, ଆୟୋଜନ ସ୍ଥଳ ପରିବର୍ତ୍ତନ ସହିତ କାର୍ଯ୍ୟସୂଚୀରେ ମଧ୍ୟ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଏବଂ ଏନେଇ ଖୁବଶୀଘ୍ର ଘୋଷଣା କରାଯାଇପାରେ ।

ବୋର୍ଡ ପକ୍ଷରୁ ମାତ୍ର ୨୫ ଦିନ ମଧ୍ୟରେ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରୁଛି । ଖବର ଅନୁଯାୟୀ, ୨୫ ଦିନର ୱିଣ୍ଡୋରେ ୮ଟି ଡବଲ୍ ହେଡର୍ କରିବା ପାଇଁ ବିସିସିଆଇ ଏକ ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛି । ବୋର୍ଡ ଟୁର୍ନାମେଣ୍ଟର ଏହି ଦ୍ୱିତୀୟ ସିଜନ୍ ୧୭ ରୁ ୧୯ ସେପ୍ଟେମ୍ବର ମଧ୍ୟରେ ଆରମ୍ଭ କରିପାରେ ଏବଂ ଜୁନ୍ ଶେଷରେ ଏହା ଘୋଷଣା କରିବାର ସମ୍ଭାବନା ରହିଛି ।

ଦୁବାଇରେ ହୋଇପାରେ ନକ୍ଆଉଟ୍ ମ୍ୟାଚ୍

ବିସିସିଆଇ ସୂତ୍ରରୁ ଜଣାପଡିଛି ଯେ, ଦୁଇଟି କାରଣରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଉଛି । ଯଦି କରୋନା କାରଣରୁ ଏହି ଆଇପିଏଲ୍ ସିଜିନ ସ୍ଥଗିତ ହୋଇନଥାନ୍ତା, ତେବେ କେବଳ ୬ଟି ଡବଲ୍ ହେଡର୍ ବାକି ରହିଥିଲା । କିନ୍ତୁ ଏବେ ବୋର୍ଡ ପାଖରେ ସ୍ୱଳ୍ପ ଅବଧି ରହିଛି କାରଣ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଆଇପିଏଲ ଶେଷ କରିବାକୁ ହେବ । ତେଣୁ ବୋର୍ଡ ପକ୍ଷରୁ ୮ ରୁ ୧୦ଟି ଡବଲ୍ ହେଡର୍ କରିବା ପାଇଁ ଯୋଜନା କରୁଛି ।

ଗତ ବର୍ଷ ଭଳି ଏଥର ମଧ୍ୟ ଆଇପିଏଲ ୟୁଏଇର ତିନୋଟି ସହରରେ ଖେଳାଯିବ । ଶାରଜାହ, ଆବୁଧାବି ଏବଂ ଦୁବାଇର ମ୍ୟାଚ୍ ଗୁଡ଼ିକ ଆୟୋଜନ ହେବ । ତେବେ ବିସିସିଆଇ ଲିଗ ମ୍ୟାଚର ଅନ୍ତିମ ଚରଣ ସହ ନକ୍ଆଉଟ୍ ଏବଂ ଫାଇନାଲ୍ ମ୍ୟାଚ ଗୋଟିଏ ସ୍ଥାନରେ ଆୟୋଜନ କରିବ ବୋଲି ଯୋଜନା କରୁଛି । ଏଥିପାଇଁ ଦୁବାଇ ପ୍ରଥମ ପସନ୍ଦ ହୋଇପାରେ । କାରଣ ଅଧିକାଂଶ ଫ୍ରାଞ୍ଚାଇଜ୍ ହୋଟେଲ ବୁକ୍ କରିସାରିଛନ୍ତି ।

ଅନ୍ୟପଟେ ଏବେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ବାହାରି ସାରିଛି । ସେଠାରେ ପ୍ରଥମେ ନ୍ୟୁଜଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଖେଳିବ । ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତ ସେଠାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

You might also like